Home ରାଜ୍ୟନୂଆପଡ଼ାରେ ଶିଶୁ ଶ୍ରମ ଉଚ୍ଛେଦ ପାଇଁ ଜିଲ୍ଲାସ୍ତରୀୟ ପରାମର୍ଶ ଶିବିର : ‘ପ୍ରତ୍ୟେକ ଶିଶୁ ଶିଖୁ, ବଢ଼ୁ ଓ ସ୍ୱପ୍ନ ଦେଖୁ’ର ଆହ୍ୱାନ।

ନୂଆପଡ଼ାରେ ଶିଶୁ ଶ୍ରମ ଉଚ୍ଛେଦ ପାଇଁ ଜିଲ୍ଲାସ୍ତରୀୟ ପରାମର୍ଶ ଶିବିର : ‘ପ୍ରତ୍ୟେକ ଶିଶୁ ଶିଖୁ, ବଢ଼ୁ ଓ ସ୍ୱପ୍ନ ଦେଖୁ’ର ଆହ୍ୱାନ।

by Maraguda Express
0 comments

Table of Contents

ନୂଆପଡ଼ା -୧୮/୬ ଶିଶୁ ଶ୍ରମର ସମ୍ପୂର୍ଣ୍ଣ ଉଚ୍ଛେଦ, ଶିଶୁ ଅଧିକାରର ସୁରକ୍ଷା ଏବଂ ଏକ ଶିଶୁ-ମିତ୍ର ସମାଜ ଗଠନ ଲକ୍ଷ୍ୟରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଓଏସସିପିସିଆର) ପକ୍ଷରୁ ନୂଆପଡ଼ାରେ ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାସ୍ତରୀୟ ପରାମର୍ଶ ଓ ଆଇଇସି ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଶିଶୁ ଶ୍ରମ ନିରାକରଣ ଅଭିଯାନକୁ ଆହୁରି ଗତିଶୀଳ କରିବା ସହ ଶିଶୁ ସୁରକ୍ଷା ପ୍ରତି ସମାଜର ସମସ୍ତ ସ୍ତରର ଦାୟିତ୍ୱବୋଧକୁ ସୁଦୃଢ଼ କରିଛି।
ଏହି ଅଭିଯାନର ମୂଳ ବାର୍ତ୍ତା ଥିଲା — “ପ୍ରତ୍ୟେକ ଶିଶୁ ଶିଖୁ, ବଢ଼ୁ ଓ ସ୍ୱପ୍ନ ଦେଖୁ”, ଯାହା ଶିଶୁମାନଙ୍କ ଶିକ୍ଷା, ସୁରକ୍ଷା ଓ ସର୍ବାଙ୍ଗୀଣ ବିକାଶ ପ୍ରତି ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଛି।
କାର୍ଯ୍ୟକ୍ରମରେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁମାନଙ୍କ ସୁରକ୍ଷା ଓ ଅଧିକାର ସୁନିଶ୍ଚିତ କରିବା ଦିଗରେ ସମସ୍ତଙ୍କ ସହଯୋଗ ଆହ୍ୱାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଖରିଆର ରୋଡ଼ ଏନ୍‌ଏସି ଅଧ୍ୟକ୍ଷା ଡା. ସୋନିଆ ଜୈନ, ଜିଲ୍ଲାପାଳ ମଧୁସୂଦନ ଦାଶ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଳ ସିଂ ଉପସ୍ଥିତ ରହି ଶିଶୁ ସୁରକ୍ଷା କ୍ଷେତ୍ରରେ ସମନ୍ୱିତ ପଦକ୍ଷେପର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।ଓଏସସିପିସିଆରର ଅଧ୍ୟକ୍ଷା ବବିତା ପାତ୍ର, ସଦସ୍ୟା କଳ୍ପନା ଲେଙ୍କା ଏବଂ ଶିଶୁ ଅଧିକାର ବିଶେଷଜ୍ଞ ଜ୍ୟୋତିପ୍ରକାଶ ବ୍ରହ୍ମା ଯୋଗଦେଇ ଶିଶୁ ଅଧିକାର, ସୁରକ୍ଷା ଆଇନ ଓ ଶିଶୁ ଶ୍ରମ ନିରାକରଣ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଥିଲେ।ବୈଠକରେ ଶିଶୁ ଶ୍ରମ ନିରାକରଣ ପାଇଁ ଏକ ସୁଦୃଢ଼ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଥିଲା। ଏଥିରେ ଶିଶୁ ଶ୍ରମ (ନିଷେଧ ଓ ନିୟମନ) ଆଇନର କଡ଼ାକଡ଼ି ଅନୁପାଳନ, ବିପଦପୂର୍ଣ୍ଣ ସ୍ଥିତିରେ ଥିବା ଶିଶୁମାନଙ୍କୁ ଚିହ୍ନଟ କରି ଉଦ୍ଧାର, ଉଦ୍ଧାର ହୋଇଥିବା ଶିଶୁମାନଙ୍କର ପୁନର୍ବାସନ ଓ ଶିକ୍ଷା ବ୍ୟବସ୍ଥା, ଏବଂ ବେଆଇନ ଶିଶୁ ଚାଲାଣ ବିରୋଧରେ ‘ଶୂନ୍ୟ ସହନଶୀଳତା’ ନୀତି ଆପଣାଇବା ଭଳି ବିଷୟଗୁଡ଼ିକୁ ପ୍ରାଥମିକତା ଦିଆଯାଇଥିଲା।ଏହି ଅବସରରେ ଓଏସସିପିସିଆର ଅଧ୍ୟକ୍ଷା ବବିତା ପାତ୍ର କହିଥିଲେ, “ଶିଶୁମାନଙ୍କର ସୁରକ୍ଷା, ଶିକ୍ଷା ଓ ସାମଗ୍ରିକ ବିକାଶ ଆମ ସମସ୍ତଙ୍କର ସର୍ବୋଚ୍ଚ ଦାୟିତ୍ୱ। ଶିଶୁମାନଙ୍କର ବିକାଶ ବିନା ‘ବିକଶିତ ଓଡ଼ିଶା’ର ସ୍ୱପ୍ନ କେବେ ସାକାର ହୋଇପାରିବ ନାହିଁ।”
ଜିଲ୍ଲାପାଳ ମଧୁସୂଦନ ଦାଶ ପ୍ରଶାସନ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ, ଜିଲ୍ଲାରେ ଶିଶୁ ଶ୍ରମ ରୋକିବା ପାଇଁ ବ୍ୟାପକ ସଚେତନତା ଅଭିଯାନ ଚାଲିଛି। ଏପର୍ଯ୍ୟନ୍ତ ୮୦ରୁ ଅଧିକ ସଚେତନତା ଶିବିର ଆୟୋଜିତ ହୋଇଥିବା ବେଳେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ନିୟମିତ କନଭର୍ଜେନ୍ସ ବୈଠକ ଅନୁଷ୍ଠିତ ହେଉଛି। ଶିଶୁ ଶ୍ରମମୁକ୍ତ ସମାଜ ଗଠନ ପାଇଁ ସଚେତନତା, ସମନ୍ୱୟ ଓ ସମୁଦାୟର ସକ୍ରିୟ ଭାଗୀଦାରି ଅପରିହାର୍ଯ୍ୟ ବୋଲି ସେ ମତ ପ୍ରକାଶ କରିଥିଲେ।
ସମ୍ମିଳନୀରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଶିଶୁ କଲ୍ୟାଣ କମିଟି ଅଧ୍ୟକ୍ଷା ବବିତା ମିଶ୍ର, ଜିଲ୍ଲା ଶ୍ରମ ଅଧିକାରୀ ଜସ୍ମିନ ସାହୁଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧି ଓ ଶିଶୁ ସୁରକ୍ଷା କର୍ମୀମାନେ ଯୋଗଦେଇଥିଲେ।ଶିଶୁ ଶ୍ରମମୁକ୍ତ ନୂଆପଡ଼ା ଗଠନ ଦିଗରେ ଏହି ପରାମର୍ଶ ଶିବିର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି  ବିଭିନ୍ନ ମହଲ ରେ ମତ  ପ୍ରକାଶ ପାଇଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha