166

ନୂଆପଡ଼ା, ୨୮/୭ : ଜିଲ୍ଲା ଆଇନ ସେବା ପ୍ରାଧିକରଣର ଆନୁକୂଲ୍ୟରେ କୋମନା ବ୍ଲକ ଅନ୍ତର୍ଗତ ଜଡାମୁଣ୍ଡା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ କିଶୋର ନ୍ୟାୟ (ଶିଶୁମାନଙ୍କ ଯତ୍ନ ଓ ସୁରକ୍ଷା) ଅଧିନିୟମ, ୨୦୧୫ ଏବଂ ଶିଶୁଙ୍କ ନିଶୁଳ୍କ ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଅଧିନିୟମ, ୨୦୦୯ ସମ୍ବନ୍ଧୀୟ ଏକ ବ୍ୟାପକ ଆଇନ ସଚେତନତା ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ଶିଶୁ କଲ୍ୟାଣ ସମିତିର ସଦସ୍ୟ ଗଙ୍ଗାଧର ପାଣିଗ୍ରାହୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବଲମତ ମାଝୀ, ବିଦ୍ୟାଳୟର ଅଧ୍ୟକ୍ଷ ନିର୍ମଳ କୁମାର ଶବର, ଶିକ୍ଷୟିତ୍ରୀ ମୋନିକା ଦଳପତି, ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଏବଂ ଅଧିକାର ମିତ୍ର ଅଜୀମ୍ ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ ସଚିବ ନବନୀତା ଦାଶ କିଶୋର ନ୍ୟାୟ ଅଧିନିୟମ, ୨୦୧୫ର ବିଭିନ୍ନ ବ୍ୟବସ୍ଥା, ଶିଶୁଙ୍କ ଅଧିକାରର ସୁରକ୍ଷା ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଭୂମିକା ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ।ସେହିପରି ଶିଶୁ କଲ୍ୟାଣ ସମିତିର ସଦସ୍ୟ ଗଙ୍ଗାଧର ପାଣିଗ୍ରାହୀ ଶିଶୁମାନଙ୍କ ଯତ୍ନ, ସୁରକ୍ଷା, ପୁନର୍ବାସ ଓ ଶିଶୁ କଲ୍ୟାଣ ସମିତିର କାର୍ଯ୍ୟପ୍ରଣାଳୀ ବିଷୟରେ ସଚେତନ କରାଇଥିଲେ। ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବଲମତ ମାଝୀ ଶିଶୁଙ୍କ ନିଶୁଳ୍କ ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଅଧିନିୟମ, ୨୦୦୯ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ଶିକ୍ଷା ହେଉଛି ପ୍ରତ୍ୟେକ ଶିଶୁର ମୌଳିକ ଅଧିକାର ବୋଲି ଉଲ୍ଲେଖ କରିଥିଲେ।
ଶିବିର ଶେଷରେ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇ ବିଦ୍ୟାଳୟ ପରିସରରେ ସମସ୍ତ ଅତିଥିବୃନ୍ଦ ବୃକ୍ଷରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଇନ ସମ୍ପର୍କିତ ସଚେତନତା ବୃଦ୍ଧି ସହ ଶିଶୁ ଅଧିକାର ଓ ଶିକ୍ଷା ପ୍ରତି ସକାରାତ୍ମକ ବାର୍ତ୍ତା ପ୍ରସାର କରିଥିଲା।