27
ନୂଆପଡ଼ା – ୨୪/୦୬- ପ୍ରବାସୀ ଶ୍ରମିକମାନଙ୍କ ସୁରକ୍ଷା, କଲ୍ୟାଣ ଏବଂ ଜିଲ୍ଲାରେ ପ୍ରବାସ ପ୍ରଥାକୁ ହ୍ରାସ କରିବା ଉଦ୍ଦେଶ୍ୟରେ ନୂଆପଡ଼ା ଜିଲ୍ଲାସ୍ତରୀୟ ସମନ୍ୱୟ କମିଟିର ବୈଠକ ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରବାସୀ ଶ୍ରମିକ ଓ ସେମାନଙ୍କ ପରିବାରର ଆର୍ଥିକ ଓ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବା ନେଇ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଥିଲା।ପ୍ରାରମ୍ଭରେ ଜିଲ୍ଲା ଶ୍ରମ ଅଧିକାରୀ ଜସ୍ମିନ ସାହୁ ସ୍ୱାଗତ ଭାଷଣ ରଖି ବୈଠକର ଉଦ୍ଦେଶ୍ୟ ଏବଂ ପ୍ରବାସୀ ଶ୍ରମିକମାନଙ୍କ କଲ୍ୟାଣ ପାଇଁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ।ଜିଲ୍ଲା ଦକ୍ଷତା ବିକାଶ ବିଭାଗ ପକ୍ଷରୁ ‘ନାନୋ ୟୁନିକର୍ଣ୍ଣ’ ଯୋଜନା ଅଧୀନରେ ଦୁଇଟି ପ୍ରବାସୀ ପରିବାରକୁ ଏକ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। କୃଷି ବିଭାଗ ପକ୍ଷରୁ ୮୮ଟି ପ୍ରବାସୀ ପରିବାରକୁ ୨ ଲକ୍ଷ ୬୩ ହଜାର ୯୬୦ ଟଙ୍କାର ସବସିଡି ଯୋଗାଇ ଦିଆଯାଇଥିବା ବେଳେ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ୩୧୩ଟି ପ୍ରବାସୀ ପରିବାରର ସର୍ଭେ କରାଯାଇ ୧୭ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ପେନସନ ସୁବିଧା ପ୍ରଦାନ କରାଯାଇଛି।
ପରିବହନ ବିଭାଗ ପକ୍ଷରୁ ତିନି ଜଣ ପ୍ରବାସୀ ଶ୍ରମିକଙ୍କୁ ଏଲ୍ଏମ୍ଭି ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରାଯାଇଥିବା ବେଳେ ଏଲ୍ଡିଏମ୍ ନୂଆପଡ଼ା ପକ୍ଷରୁ ପ୍ରବାସୀ ପରିବାରର ତିନି ଜଣ ଯୁବତୀଙ୍କୁ ସଫ୍ଟ ଟୟ ନିର୍ମାଣ ପ୍ରଶିକ୍ଷଣ ଦିଆଯାଇଛି। ଏହି ପ୍ରଶିକ୍ଷଣ ପାଇଁ ଜଣପିଛା ୯ ହଜାର ୧୨ ଟଙ୍କା ବ୍ୟୟ କରାଯାଇଥିବା ସୂଚନା ମିଳିଛି।ପ୍ରବାସ ରୋକିବା ଦିଗରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଯୋଜନା (ମନରେଗା) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଥିବା ବେଳେ ବିଭିନ୍ନ ବ୍ଲକରେ ପ୍ରବାସୀ ପରିବାରମାନଙ୍କୁ ବ୍ୟାପକ ରୋଜଗାର ସୁଯୋଗ ଯୋଗାଇ ଦିଆଯାଇଛି।ସିନାପାଲି ବ୍ଲକରେ ୧୩୬ଟି ପରିବାର ପାଇଁ ୩,୨୬୪ କାର୍ଯ୍ୟଦିବସ ସୃଷ୍ଟି କରାଯାଇ ୧୨ ଲକ୍ଷ ୧୦ ହଜାର ୯୪୪ ଟଙ୍କା ମଜୁରୀ ପ୍ରଦାନ କରାଯାଇଛି। ବୋଡେନ ବ୍ଲକରେ ୧୦୭ଟି ପରିବାରକୁ ୯ ଲକ୍ଷ ୫୨ ହଜାର ୭୨୮ ଟଙ୍କା, ଖରିଆର ବ୍ଲକରେ ୧୧୫ଟି ପରିବାରକୁ ୧୦ ଲକ୍ଷ ୨୩ ହଜାର ୯୬୦ ଟଙ୍କା, କୋମନା ବ୍ଲକରେ ୧୧୭ଟି ପରିବାରକୁ ୧୦ ଲକ୍ଷ ୪୧ ହଜାର ୭୬୮ ଟଙ୍କା ଏବଂ ନୂଆପଡ଼ା ବ୍ଲକରେ ୧୭୫ଟି ପରିବାରକୁ ୧୨ ଲକ୍ଷ ୨୮ ହଜାର ୭୫୨ ଟଙ୍କା ମଜୁରୀ ପ୍ରଦାନ କରାଯାଇଛି।ଜିଲ୍ଲାପାଳ ମଧୁସୂଦନ ଦାଶ ଗ୍ରାମୀଣ ସ୍ୱନିଯୁକ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନ (ଆରସେଟି) ମାଧ୍ୟମରେ ଅଧିକ ସଂଖ୍ୟକ ପ୍ରବାସୀ ପରିବାର ସଦସ୍ୟଙ୍କୁ ଦକ୍ଷତା ବିକାଶ ପ୍ରଶିକ୍ଷଣ ସହ ଯୋଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି କାର୍ଯ୍ୟରେ ସମସ୍ତ ବିଡିଓମାନଙ୍କୁ ସକ୍ରିୟ ସହଯୋଗ କରିବା ପାଇଁ ସେ ପରାମର୍ଶ ଦେଇଥିଲେ।ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମୀ ସୋରେନ, ଜିଲ୍ଲା ଶ୍ରମ ଅଧିକାରୀ ଜସ୍ମିନ ସାହୁଙ୍କ ସମେତ ସମସ୍ତ ବିଡିଓ, ତହସିଲଦାର ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।ଜିଲ୍ଲାରେ ପ୍ରବାସ ହ୍ରାସ, ସ୍ଥାନୀୟ ସ୍ତରରେ ରୋଜଗାର ସୃଷ୍ଟି ଏବଂ ପ୍ରବାସୀ ଶ୍ରମିକଙ୍କ ଜୀବନମାନର ଉନ୍ନତି ଦିଗରେ ଏହି ବୈଠକ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଛି।