24
ନୂଆପଡ଼ା – ୨୪/୦୬- ନୂଆପଡ଼ା ଜିଲ୍ଲାରେ ପାନୀୟ ଜଳ ଯୋଗାଣ, ସ୍ୱଚ୍ଛତା ଏବଂ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମକୁ ଆହୁରି ଗତିଶୀଳ କରିବା ଉଦ୍ଦେଶ୍ୟରେ ଜିଲ୍ଲା ଜଳ ଓ ପରିମଳ ମିଶନ (ଡିଡବ୍ଲୁଏସଏମ୍)ର ୧୯ତମ ବୈଠକ ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜଳ ଯୋଗାଣ ପ୍ରକଳ୍ପ, “ହର ଘର ଜଳ” ଯୋଜନା ଓ ପରିମଳ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟର ଅଗ୍ରଗତି ନେଇ ବିସ୍ତୃତ ସମୀକ୍ଷା କରାଯାଇଥିଲା।
ପ୍ରାରମ୍ଭରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ (ଆରଡବ୍ଲୁଏସଏସ) ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ବଢ଼ାଇ ଉପସ୍ଥିତ ଅତିଥି ଓ ଅଧିକାରୀମାନଙ୍କୁ ସ୍ୱାଗତ ଜଣାଇବା ସହ ବୈଠକର ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ଅବଗତ କରାଇଥିଲେ।ବୈଠକରେ ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ, ଜିଲ୍ଲା ସ୍ୱଚ୍ଛ ଭାରତ ଅଭିଯାନ ସଂଯୋଜକ ଅନିଲ କୁମାର ଲେଙ୍କା, ସମସ୍ତ ବ୍ଲକର ବିଡିଓ, ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀ ଓ ବିଭିନ୍ନ ବିଭାଗର ଅଧିକାରୀ ଏବଂ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ।
ବିଶେଷକରି ଜିଲ୍ଲାରେ ଚାଲିଥିବା “ଏସୟୁପି ଫ୍ରୀ ନୂଆପଡ଼ା” ଅଭିଯାନ ଏବଂ “ବର୍ତ୍ତନ ବ୍ୟାଙ୍କ” କାର୍ଯ୍ୟକ୍ରମର ସଫଳତା ବୈଠକର ମୁଖ୍ୟ ଆଲୋଚ୍ୟ ବିଷୟ ଥିଲା। ସମୀକ୍ଷାରୁ ଜଣାପଡ଼ିଛି ଯେ, ୫ ଜୁନ ୨୦୨୫ ଠାରୁ ଆରମ୍ଭ ହୋଇଥିବା “ଏସୟୁପି ଫ୍ରୀ ନୂଆପଡ଼ା” ଅଭିଯାନ ଅଧୀନରେ ଜିଲ୍ଲାବ୍ୟାପୀ ୩,୪୨୧ଟି ସଚେତନତା କାର୍ଯ୍ୟକ୍ରମ ଏବଂ ୭,୪୪୫ଟି ସ୍ୱଚ୍ଛତା ଅଭିଯାନ ଆୟୋଜନ କରାଯାଇଛି।ଏହି ଅଭିଯାନ ମାଧ୍ୟମରେ ୨,୪୮,୩୯୧ କିଲୋଗ୍ରାମ ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ କରାଯାଇଥିବା ବେଳେ ୩,୯୫୬ କିଲୋଗ୍ରାମ ନିଷିଦ୍ଧ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ ଜବତ କରାଯାଇଛି। ଏଥିସହ ନିୟମ ଉଲ୍ଲଙ୍ଘନକାରୀଙ୍କ ଠାରୁ ୪ ଲକ୍ଷ ୪୪ ହଜାର ୫୫୦ ଟଙ୍କା ଜରିମାନା ଆଦାୟ କରାଯାଇଥିବା ସୂଚନା ମିଳିଛି।ସେହିପରି “ବର୍ତ୍ତନ ବ୍ୟାଙ୍କ” କାର୍ଯ୍ୟକ୍ରମରେ ମଧ୍ୟ ଜିଲ୍ଲା ଉଲ୍ଲେଖନୀୟ ସଫଳତା ହାସଲ କରିଛି। ନିର୍ଦ୍ଧାରିତ ୧୭୭ଟି ଲକ୍ଷ୍ୟ ମଧ୍ୟରୁ ୧୭୦ଟି ବର୍ତ୍ତନ ବ୍ୟାଙ୍କ ସ୍ଥାପନ କରାଯାଇ ୯୬.୦୫ ପ୍ରତିଶତ ସଫଳତା ହାସଲ ହୋଇଛି। ବିଶେଷକରି ଗ୍ରାମାଞ୍ଚଳରେ ଧାର୍ଯ୍ୟ ୧୩୧ଟି ଲକ୍ଷ୍ୟର ଶତପ୍ରତିଶତ ସଫଳତା ହାସଲ କରାଯାଇଥିବା ବୈଠକରେ ସୂଚନା ଦିଆଯାଇଥିଲା।ଜିଲ୍ଲାପାଳ ମଧୁସୂଦନ ଦାଶ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା, ଜଳ ଯୋଗାଣ ପ୍ରକଳ୍ପଗୁଡ଼ିକର ସମୟୋପଯୋଗୀ କାର୍ଯ୍ୟକାରିତା ଏବଂ ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ସମାଧାନ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ, ସ୍ୱଚ୍ଛତା, ପରିବେଶ ସୁରକ୍ଷା ଓ ନିରାପଦ ପାନୀୟ ଜଳ ଯୋଗାଣ ହେଉଛି ସୁସ୍ଥ ଓ ସମୃଦ୍ଧ ସମାଜ ଗଠନର ମୂଳ ଆଧାର।ବୈଠକ ଶେଷରେ ଜିଲ୍ଲାରେ ସ୍ୱଚ୍ଛତା, ପ୍ଲାଷ୍ଟିକମୁକ୍ତ ପରିବେଶ ଏବଂ ଘରେ ଘରେ ନିରାପଦ ପାନୀୟ ଜଳ ପହଞ୍ଚାଇବା ପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ଓ ଜନସହଭାଗିତାକୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା।