38
ନୂଆପଡ଼ା- ୨୭/୬ – ନୂଆପଡ଼ା ଜିଲ୍ଲାରେ ଉଦ୍ୟମିତା ବିକାଶ, ସ୍ୱରୋଜଗାରର ପ୍ରୋତ୍ସାହନ ଏବଂ ନୂତନ ଶିଳ୍ପ ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ଜିଲ୍ଲା ଶିଳ୍ପକେନ୍ଦ୍ର ପକ୍ଷରୁ ‘ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ’ ସହିତ ମହିଳା ଉଦ୍ୟମିତା ମଞ୍ଚ ଓଡ଼ିଶା ଅଧ୍ୟାୟର ଶୁଭାରମ୍ଭ ସ୍ଥାନୀୟ ପୁରୁଣା କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଜିଲ୍ଲାରେ ଉଦ୍ୟମିତା ବିକାଶ ଦିଗରେ ଏକ ନୂଆ ଅଧ୍ୟାୟର ସୂଚନା ଦେଇଛି।

କାର୍ଯ୍ୟକ୍ରମରେ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) କ୍ଷେତ୍ରରେ ଥିବା ବ୍ୟାପକ ସମ୍ଭାବନା, ସରକାରୀ ପ୍ରୋତ୍ସାହନ ଯୋଜନା ଏବଂ ଉଦ୍ୟୋଗ ସ୍ଥାପନର ବିଭିନ୍ନ ପ୍ରକ୍ରିୟା ସମ୍ପର୍କରେ ଉଦ୍ୟମୀ ଓ ଯୁବପିଢ଼ୀଙ୍କୁ ସଚେତନ କରାଯାଇଥିଲା। ଜିଲ୍ଲା ଶିଳ୍ପକେନ୍ଦ୍ରର ମହାପ୍ରବନ୍ଧକ ସମୀର ମୁଦୁଲି ଉଦ୍ୟମୀମାନଙ୍କ ପାଇଁ ଉପଲବ୍ଧ ସରକାରୀ ସୁବିଧା ଓ ବିଭିନ୍ନ ଯୋଜନା ବିଷୟରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ।
ପୂର୍ବତନ ଏଲଡିଏମ୍ ସୀତାକାନ୍ତ ମେହେର ବ୍ୟାଙ୍କିଂ ସାକ୍ଷରତା, ଋଣ ସୁବିଧା ଓ ଆର୍ଥିକ ପରିଚାଳନା ସମ୍ପର୍କରେ ଉପସ୍ଥିତ ଅଂଶଗ୍ରହଣକାରୀଙ୍କୁ ଅବଗତ କରାଇଥିଲେ। ସେହିପରି ସଫଳ ଉଦ୍ୟମୀମାନେ ନିଜ ଅନୁଭବ ବାଣ୍ଟି ନୂତନ ଉଦ୍ୟମୀମାନଙ୍କୁ ପ୍ରେରଣା ଯୋଗାଇଥିଲେ।ମୁଖ୍ୟ ଅତିଥି ବିଧାୟକ ଜୟ ଢୋଲକିଆ ଜିଲ୍ଲାରେ ମହିଳାମାନେ ଉଦ୍ୟୋଗ କ୍ଷେତ୍ରରେ ଆଗକୁ ଆସୁଥିବାରୁ ସନ୍ତୋଷ ବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ, ଉଦ୍ୟମୀମାନେ କେବଳ ଲାଭ ଅର୍ଜନ ନୁହେଁ, ବରଂ ଦୂରଦୃଷ୍ଟି, ନୂତନ ଚିନ୍ତାଧାରା ଓ ସୁଦୃଢ଼ ଯୋଜନା ସହ ଆଗକୁ ବଢ଼ିବା ଆବଶ୍ୟକ। ଆରସେଟି ତାଲିମ ସମାପ୍ତ କରିଥିବା ମହିଳାମାନଙ୍କୁ ତାଙ୍କ ପିତାଙ୍କ ଟ୍ରଷ୍ଟ ମାଧ୍ୟମରେ ୫୦ ପ୍ରତିଶତ ସବସିଡିରେ ସିଲାଇ ମେସିନ୍ ପ୍ରଦାନ କରାଯିବ ବୋଲି ସେ ଘୋଷଣା କରିଥିଲେ।
ଜିଲ୍ଲାପାଳ ମଧୁସୂଦନ ଦାଶ ନୂଆପଡ଼ା ଜିଲ୍ଲାରେ ଏମ୍ଏସ୍ଏମ୍ଇ କ୍ଷେତ୍ରରେ ଅପାର ସମ୍ଭାବନା ରହିଥିବା ଉଲ୍ଲେଖ କରି ଯୁବପିଢ଼ୀଙ୍କୁ ଚାକିରି ଖୋଜୁଥିବା ମନୋଭାବରୁ ବାହାରି ନିଜେ ନିଯୁକ୍ତିଦାତା ହେବାକୁ ଆହ୍ୱାନ କରିଥିଲେ।
କାର୍ଯ୍ୟକ୍ରମ ଶେଷରେ ଅତିଥିମାନେ ୨୦ଟି ଉଦ୍ୟମୀ ଷ୍ଟଲ୍ର ଉଦ୍ଘାଟନ କରିଥିଲେ। ଏହି ଅବସରରେ ବହୁ ସଂଖ୍ୟକ ଉଦ୍ୟମୀ, ମହିଳା ଅଂଶଗ୍ରହଣକାରୀ ଓ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମଟି ନୂଆପଡ଼ା ଜିଲ୍ଲାରେ ଉଦ୍ୟମିତା ଓ ଆତ୍ମନିର୍ଭରତାର ଏକ ନୂଆ ଦିଗ ଉନ୍ମୋଚନ କରିଥିବା ମତ ପ୍ରକାଶ ପାଇଛି।