81
ପ୍ରାଥମିକ ଆକଳନ ଅନୁଯାୟୀ ୬୧ ଟି କଚ୍ଚା ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏପର୍ଯ୍ୟନ୍ତ କୌଣସି ଜନହାନି କିମ୍ବା ପ୍ରାଣୀହାନିର ସୂଚନା ମିଳିନାହିଁ। ୨୪ ରୁ ୩୦ ଜୁଲାଇ ମଧ୍ୟରେ ଜିଲ୍ଲାରେ ହାରାହାରି ୩୦୭.୩ ମିଲିମିଟର ବର୍ଷା ରେକର୍ଡ ହୋଇଛି।
ନୂଆପଡ଼ା -୩୦/୦୭- ଲଗାଣ ବର୍ଷା ଯୋଗୁଁ ନୂଆପଡ଼ା ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ସଦୃଶ ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସତର୍କ ରହିଛି। ଜିଲ୍ଲାପାଳ ମଧୁସୂଦନ ଦାଶ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ନୂଆପଡ଼ା, କୋମନା, ବୋଡେନ ଓ ଖଡ଼ିଆଳ ବ୍ଲକର ୯ ଟି ପଞ୍ଚାୟତ, ୧୩ ଟି ଗ୍ରାମ ଏବଂ ନୂଆପଡ଼ା ଏନ୍ଏସି ପ୍ରଭାବିତ ହୋଇଛି।
ପ୍ରଭାବିତ ଅଞ୍ଚଳରୁ ୩୮୫ ଜଣଙ୍କୁ ସୁରକ୍ଷିତ ଭାବେ ୬ ଟି ଆଶ୍ରୟସ୍ଥଳୀ କୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କୁ ଖାଦ୍ୟ, ପାନୀୟ ଜଳ ଓ ସମସ୍ତ ଆବଶ୍ୟକୀୟ ସୁବିଧା ଯୋଗାଇ ଦିଆଯାଉଛି। ପ୍ରଭାବିତ ପରିବାରମାନେ ଘରକୁ ଫେରିବା ପର୍ଯ୍ୟନ୍ତ ମାଗଣା ରନ୍ଧାଖାଦ୍ୟ ବଣ୍ଟନ ଜାରି ରହିବ।
ଖଡ଼ିଆଳ ବ୍ଲକର ବିରିଘାଟ ନିକଟରେ ବନ୍ୟାଜଳରେ ଫସିଥିବା ୮ ଜଣଙ୍କୁ ଓଡ୍ରାଫ, ଅଗ୍ନିଶମ ବାହିନୀ ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ସୁରକ୍ଷିତ ଉଦ୍ଧାର କରାଯାଇଛି।