79
ନୂଆପଡ଼ା -୩୧/୦୭- ଜିଲ୍ଲା ଆଇନ ସେବା ପ୍ରାଧିକରଣର ଆନୁକୂଲ୍ୟରେ ଖରିଆର ରୋଡ଼ ସ୍ଥିତ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ଏକ ସଚେତନତାମୂଳକ ଆଇନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଛି। ଏହି ଶିବିରରେ ମହମ୍ମଦ ଅହମଦ ଖାନ୍ ବନାମ ଶାହବାନୋ ବେଗମ ଓ ଅନ୍ୟମାନେ (ଫୌଜଦାରୀ ଅପିଲ ନଂ. ୧୦୩/୧୯୮୧) ମାମଲାର ଐତିହାସିକ ରାୟର ଓଡ଼ିଆ ଅନୁବାଦ ଉପରେ ଛାତ୍ରୀମାନଙ୍କୁ ବିସ୍ତୃତ ଭାବେ ଅବଗତ କରାଯାଇଥିଲା।

ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ଖରିଆର ରୋଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ କୁରୁକ୍ଷେତ୍ର ନାୟକ, ପ୍ୟାନେଲ ଓକିଲ ବଳଦେବ ରଥ, ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରବୋଧ କୁମାର ହୋତା, ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରୀ ଓ ଅଧିକାରମିତ୍ର ସାବିତ୍ରୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ସଚିବ ନବନୀତା ଦାଶ ମହିଳାଙ୍କ ପ୍ରତି ଘଟୁଥିବା ଘରୋଇ ହିଂସା, ଯୌତୁକଜନିତ ନିର୍ଯାତନା, ଭରଣପୋଷଣ ଅଧିକାର ଏବଂ ମହିଳାଙ୍କ ସାମ୍ବିଧାନିକ ଓ ଆଇନଗତ ସୁରକ୍ଷା ବିଷୟରେ ଆଲୋଚନା କରିଥିଲେ। ସେହିପରି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଦାନ କରାଯାଉଥିବା ମାଗଣା ଆଇନ ସହାୟତା ସମ୍ପର୍କରେ ମଧ୍ୟ ବିସ୍ତୃତ ସୂଚନା ଦେଇଥିଲେ।