43
ନୂଆପଡ଼ା – ୦୨/୦୮ – ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ବ୍ଲକରେ ସମ୍ପ୍ରତି ହୋଇଥିବା ବନ୍ୟା ଯୋଗୁଁ ସୃଷ୍ଟି ହୋଇଥିବା କ୍ଷୟକ୍ଷତିର ସରଜମିନ ଆକଳନ ପାଇଁ ଲୋକପ୍ରତିନିଧି, ଜିଲ୍ଲା ପ୍ରଶାସନ ଓ ଗ୍ରାମବାସୀଙ୍କ ମିଳିତ ଉପସ୍ଥିତିରେ ବିଭିନ୍ନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରାଯାଇଛି। ବନ୍ୟା ପ୍ରଭାବିତ ଗ୍ରାମଗୁଡ଼ିକ ରେ ପହଞ୍ଚି କ୍ଷତିଗ୍ରସ୍ତ ସଡ଼କ, ସେତୁ, ଚାଷଜମି ଓ ଅନ୍ୟାନ୍ୟ ଭିତ୍ତିଭୂମି ସଂରଚନାର ସ୍ଥିତି ସମ୍ପର୍କରେ ସରଜମିନ ତଦନ୍ତ କରାଯାଇଥିଲା।
ଏହି ପରିଦର୍ଶନରେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଖଡ଼ିଆଳ ବିଡିଓ ମିଳନ କୁମାର ଝଙ୍କାର, କୃଷକ ଶକ୍ତି ସଙ୍ଗଠନର ଆବାହକ ସଞ୍ଜୟ ତିୱାରୀ, ସମାଜସେବୀ ଅକ୍ଷୟ ନନ୍ଦଙ୍କ ସହ ଅନ୍ୟାନ୍ୟ ଅଧିକାରୀ ଓ ଗ୍ରାମବାସୀ ଯୋଗଦେଇ କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିଥିଲେ।
ଚଳିତ ବର୍ଷର ଲଗାଣ ବର୍ଷା ଓ ବନ୍ୟାରେ ସୁନ୍ଦର ନଦୀର ଉଭୟ ପାର୍ଶ୍ୱରେ ବ୍ୟାପକ କ୍ଷତି ଘଟିଛି। ବନ୍ୟାର ପ୍ରବଳ ସ୍ରୋତରେ ଅନେକ ସ୍ଥାନରେ ବ୍ରିଜ୍ ଓ ଏପ୍ରୋଚ୍ ରୋଡ଼ କ୍ଷତିଗ୍ରସ୍ତ ହୋଇଥିବା ବେଳେ କଂକ୍ରିଟ ସଡ଼କ ମଧ୍ୟ ଭାସିଯାଇଛି। ବହୁ ଚାଷଜମିରେ ବାଲିଚର ସୃଷ୍ଟି ହୋଇଥିବାରୁ ଆଗାମୀ ଦିନରେ ସେଗୁଡ଼ିକ ଚାଷଯୋଗ୍ୟ ରହିବା ନେଇ ଚାଷୀମାନେ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି।
ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ କହିଛନ୍ତି ଯେ, ବାଲିଚର ରେ ପରିଣତ ହୋଇଥିବା ଚାଷଜମିର ପୁନରୁଦ୍ଧାର ପାଇଁ ସରକାର ପକ୍ଷରୁ ଅତି କମରେ ପାଞ୍ଚ ବର୍ଷ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରାଯିବା ଆବଶ୍ୟକ। ସେ ଏହି ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ସମଗ୍ର ବନ୍ୟା ପରିସ୍ଥିତି ଓ କ୍ଷତି ସମ୍ପର୍କରେ ଅବଗତ କରାଇବେ ବୋଲି ଜଣାଇଛନ୍ତି।
ପରିଦର୍ଶନ ସମୟରେ ଖଡ଼ିଆଳ ବ୍ଲକର ଘରଧରା, ବରଗାଁ, ଖୁଦପେଜ, ନେହେନା, ଗୋଡ଼ଧୁଆପଦର ସମେତ ନଦୀକୂଳବର୍ତ୍ତୀ ଅନେକ ଗ୍ରାମରେ ସଡ଼କ, ସଂଯୋଗ ପଥ ଓ ବ୍ରିଜ୍ର ଭୟାବହ କ୍ଷତି ଦେଖାଯାଇଥିଲା। ବିଶେଷକରି ଗୋଡ଼ଧୁଆପଦର ଅଞ୍ଚଳର ଏକ ଏପ୍ରୋଚ୍ ବ୍ରିଜ୍ରେ ବଡ଼ ଫାଟ ସୃଷ୍ଟି ହୋଇଥିବାରୁ ଯାତାୟାତ ବିପଦପୂର୍ଣ୍ଣ ହୋଇପଡ଼ିଛି।ଏହି ସରଜମିନ ତଦନ୍ତ ଆଧାରରେ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ଦାଖଲ କରାଯିବ। କ୍ଷତିଗ୍ରସ୍ତ ଅଞ୍ଚଳର ପୁନର୍ନିର୍ମାଣ, ସଡ଼କ ଓ ବ୍ରିଜ୍ର ମରାମତି, ଚାଷଜମିର ପୁନରୁଦ୍ଧାର, ବିଦ୍ୟୁତ ସେବାର ସ୍ୱାଭାବିକୀକରଣ ଏବଂ ଆବଶ୍ୟକ ସ୍ଥାନରେ ନୂତନ ଟ୍ରାନ୍ସଫର୍ମର ସ୍ଥାପନ ପାଇଁ ସ୍ୱତନ୍ତ୍ର ପାଣ୍ଠି ବ୍ୟବସ୍ଥା କରିବାକୁ ଦାବି କରାଯିବ ବୋଲି ସୂଚନା ମିଳିଛି।