Home ରାଜ୍ୟଉତ୍ତରାଖଣ୍ଡ ସୀମାନ୍ତ ରେ ଓଡ଼ିଶା ଯୁବକଙ୍କ କମାଲ : ‘ବିକସିତ ଭାଇବ୍ରାଣ୍ଟ ଭିଲେଜ’ କାର୍ଯ୍ୟକ୍ରମରେ ସାମିଲ ହେଲେ ୧୩ ପ୍ରତିନିଧି!

ଉତ୍ତରାଖଣ୍ଡ ସୀମାନ୍ତ ରେ ଓଡ଼ିଶା ଯୁବକଙ୍କ କମାଲ : ‘ବିକସିତ ଭାଇବ୍ରାଣ୍ଟ ଭିଲେଜ’ କାର୍ଯ୍ୟକ୍ରମରେ ସାମିଲ ହେଲେ ୧୩ ପ୍ରତିନିଧି!

by Maraguda Express
0 comments
ନୂଆପଡା -୨୫/୬- ଉତ୍ତରାଖଣ୍ଡର ରଣନୀତିକ ଦୃଷ୍ଟିରୁ ସମ୍ବେଦନଶୀଳ ଉତ୍ତରକାଶୀ ଜିଲ୍ଲାରେ ପ୍ରଥମ ଥର ପାଇଁ ସଫଳତାର ସହ ସମ୍ପନ୍ନ ହୋଇଯାଇଛି ସାତ ଦିନିଆ ‘ବିକସିତ ଭାଇବ୍ରାଣ୍ଟ ଭିଲେଜ’ କାର୍ଯ୍ୟକ୍ରମ। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଏବଂ ‘ମାଇଁ ଭାରତ’ ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ସ୍ୱତନ୍ତ୍ର ଅଭିଯାନରେ ସାରା ଦେଶର ମେଧାବୀ ଯୁବକମାନେ ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି। ‘ମାଇଁ ଭାରତ’ ୱେବସାଇଟ୍‌ ରେ ଆୟୋଜିତ ଏକ ଜାତୀୟ ସ୍ତରର କୁଇଜ୍ ପ୍ରତିଯୋଗିତାର ରାଙ୍କ୍ ଭିତ୍ତିରେ ଏହି ଯୁବ ପ୍ରତିନିଧିମାନଙ୍କୁ ଚୟନ କରାଯାଇଥିଲା।
ଚଳିତ ମାସ ୧୫ ଜୁନ ଠାରୁ ୨୨ ଜୁନ ୨୦୨୬ ପର୍ୟ୍ୟନ୍ତ ଏହି ସାତ ଦିନିଆ କ୍ୟାମ ରେ ନୂଆପଡ଼ା ର କୌଶଳ ଙ୍କ ସହ ୧୩ ଜଣିଆ ଯୁବ ପ୍ରତିନିଧି ମଣ୍ଡଳ ସାମିଲ ହୋଇଥିଲେ।
ଏହି ପ୍ରତିଷ୍ଠିତ ଜାତୀୟ କାର୍ଯ୍ୟକ୍ରମରେ ଓଡ଼ିଶାରୁ ୧୩ ଜଣ ଯୁବ ପ୍ରତିନିଧି ଯୋଗ ଦେଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଏଥିମଧ୍ୟରେ ନୂଆପଡ଼ା ଜିଲ୍ଲାର ଉଦୀୟମାନ ଯୁବକ କୌଶଳ ଚନ୍ଦ୍ରକାର ଙ୍କ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାର ସାହସୀ ଯୁବକମାନେ ସାମିଲ ଥିଲେ।
ପାରମ୍ପରିକ ଶୈଳୀରେ ଭବ୍ୟ ସ୍ୱାଗତ
ପ୍ରତିଯୋଗୀମାନେ ପ୍ରଥମେ ଦେହରାଦୁନ ବେସ୍ କ୍ୟାମ୍ପରେ ପହଞ୍ଚିବା ପରେ ସେଠାରୁ ଦୁର୍ଗମ ଉତ୍ତରକାଶୀ ଅଭିମୁଖେ ଯାତ୍ରା କରିଥିଲେ। ସୀମାନ୍ତ ଜିଲ୍ଲାରେ ପହଞ୍ଚିବା ପରେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ସେମାନଙ୍କୁ ପାରମ୍ପରିକ ‘ପାହାଡ଼ି ଟୋପି’ ଏବଂ ‘ଗମୁଛା’ ପ୍ରଦାନ କରି ଭବ୍ୟ ସ୍ୱାଗତ କରାଯାଇଥିଲା, ଯାହା ସେମାନଙ୍କ ମନରେ ଏକ ଭିନ୍ନ ଜୋସ୍ ଭରି ଦେଇଥିଲା।
ଗ୍ରାମୀଣ ଜୀବନ ଓ ସଂସ୍କୃତିର ଅନୁଭୂତି।
ଏହି ସାତ ଦିନିଆ କାର୍ଯ୍ୟକ୍ରମରେ ଭିନ୍ନ ଭିନ୍ନ ରାଜ୍ୟ ର ଯୁବକମାନଙ୍କୁ ସୀମାନ୍ତ ଗ୍ରାମଗୁଡ଼ିକ ରେ ରହିବାର ସୁଯୋଗ ମିଳିଥିଲା ଯଥା ଓଡ଼ିଶାର ଯୁବକ ଦଳ ସୁଖି ଗ୍ରାମ , ଅରୁଣାଚଳ ପ୍ରଦେଶର ଯୁବକ ଦଳ ଝାଲା ଗ୍ରାମ ଓ ହିମାଚଳ ପ୍ରଦେଶ ର ଯୁବକ ଦଳ ବଗୋରୀ ଗ୍ରାମ ରେ ରହିଥିଲେ।ଯୁବ ପ୍ରତିନିଧିମାନେ ଏହି ସୀମାନ୍ତ ଅଞ୍ଚଳର ଗ୍ରାମ ଗୁଡ଼ିକ ବୁଲି ସ୍ଥାନୀୟ ଲୋକଙ୍କ ସରଳ ଜୀବନଶୈଳୀ, ସେମାନଙ୍କର ସମୃଦ୍ଧ ସଂସ୍କୃତି ଏବଂ ଦୈନନ୍ଦିନ ଜୀବନରେ ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ବିଷୟରେ ପ୍ରତ୍ୟକ୍ଷ ଜ୍ଞାନ ଆହରଣ କରିଥିଲେ।
ଗଙ୍ଗୋତ୍ରୀ ଦର୍ଶନ ଏବଂ ବନ୍ୟା ବିପନ୍ନଙ୍କ ଦୁଃଖଦ କାହାଣୀ । ଏହି ଯାତ୍ରା ସମୟରେ ଯୁବକମାନେ ପବିତ୍ର ଗଙ୍ଗୋତ୍ରୀ ଧାମ ଏବଂ ଐତିହାସିକ ଜାଦୁଙ୍ଗା ଗ୍ରାମ ପରିଦର୍ଶନ କରିବାର ସୌଭାଗ୍ୟ ଲାଭ କରିଥିଲେ। ଏହା ସହ ୨୦୨୫ ମସିହାରେ ଆସିଥିବା ଭୟାବହ ବନ୍ୟାର ପ୍ରଳୟଙ୍କରୀ ରୂପକୁ ନିକଟରୁ ଅନୁଭବ କରିଥିବା ଦୁଇ ଜଣ ବଞ୍ଚି ଯାଇଥିବା ସ୍ଥାନୀୟ ବ୍ୟକ୍ତିଙ୍କ ସହ ସେମାନେ ଆଲୋଚନା କରିଥିଲେ। ସେମାନଙ୍କ ମୁହଁରୁ ଶୁଣିଥିବା ସେହି ଦୁଃଖଦ ଓ ରୋମାଞ୍ଚକର ଅନୁଭବ ଯୁବ ପ୍ରତିନିଧିଙ୍କୁ ମର୍ମାହତ କରିଥିଲା।କେବଳ ଭ୍ରମଣ ନୁହେଁ, ବରଂ ସୀମାନ୍ତ ଗ୍ରାମଗୁଡ଼ିକ ର ବିକାଶ ପାଇଁ ଏହି ଯୁବ ଦଳ ନିଜର ସମଗ୍ର ଅନୁଭୂତି, ସମସ୍ୟା ଏବଂ ସେଗୁଡ଼ିକର ସମାଧାନର ସୂତ୍ର କୁ ନେଇ କେନ୍ଦ୍ର ସରକାର ଙ୍କୁ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିଛନ୍ତି। ଏହି ରିପୋର୍ଟ ଆଗାମୀ ଦିନରେ ‘ଭାଇବ୍ରାଣ୍ଟ ଭିଲେଜ୍’ ଗୁଡ଼ିକର ରୂପରେଖ ବଦଳାଇବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha