82

ନୂଆପଡ଼ା – ୨୫/୬- ଖରିଆର ରୋଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) କାର୍ଯ୍ୟାଳୟ ପ୍ରାଙ୍ଗଣରେ ରାଜ୍ୟସ୍ତରୀୟ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ଭାଗିଦାରୀ କାର୍ଯ୍ୟକ୍ରମ ‘ବିକାଶର ଧାରା – ଓଡ଼ିଶା ସାରା’ ଭବ୍ୟ ଓ ଆଡ଼ମ୍ବରପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି। ସହରାଞ୍ଚଳର ବିକାଶ, ଜନସହଭାଗିତା ଓ ନୂତନ ଉନ୍ନୟନ ଦିଗକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ଉତ୍ସାହ ସୃଷ୍ଟି କରିଥିଲା।
ଏନଏସି ଅଧ୍ୟକ୍ଷା ଡ଼. ସୋନିଆ ଜୈନଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଖରିଆର ରୋଡ଼ର ଆଗାମୀ ବିକାଶ ରୂପରେଖା ଉପସ୍ଥାପିତ ହେବା ସହ ସହରର ସାମଗ୍ରିକ ଉନ୍ନତି ପାଇଁ ବିଭିନ୍ନ ଯୋଜନା ଓ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।
କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ୧୨ ବର୍ଷର ଜନକଲ୍ୟାଣମୂଳକ ଶାସନ, ରାଜ୍ୟ ସରକାରଙ୍କ ୨ ବର୍ଷର ନିରନ୍ତର ଜନସେବା ଓ ଖରିଆର ରୋଡ଼ ଏନଏସିର ୪ ବର୍ଷର ଗୌରବମୟ ବିକାଶ ଯାତ୍ରାକୁ ଉପସ୍ଥାପନ କରାଯାଇଥିଲା। ବିଭିନ୍ନ ଜନହିତକାରୀ ଯୋଜନା ଓ ସହରାଞ୍ଚଳର ଭବିଷ୍ୟତ ବିକାଶ ଦିଗକୁ ନେଇ ଉପସ୍ଥିତ ଜନସାଧାରଣଙ୍କ ସହ ମତବିନିମୟ ମଧ୍ୟ କରାଯାଇଥିଲା।
ଏହି ଅବସରରେ ବରିଷ୍ଠ ନେତୃତ୍ୱ ଓ ଜନସାଧାରଣଙ୍କ ଏକ ମହାମିଳନ ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମରେ ନୂଆପଡ଼ାର ମାନ୍ୟବର ବିଧାୟକ ଜୟ ଢୋଲକିଆ, କଳାହାଣ୍ଡିର ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା, ସାଂସଦ ପ୍ରତିନିଧି ସୋମନାଥ ଅଗ୍ରୱାଲ (ଗୋଲ୍ଡି), ପରିଷଦର ଉପାଧ୍ୟକ୍ଷ ନିଶାନ୍ତ ଡାଗା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ କମଳାସନ ରଥ ପ୍ରମୁଖ ମଞ୍ଚାସୀନ ଥିଲେ।
ବକ୍ତାମାନେ ତାଙ୍କ ଉଦବୋଧନ ରେ କହିଥିଲେ ଯେ, ଜନସହଭାଗିତା ବିନା ବିକାଶ ସମ୍ଭବ ନୁହେଁ। ନାଗରିକଙ୍କ ସକ୍ରିୟ ସହଯୋଗ ଓ ସଚେତନ ଭାଗିଦାରୀ ହିଁ ଏକ ସୁସ୍ଥ, ସ୍ୱଚ୍ଛ ଓ ଆଧୁନିକ ସହର ଗଠନର ମୂଳ ଆଧାର।ଏହି ଭବ୍ୟ ସମାବେଶରେ ସମସ୍ତ ପାରିଷଦବୃନ୍ଦ, ବିଭିନ୍ନ ଗଣମାନ୍ୟ ବ୍ୟକ୍ତିବର୍ଗ ଓ ବିପୁଳ ସଂଖ୍ୟକ ନଗରବାସୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳତାର ସହ ସମ୍ପନ୍ନ କରିଥିଲେ।
“ଜନସହଭାଗିତା ହିଁ ବିକାଶର ମୂଳମନ୍ତ୍ର, ଆଉ ବିକାଶ ହିଁ ଆମର ସଂକଳ୍ପ”— ଏହି ବାର୍ତ୍ତାକୁ ନେଇ ଖରିଆର ରୋଡ଼କୁ ଏକ ସ୍ୱଚ୍ଛ, ସୁନ୍ଦର, ଆଧୁନିକ ଓ ବିକଶିତ ନଗରରେ ପରିଣତ କରିବା ପାଇଁ ପ୍ରଶାସନ ଓ ଜନପ୍ରତିନିଧିମାନଙ୍କ ପ୍ରୟାସ ନିରନ୍ତର ଜାରି ରହିବ ବୋଲି ମତ ପ୍ରକାଶ ପାଇଥିଲା।