Home ରାଜ୍ୟଏସଏସଡି ବିଦ୍ୟାଳୟ ଓ ଛାତ୍ରାବାସର ହେବ କାୟାକଳ୍ପ : ଶିକ୍ଷାର ମାନ ବଢ଼ାଇବାକୁ ପ୍ରତି ସପ୍ତାହରେ ହେବ ପରୀକ୍ଷା।

ଏସଏସଡି ବିଦ୍ୟାଳୟ ଓ ଛାତ୍ରାବାସର ହେବ କାୟାକଳ୍ପ : ଶିକ୍ଷାର ମାନ ବଢ଼ାଇବାକୁ ପ୍ରତି ସପ୍ତାହରେ ହେବ ପରୀକ୍ଷା।

ପ୍ଲାଷ୍ଟିକ ମୁକ୍ତ ହେବ କ୍ୟାମ୍ପସ, ବ୍ୟବହାର ହେବ ଷ୍ଟିଲ୍ ବୋତଲ। ପୂର୍ବତନ ସଫଳ ଛାତ୍ରଛାତ୍ରୀଙ୍କୁ ନେଇ ତିଆରି ହେବ ‘ହଲ୍ ଅଫ୍ ଫେମ୍’ ।

by Maraguda Express
0 comments
ନୂଆପଡ଼ା – ୦୪/୦୬- ନୂଆପଡ଼ା ଜିଲ୍ଲାରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିକାଶ ବିଭାଗ (ଏସଏସଡି) ଅଧୀନରେ ପରିଚାଳିତ ବିଦ୍ୟାଳୟ ଏବଂ ଛାତ୍ରାବାସ ଗୁଡ଼ିକର ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ର ସମ୍ମିଳନୀ କକ୍ଷରେ ଏହି ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।
ବୈଠକ ପ୍ରାରମ୍ଭରେ ଭାରପ୍ରାପ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସଞ୍ଜୟ ଭୋଇ ସ୍ୱାଗତ ଭାଷଣ ଦେବା ସହ ବୈଠକର ମୂଳ ଉଦ୍ଦେଶ୍ୟ ଏବଂ ବିଭାଗୀୟ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ।
ଶିକ୍ଷାର ମାନ ବୃଦ୍ଧି ଓ ସାପ୍ତାହିକ ପରୀକ୍ଷା-
ଚଳିତ ବର୍ଷର ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳକୁ ସମୀକ୍ଷା କରି ଜିଲ୍ଲାପାଳ ଶିକ୍ଷାର ଗୁଣବତ୍ତା ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି।
ସମସ୍ତ ବିଦ୍ୟାଳୟରେ ଆଭ୍ୟନ୍ତରୀଣ ଅଡିଟ୍ କରିବାକୁ ସେ ପ୍ରଧାନ ଶିକ୍ଷକମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ଅଷ୍ଟମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସାପ୍ତାହିକ ପରୀକ୍ଷା ବ୍ୟବସ୍ଥା କରାଯିବ।
ପରୀକ୍ଷାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରୁଥିବା ମେଧାବୀ ଛାତ୍ରଛାତ୍ରୀମାନେ ଅନ୍ୟ ସହପାଠୀମାନଙ୍କୁ ପାଠପଢ଼ାରେ ସହଯୋଗ କରିବେ, ଯାହାଦ୍ୱାରା ସମସ୍ତଙ୍କର ଉନ୍ନତି ହୋଇପାରିବ।
ପ୍ଲାଷ୍ଟିକ୍ ମୁକ୍ତ କ୍ୟାମ୍ପସ ଓ ପରିବେଶ ସଚେତନତା ପାଇଁ ପଦକ୍ଷେପ-
ବିଦ୍ୟାଳୟ ଏବଂ ଛାତ୍ରାବାସଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ ମୁକ୍ତ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପ୍ଲାଷ୍ଟିକ୍ ବୋତଲ ବଦଳରେ ଷ୍ଟିଲ୍ ବୋତଲ ବ୍ୟବହାର କୁ ପ୍ରୋତ୍ସାହିତ କରିବା ସହ ପିଲାମାନଙ୍କ ମଧ୍ୟରେ ପରିବେଶ ସୁରକ୍ଷା ନେଇ ସଚେତନତା ସୃଷ୍ଟି କରିବାକୁ ସେ କହିଛନ୍ତି।
ଗ୍ରୀଷ୍ମକାଳୀନ ଛୁଟି ପରେ ସ୍କୁଲ ଖୋଲିବା ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସମସ୍ତ ଛାତ୍ରାବାସ ରେ ଜିରୋ ବଲ୍‌ବ ସ୍ଥାପନ ଏବଂ ବୈଦ୍ୟୁତିକ ବ୍ୟବସ୍ଥାର ମରାମତି ଶେଷ କରିବାକୁ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀମାନଙ୍କୁ କୁହାଯାଇଛି।
ଛାତ୍ରଛାତ୍ରୀଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳର ସୁବିଧା ସୁନିଶ୍ଚିତ କରିବାକୁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗକୁ ଜିଲ୍ଲାପାଳ ବିଶେଷ ଦାୟିତ୍ୱ ଦେଇଛନ୍ତି।
‘ହଲ୍ ଅଫ୍ ଫେମ୍’ ଏବଂ ଆଲୁମନି ମିଟ୍
ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଯୋଗାଇବା ପାଇଁ ଏକ ଅଭିନବ ପ୍ରୟାସ କରାଯିବ। ପ୍ରତ୍ୟେକ ବିଦ୍ୟାଳୟରେ ସେହି ସ୍କୁଲରୁ ପାଠ ପଢ଼ି ସଫଳ ହୋଇଥିବା କୃତୀ ପୂର୍ବତନ ଛାତ୍ରଛାତ୍ରୀଙ୍କ ଫଟୋ ଓ ସଫଳତାର କାହାଣୀକୁ ନେଇ ଏକ ‘ହଲ୍ ଅଫ୍ ଫେମ୍’ ସ୍ଥାପନ କରାଯିବ। ଏହାସହ ସେମାନଙ୍କୁ ବିଦ୍ୟାଳୟ ସହ ଯୋଡ଼ି ରଖିବା ପାଇଁ ପ୍ରତିବର୍ଷ ‘ଆଲୁମନି ମିଟ୍’ (ବନ୍ଧୁମିଳନ) ଆୟୋଜନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ବୈଠକରେ ଉପସ୍ଥିତ ପ୍ରମୁଖ ବ୍ୟକ୍ତିବିଶେଷ ଏହି ଉଚ୍ଚସ୍ତରୀୟ ବୈଠକରେ ବିଦ୍ୟାଳୟ ଉପନିରୀକ୍ଷକ ଉଦୟ ସିଂ ମାଝୀ, ସଦର ସହକାରୀ ଜିଲ୍ଲା ମଙ୍ଗଳ ଅଧିକାରୀ କୌଶଲ୍ୟା ମାଝୀ, ସମସ୍ତ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ, ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha