45
ନୂଆପଡ଼ା -୦୧/୦୪- ନୂଆପଡ଼ା ସଦର ବ୍ଳକ୍ ଅନ୍ତର୍ଗତ କେନ୍ଦୁବାହାରା ସରକାରୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶାରୀରିକ ଶିକ୍ଷୟିତ୍ରୀ ପିଇଟି ସୁଶ୍ରୀ ଗୋଦାବରୀ ରାଉତରାୟଙ୍କ ଅବସର ଗ୍ରହଣ ଉପଲକ୍ଷେ ବିଦ୍ୟାଳୟ ପରିସରରେ ଏକ ଗୌରବମୟ ତଥା ଭାବପୂର୍ଣ୍ଣ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ବର୍ଷର ନିଷ୍ଠାପର ସେବା ଓ ଶୃଙ୍ଖଳିତ ଶିକ୍ଷାଦାନ ପରେ ତାଙ୍କର ଏହି ବିଦାୟକାଳୀନ ମୁହୂର୍ତ୍ତ ବିଦ୍ୟାଳୟ ପରିସରରେ ଏକ ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା।ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ରାଜେନ୍ଦ୍ର କୁମାର ଦଣ୍ଡସେନାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ଓପିଟିଏ ର ଜିଲ୍ଲା ସଭାପତି ଜିତେନ୍ଦ୍ର ଖମାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେ ନିଜ ଅଭିଭାଷଣରେ ସୁଶ୍ରୀ ରାଉତରାୟଙ୍କ କର୍ତ୍ତବ୍ୟପରାୟଣତା ଓ କ୍ରୀଡ଼ା କ୍ଷେତ୍ରରେ ତାଙ୍କର ଅବଦାନକୁ ଭୂୟସୀ ପ୍ରଶଂସା କରିଥିଲେ। ସେହିପରି ଶାରୀରିକ ଶିକ୍ଷକ ମହତାବ ଅଡଜୁଆଡ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଶିକ୍ଷୟିତ୍ରୀଙ୍କ ସଫଳ କର୍ମମୟ ଜୀବନର ସ୍ମୃତି ଚାରଣ କରିବା ସହ ତାଙ୍କର ଭବିଷ୍ୟତ ଜୀବନର ମଙ୍ଗଳ କାମନା କରିଥିଲେ।ବିଦ୍ୟାଳୟର ସହକାରୀ ଶିକ୍ଷକ କିଶୋର ପ୍ରଧାନ ଅତି ଚମତ୍କାର ଭାବେ ମଞ୍ଚ ପରିଚାଳନା କରିଥିବା ବେଳେ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଶେଷରେ ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ସୀମା ସାହୁ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ସମ୍ବର୍ଦ୍ଧନା ସଭାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ସୁଶ୍ରୀ ଗୋଦାବରୀ ରାଉତରାୟଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର ଓ ଉପହାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। ତାଙ୍କର ଅବସର ବିଦ୍ୟାଳୟ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସଭାରେ ମତ ପ୍ରକାଶ ପାଇଥିଲା।