44


ନୂଆପଡ଼ା -୦୧/୦୪- ନୂଆପଡ଼ା ଜିଲ୍ଲାରେ ଜିଲ୍ଲା ସ୍ତରୀୟ ୯୧ତମ ଓଡିଶା ଦିବସ ତଥା ୩୪ ତମ ଜିଲ୍ଲା ପ୍ରତିଷ୍ଠା ଦିବସ ସମରୋହ ଆଜି ଜିଲ୍ଲା ସଦର ମହକୁମା ସ୍ଥିତ ନେସନାଲ ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ, ସକାଳ ୮:୩୦ ଘଟିକା ସମୟରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଭାତ ଫେରି ହୋଇଥିଲା। ପରେ ଏକତା ଛକରେ ଅବସ୍ଥିତ ଘାସିରାମ ମାଝୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ନେସନାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ସାଧାରଣ ସଭାରେ ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ ସିଂ, ଡିଏଫଓ (ବନ୍ୟପ୍ରାଣୀ) ସମୀର ସାହୁ, ଜିଲ୍ଲା କ୍ରିଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢ଼ାଇ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମାକାନ୍ତ ବିଶ୍ୱାସ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାପାଳ ତାଙ୍କ ଉଦ୍ବୋଧନରେ କହିଥିଲେ ଯେ, ଓଡିଶାକୁ ଭାଷା ଆଧାରରେ ସ୍ୱତନ୍ତ୍ର ରାଜ୍ୟ ରୂପେ ଗଠନ କରିବାରେ ଯେଉଁ ବରପୁତ୍ର ମାନଙ୍କ ଅମୂଲ୍ୟ ଅବଦାନ ରହିଛି, ସେମାନଙ୍କୁ କେବଳ ସ୍ମରଣ କରିବାରେ ଆମେ ସୀମିତ ରହିବା ଉଚିତ୍ ନୁହେଁ; ବରଂ ସେମାନଙ୍କ ଆଦର୍ଶ ଓ କାର୍ଯ୍ୟକୁ ଅନୁସରଣ କରିବା ଦ୍ୱାରା ସମାଜ ଓ ଜିଲ୍ଲାର ସର୍ବାଙ୍ଗୀଣ ଉନ୍ନତି ସମ୍ଭବ। ନୂଆପଡ଼ାକୁ ଏକ ଉନ୍ନତ ଜିଲ୍ଲାରେ ପରିଣତ କରିବା ପାଇଁ ସମସ୍ତଙ୍କ ସକ୍ରିୟ ସହଭାଗିତା ଅତ୍ୟାବଶ୍ୟକ ବୋଲି ସେ ଉଲ୍ଲେଖ କରିଥିଲେ।