14
ନୂଆପଡ଼ା – ୧୨/୦୮- ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ କୋମନା ସ୍ଥିତ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ ପରିସରରେ ଆଜି ଅନ୍ତର୍ଜାତୀୟ ଯୁବ ଦିବସ ଉପଲକ୍ଷେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ଷ୍ଟେଟ୍ ବ୍ୟାଙ୍କ ଆଞ୍ଚଳିକ ତାଲିମ ଅନୁଷ୍ଠାନର ପ୍ରଶିକ୍ଷକ ରବିନ୍ କୁମାର ରଥ, ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଭାତ କୁମାର ପଣ୍ଡା, ଦରବାର ସାହିତ୍ୟ ସଂସଦର ବୈଦେହୀ ସେଠୀଆ, ମହାବିଦ୍ୟାଳୟର ଅଧ୍ୟାପକ-ଅଧ୍ୟାପିକା, ଛାତ୍ରଛାତ୍ରୀ ଓ ଅଧିକାର ମିତ୍ରମାନେ ଯୋଗଦେଇଥିଲେ।
ଏ ଅବସରରେ ସଚିବ ନବନୀତା ଦାଶ ଅନ୍ତର୍ଜାତୀୟ ଯୁବ ଦିବସର ମହତ୍ତ୍ୱ, ରାଷ୍ଟ୍ର ନିର୍ମାଣରେ ଯୁବଶକ୍ତିର ଭୂମିକା, ସାମାଜିକ ଗଣମାଧ୍ୟମର ସଦୁପଯୋଗ, ଆଇନ ସେବା ଅଧିନିୟମ, ୧୯୮୭, ଜିଲ୍ଲା ଆଇନ ସେବା ପ୍ରାଧିକରଣର ଭୂମିକା ଓ କାର୍ଯ୍ୟପ୍ରଣାଳୀ ସମେତ ମାଗଣା ଆଇନ ସେବା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ।
ସେ “ସଶକ୍ତ ଯୁବା, ସଶକ୍ତ ଭାରତ”ର ବାର୍ତ୍ତା ଦେବା ସହ ଏକ ନିଶାମୁକ୍ତ ଯୁବ ସମାଜ ଗଠନ ପାଇଁ ଯୁବପିଢ଼ିଙ୍କୁ ଆଗେଇ ଆସିବାକୁ ଆହ୍ୱାନ ଜଣାଇଥିଲେ। ଏଥିସହ ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ରାଗିଂ ‘Ragging ବିଷୟରେ ଛାତ୍ର ସଚେତନତା ସଂସାଧନ, ୨୦୨୬’ ସମ୍ପର୍କରେ ଆଲୋଚନା କରି ପ୍ରତ୍ୟେକ ମହାବିଦ୍ୟାଳୟରେ ରାଗିଂ ବିରୋଧୀ ଦଳ (Anti-Ragging Squad) ଗଠନର ଆବଶ୍ୟକତା ବିଷୟରେ ସଚେତନ କରାଯାଇଥିଲା। ରାଗିଂର ଶିକାର ହେଉଥିବା ଛାତ୍ରଛାତ୍ରୀ ନିର୍ଭୟରେ ଅଭିଯୋଗ କରି ନ୍ୟାୟ ମାଗିବା ସେମାନଙ୍କର ଆଇନଗତ ଅଧିକାର ବୋଲି ସେ ସ୍ପଷ୍ଟ କରିଥିଲେ।
ଯୁବପିଢ଼ିଙ୍କୁ ଆଇନ, ଅଧିକାର ଓ ସାମାଜିକ ଦାୟିତ୍ୱ ପ୍ରତି ସଚେତନ କରିବା ସହ ନିଶାମୁକ୍ତ ଓ ସୁସ୍ଥ ସମାଜ ଗଠନରେ ସେମାନଙ୍କ ସକ୍ରିୟ ଭୂମିକାକୁ ଗୁରୁତ୍ୱ ଦେଇ ଏହି ଶିବିର ଆୟୋଜିତ ହୋଇଥିଲା।