68
ନୂଆପଡ଼ା -୦୧/୧୧- ଛାତ୍ରଛାତ୍ରୀଙ୍କ ମଧ୍ୟରେ ରସାୟନ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରିବା ସହ ମେଧା, ଜ୍ଞାନ ଓ ବୌଦ୍ଧିକ ଦକ୍ଷତାର ବିକାଶ ଲକ୍ଷ୍ୟରେ ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଓଡ଼ିଶା କେମିକାଲ ସୋସାଇଟି (OCS-Odisha) ପକ୍ଷରୁ କେମିଷ୍ଟ୍ରି ଅଲିମ୍ପିଆଡ୍ (Chemistry Olympiad) ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି।
ଏହି ପ୍ରତିଯୋଗିତାରେ ଖଡ଼ିଆଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ ଦୁଇ) ଏବଂ ପରୀକ୍ଷିତ ଟାଇଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ପ୍ରଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି ଆୟୋଜନ ହୋଇଥିବାବେଳେ ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପିକା ରାଜଲକ୍ଷ୍ମୀ ରଥ ପ୍ରତିଯୋଗିତାର ପରିଚାଳନା କରିଥିଲେ। ପରୀକ୍ଷା ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ ଭାବେ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଛାତ୍ର କଲ୍ୟାଣ ଅଧିକାରୀ ଅଧ୍ୟାପିକା ଡ. ଗୀତାଶ୍ରୀ ପ୍ରିୟମ୍ବଦାଙ୍କ ସମେତ ଅଧ୍ୟାପକ ଶ୍ରୀକାନ୍ତ ପ୍ରଧାନ, ପ୍ରେମାନନ୍ଦ ମେହେର, ବିପିନ ବିଶି, ଦୋଳଗୋବିନ୍ଦ ନାୟକ, ଧ୍ୟାନଚାନ୍ଦ ରଣା ଏବଂ ପରୀକ୍ଷିତ ଟାଇଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜିତେନ୍ଦ୍ର ବିହାରୀ ପ୍ରମୁଖ ସହଯୋଗ କରିଥିଲେ। ଏଭଳି ଶିକ୍ଷାମୂଳକ ପ୍ରତିଯୋଗିତା ମାଧ୍ୟମରେ ଛାତ୍ରଛାତ୍ରୀମାନେ ପାଠ୍ୟପୁସ୍ତକ ଜ୍ଞାନ ସହିତ ନିଜର ବିଷୟଭିତ୍ତିକ ଦକ୍ଷତା, ତର୍କଶକ୍ତି ଓ ପ୍ରତିଯୋଗିତାମୂଳକ ମନୋଭାବର ପରିଚୟ ଦେବାର ସୁଯୋଗ ପାଇଛନ୍ତି। ବିଶେଷକରି ନୂଆପଡ଼ା ଜିଲ୍ଲାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧି ଓ ପ୍ରତିଭାର ବିକାଶ ଦିଗରେ ଏହି ପ୍ରୟାସ ଏକ ଶିକ୍ଷଣୀୟ ମଞ୍ଚ ସୃଷ୍ଟି କରିଛି।