126
ନୂଆପଡ଼ା -୨୭/୭ – ଜନସାଧାରଣଙ୍କ ସମସ୍ୟାର ତ୍ୱରିତ ସମାଧାନ ଓ ପ୍ରଶାସନକୁ ଲୋକଙ୍କ ନିକଟତର କରିବା ଉଦ୍ଦେଶ୍ୟରେ ନୂଆପଡ଼ା ଜିଲ୍ଲାର ବୋଡ଼େନ ବ୍ଲକ ପରିସରରେ ରବିବାର ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଶିବିରରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଳ ସିଂ, ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମୀ ସୋରେନ ଏବଂ ବୋଡ଼େନ ବ୍ଲକ ଅଧ୍ୟକ୍ଷା ପ୍ରେମଶିଳା ନାଗ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ।
ଶିବିରରେ ମୋଟ ୬୫ଟି ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ସେଥିମଧ୍ୟରୁ ୪୭ଟି ବ୍ୟକ୍ତିଗତ ଏବଂ ୧୮ଟି ଗୋଷ୍ଠୀଗତ ଅଭିଯୋଗ ଥିଲା। ଜିଲ୍ଲାପାଳ ପ୍ରତ୍ୟେକ ଅଭିଯୋଗକାରୀଙ୍କ ସମସ୍ୟା ଧୈର୍ଯ୍ୟର ସହ ଶୁଣି ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଶୀଘ୍ର ଓ ଫଳପ୍ରଦ ସମାଧାନ ପାଇଁ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ।
ଏହା ସହିତ ପୂର୍ବରୁ ଆୟୋଜିତ ଅଭିଯୋଗ ଶୁଣାଣି ଶିବିରରେ ପ୍ରାପ୍ତ ଆବେଦନଗୁଡ଼ିକର ଫଇସଲା ସ୍ଥିତିର ସମୀକ୍ଷା କରି ଯେଉଁ ଅଭିଯୋଗଗୁଡ଼ିକ ବିଚାରାଧୀନ ରହିଛି, ସେଗୁଡ଼ିକର ଶୀଘ୍ର ସମାଧାନ ସୁନିଶ୍ଚିତ କରିବାକୁ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ପ୍ରଦାନ କରିଥିଲେ।
ଏହି ଅବସରରେ ସୌଭାଗ୍ୟା ପାହାରିଆ ଏବଂ କ୍ଷୀରସାଗର ସାଙ୍କୁଙ୍କୁ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତାର ଚେକ୍ ପ୍ରଦାନ କରାଯାଇଥିଲା।ଶିବିର ସହିତ ବ୍ଲକ ପରିସରରେ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ଶିବିର ଓ ଆୟୁଷ୍ମାନ ଆରୋଗ୍ୟ ଶିବିରର ମଧ୍ୟ ଆୟୋଜନ କରାଯାଇଥିଲା। ବହୁ ସଂଖ୍ୟକ ନାଗରିକ ଏହି ସ୍ୱାସ୍ଥ୍ୟ ସେବାର ସୁଯୋଗ ଗ୍ରହଣ କରିଥିଲେ।ଡେପୁଟି ଜିଲ୍ଲାପାଳ ରୋଶନ କୁମାର ଜେନା, ବୋଡ଼େନ ବିଡିଓ ଚିନ୍ମୟ ସାଗର ଓ ତହସିଲଦାର ସରିତା ଗୁପ୍ତା ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଏଥିରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ଯନ୍ତ୍ରୀ, ଲାଇନ୍ ବିଭାଗର ଅଧିକାରୀ, ବ୍ଲକସ୍ତରୀୟ କର୍ମଚାରୀ, ବହୁ ସଂଖ୍ୟକ ସାଧାରଣ ଲୋକ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।