197
ନୂଆପଡ଼ା- ୨୦/୦୯- ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଟିକ୍ରାପଡ଼ା ପଞ୍ଚାୟତ ପୋଷ୍ଟ ଅଫିସରୁ ଜମାକାରୀଙ୍କ ଟଙ୍କା ହେରଫେର ଓ ଠକେଇ ନେଇ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ଜମାକାରୀଙ୍କ ଅଭିଯୋଗ ଅନୁଯାୟୀ, ସେମାନଙ୍କ ଅଜାଣତରେ ଆକାଉଣ୍ଟରୁ ହଜାର ହଜାର ଟଙ୍କା ଉଠାଣ କରାଯାଇଥିବାରୁ ଅଞ୍ଚଳରେ ଚିନ୍ତା ଓ ଅସନ୍ତୋଷ ପ୍ରକାଶ ପାଇଛି।
ପ୍ରାପ୍ତ ଅଭିଯୋଗ ଅନୁସାରେ, ଟିକ୍ରାପଡ଼ା ଗ୍ରାମର ଲୋଚନ ବନୋଛୋରଙ୍କ ଆକାଉଣ୍ଟରୁ ୧୨ ହଜାର ଟଙ୍କା, ବୃନ୍ଦା ଶବରଙ୍କ ଆକାଉଣ୍ଟରୁ ୨୦ ହଜାର ଟଙ୍କା ଏବଂ ତାଙ୍କ ସ୍ତ୍ରୀଙ୍କ ଆକାଉଣ୍ଟରୁ ୧୨ ହଜାର ଟଙ୍କା ଉଠାଣ ହୋଇଥିବା ଅଭିଯୋଗ ହୋଇଛି। ସେହିପରି ଜେଠୁପାଲି ଗ୍ରାମର ଚିନ୍ତାମଣି ନାଏକ ଓ ତାଙ୍କ ସ୍ତ୍ରୀଙ୍କ ଆକାଉଣ୍ଟରୁ ମିଳିତ ଭାବେ ୪୦ ହଜାର ଟଙ୍କା ଗାଏବ ହୋଇଥିବା ଅଭିଯୋଗ ରହିଛି।
ଭୁକ୍ତଭୋଗୀଙ୍କ ଅଭିଯୋଗ ଅନୁଯାୟୀ, ସେମାନେ ଏହି ଟଙ୍କା ନିଜେ ଉଠାଇନାହାନ୍ତି ଏବଂ ଟଙ୍କା ଉଠାଣ ସମ୍ପର୍କରେ ପୂର୍ବରୁ କୌଣସି ସୂଚନା ମଧ୍ୟ ପାଇନଥିଲେ। ଘଟଣାରେ ପୋଷ୍ଟ ଅଫିସରେ କାର୍ଯ୍ୟରତ ବବି ଶବର ନାମକ ଜଣେ ଯୁବତୀ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ନେଇ କେତେକ ଜମାକାରୀ ଅଭିଯୋଗ କରିଛନ୍ତି। ତେବେ ଏହି ଅଭିଯୋଗର ସତ୍ୟତା ଏବଂ କାହାର ସମ୍ପୃକ୍ତି ରହିଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।
ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ଡାକ ବିଭାଗର ଇନ୍ସପେକ୍ଟରଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡ଼ିଛି। ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ଯୋଗ୍ୟ ଜମାକାରୀଙ୍କ ଟଙ୍କା ଫେରାଇବାକୁ ପଦକ୍ଷେପ ନିଆଯିବ ବୋଲି ଇନ୍ସପେକ୍ଟର ପ୍ରତିଶ୍ରୁତି ଦେଇଥିବା ଅଭିଯୋଗକାରୀମାନେ କହିଛନ୍ତି। ମାତ୍ର ଏହାକୁ ପ୍ରାୟ ୧୦ ଦିନ ବିତିଥିଲେ ମଧ୍ୟ ଦୃଶ୍ୟମାନ କାର୍ଯ୍ୟାନୁଷ୍ଠାନ କିମ୍ବା ତଦନ୍ତର ଅଗ୍ରଗତି ସମ୍ପର୍କରେ ସୂଚନା ମିଳୁନଥିବା ନେଇ ଭୁକ୍ତଭୋଗୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଏହି ଘଟଣା ପରେ ପୋଷ୍ଟ ଅଫିସରେ ସଞ୍ଚୟ କରିଥିବା ନିଜ କଷ୍ଟାର୍ଜିତ ଧନର ସୁରକ୍ଷାକୁ ନେଇ ଅନେକ ଜମାକାରୀ ଚିନ୍ତିତ ହୋଇପଡ଼ିଛନ୍ତି। ଅଭିଯୋଗର ନିରପେକ୍ଷ ତଦନ୍ତ କରି ପ୍ରକୃତ ତଥ୍ୟ ସାମ୍ନାକୁ ଆଣିବା ସହ ଯଦି କୌଣସି ଅନିୟମିତତା ପ୍ରମାଣିତ ହୁଏ, ତେବେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଆଇନ ଓ ବିଭାଗୀୟ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଏବଂ ଯୋଗ୍ୟ ଜମାକାରୀଙ୍କ ଅର୍ଥ ଫେରସ୍ତ ପାଇଁ ଦାବି ହୋଇଛି।
ଅନ୍ୟପକ୍ଷରେ, ଅଭିଯୋଗ ଉପରେ ଡାକ ବିଭାଗର ଅଧିକୃତ ପକ୍ଷରୁ ବିସ୍ତୃତ ପ୍ରତିକ୍ରିୟା ମିଳିନାହିଁ। ତଦନ୍ତର ଫଳାଫଳ ଏବଂ ବିଭାଗୀୟ ପଦକ୍ଷେପ ପରେ ହିଁ ଘଟଣାର ପ୍ରକୃତ ଚିତ୍ର ସ୍ପଷ୍ଟ ହେବ।