94

ନୂଆପଡ଼ା- ୧୬/୫- “ସ୍ୱାମୀ ଯେତେ ନିର୍ଯାତନା ଦେଲେ ବି ସେ ସ୍ୱାମୀ” — ଏହି ପାରମ୍ପରିକ ବିଶ୍ୱାସ ଓ ଅଖଣ୍ଡ ସୌଭାଗ୍ୟର ପ୍ରତୀକ ସାବିତ୍ରୀ ବ୍ରତକୁ ଅତି ନିଷ୍ଠାର ସହ ପାଳନ କରିଛନ୍ତି ନୂଆପଡ଼ା ଜିଲ୍ଲାର କିଛି ସ୍ୱାମୀ ପରିତ୍ୟକ୍ତା ଓ ନିର୍ଯାତିତା ମହିଳା। ସ୍ୱାମୀଙ୍କ ଦୀର୍ଘାୟୁ ଓ ମଙ୍ଗଳ କାମନା କରି କୋମନା ସ୍ଥିତ ‘ସ୍ୱାଧାର କେନ୍ଦ୍ର’ ପରିସରରେ ଏହି ଆଧ୍ୟାତ୍ମିକ ଓ ଭାବପୂର୍ଣ୍ଣ ମାହୋଲ ଦେଖିବାକୁ ମିଳିଛି।ସ୍ଥାନୀୟ ସଧବା ନାରୀମାନଙ୍କ ସହ ମିଶି ଆଶ୍ରୟସ୍ଥଳୀରେ ରହୁଥିବା ଅନ୍ତେବାସୀମାନେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ଏହି ବ୍ରତ ପାଳନ କରିଛନ୍ତି।
ଦୀର୍ଘ ୧୬ ବର୍ଷର ପରମ୍ପରା ବଜାୟ ରହିଛି।ଅନୁଷ୍ଠାନ ର ପରିଚାଳିକା ସୋନାଳୀ ପାଣିଗ୍ରାହୀ ଙ୍କ ସୂଚନା ଅନୁଯାୟୀ, ଏହି ସ୍ୱାଧାର କେନ୍ଦ୍ରରେ ଗତ ୨୦୧୦ ମସିହା ରୁ ପ୍ରତିବର୍ଷ ଏଭଳି ସାବିତ୍ରୀ ବ୍ରତର ଆୟୋଜନ କରାଯାଇ ଆସୁଛି। ସଂସାରରୁ ପ୍ରତାରିତ ଓ ସ୍ୱାମୀଙ୍କ ଦ୍ୱାରା ନିର୍ଯାତିତ ହୋଇ ଏଠାରେ ଆଶ୍ରୟ ନେଇଥିବା ମହିଳାମାନେ ନିଜ ସ୍ୱାମୀଙ୍କର ଦୀର୍ଘାୟୁ କାମନା କରି ପ୍ରତିବର୍ଷ ସାବିତ୍ରୀ ଅମାବାସ୍ୟାରେ ବ୍ରତ ରଖୁଛନ୍ତି। ଏହି ପୂଜା ପାଇଁ ମହିଳାମାନେ ନିଜ ତରଫରୁ କିଛି କିଛି ପୂଜା ସାମଗ୍ରୀ ସଂଗ୍ରହ କରିଥିବା ବେଳେ, ଅନୁଷ୍ଠାନ ପକ୍ଷରୁ ମଧ୍ୟ ସେମାନଙ୍କୁ ସମସ୍ତ ଆବଶ୍ୟକୀୟ ପୂଜା ସାମଗ୍ରୀ, ଶାଢ଼ୀ ଏବଂ ଶଙ୍ଖା-ସିନ୍ଦୂର ଯୋଗାଇ ଦିଆଯାଇଥିଲା। ନିର୍ଯାତନାର କୋହକୁ କ୍ଷଣିକ ପାଇଁ ଭୁଲି ସମସ୍ତ ମହିଳା ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ। ସମାଜରେ ନାରୀକୁ ସହନଶୀଳତା ର ପ୍ରତୀକ କୁହାଯାଏ। ସ୍ୱାଧାର କେନ୍ଦ୍ରର ଏହି ଦୃଶ୍ୟ ପ୍ରମାଣିତ କରୁଛି ଯେ, ସ୍ୱାମୀଙ୍କ ଅତ୍ୟାଚାର ପରେ ବି ଭାରତୀୟ ନାରୀର ସଂସ୍କାର ଓ ସ୍ୱାମୀ ପ୍ରତି ଥିବା ନିଷ୍ଠା ଆଜି ବି ଅତୁଟ ରହିଛି। ଅନୁଷ୍ଠାନର ଏଭଳି ପ୍ରୟାସ ନିଶ୍ଚିତ ଭାବେ ପ୍ରଶଂସନୀୟ।