31
ବୈଠକ ଆରମ୍ଭରେ ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ହରେକୃଷ୍ଣ ଚାନ୍ଦ ହାଁସଦା ବିଭାଗର ବିଭିନ୍ନ ଯୋଜନାର ପ୍ରଗତି, ଲକ୍ଷ୍ୟ ହାସଲ ଏବଂ ଭବିଷ୍ୟତ କାର୍ଯ୍ୟଯୋଜନା ସମ୍ପର୍କରେ ବିସ୍ତୃତ ଉପସ୍ଥାପନା କରିଥିଲେ।ଜିଲ୍ଲାପାଳ ଶ୍ରୀ ଦାଶ କହିଥିଲେ ଯେ, ଉଦ୍ୟାନ କୃଷି କୃଷକଙ୍କ ଆର୍ଥିକ ସ୍ୱାବଲମ୍ବନର ଏକ ପ୍ରମୁଖ ଆଧାର। ସେଥିପାଇଁ ସରକାରଙ୍କ ସମସ୍ତ ଯୋଜନାକୁ ସ୍ୱଚ୍ଛ, ପ୍ରଭାବଶାଳୀ ଓ ସମୟବଦ୍ଧ ଭାବେ କାର୍ଯ୍ୟକାରୀ କରି ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବାକୁ ସେ ଅଧିକାରୀମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ। ଜଳ ସଂରକ୍ଷଣ ଓ ସଠିକ୍ ବ୍ୟବହାର ପାଇଁ ଡ୍ରିପ୍ ଓ ସ୍ପ୍ରିଙ୍କଲର ମାଇକ୍ରୋ ଇରିଗେସନ୍ ବ୍ୟବସ୍ଥାର ସମ୍ପ୍ରସାରଣ ସହ ଫଳ, ପନିପରିବା, ମସଲା ଫସଲ ଓ ତୈଳ ପାମ୍ ଚାଷକୁ ବ୍ୟାପକ ପ୍ରୋତ୍ସାହନ ଦେବାକୁ ସେ ପରାମର୍ଶ ଦେଇଥିଲେ।
ନୂଆପଡ଼ା -୧୧/୭- କୃଷକଙ୍କ ଆୟ ବୃଦ୍ଧି ସହ ଜିଲ୍ଲାରେ ଉଦ୍ୟାନ କୃଷିର ସର୍ବାଙ୍ଗୀଣ ବିକାଶକୁ ଗୁରୁତ୍ୱ ଦେଇ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଉଦ୍ୟାନ କୃଷି ବିଭାଗର ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ‘ପର୍ ଡ୍ରପ୍ ମୋର୍ କ୍ରପ୍’ ଯୋଜନାରେ ୨୦୦ ହେକ୍ଟର ଡ୍ରିପ୍ ସେଚନ ଲକ୍ଷ୍ୟ ମଧ୍ୟରୁ ୮୬.୮୦ ହେକ୍ଟର ଏବଂ ୭୦୦ ହେକ୍ଟର ସ୍ପ୍ରିଙ୍କଲର ସେଚନ ଲକ୍ଷ୍ୟ ବିପରୀତ ୨୧୨.୩୦ ହେକ୍ଟର କ୍ଷେତ୍ରରେ କାର୍ଯ୍ୟ ସମ୍ପନ୍ନ ହୋଇଛି। ସେହିପରି ଜାତୀୟ ଭୋଜ୍ୟ ତୈଳ ପାମ୍ ମିଶନ ଅଧୀନରେ ୧୫୦ ହେକ୍ଟର ନୂତନ ଚାଷ ଲକ୍ଷ୍ୟ ବିପରୀତ ବର୍ତ୍ତମାନ ସୁଦ୍ଧା ୩.୬୬ ହେକ୍ଟରରେ ତୈଳ ପାମ୍ ଚାଷ କାର୍ଯ୍ୟ ସମ୍ପନ୍ନ ହୋଇଥିବା ସୂଚନା ଦିଆଯାଇଥିଲା।
ଏହି ଅବସରରେ ଉଦ୍ୟାନ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଖଡ଼ିଆଳ ବ୍ଲକର ମହେଶ କୁମାର ସୁନା, ବୋଡେନ ବ୍ଲକର ଗିରିଧାରୀ ରଣା, କୋମନା ବ୍ଲକର ରିକେଶ କୁମାର ପ୍ରଧାନ, ନୂଆପଡ଼ା ବ୍ଲକର ଲାଲାରାମ ସାହୁ ଓ ସିନାପାଲି ବ୍ଲକର ବିଶ୍ରାମ ହେର୍ଣ୍ଣାଙ୍କୁ ଜିଲ୍ଲାପାଳ ସମ୍ମାନିତ କରି ସେମାନଙ୍କ ସଫଳତାକୁ ଅନ୍ୟ କୃଷକଙ୍କ ପାଇଁ ପ୍ରେରଣା ବୋଲି କହିଥିଲେ।
ବୈଠକରେ ଜିଲ୍ଲାର ସମସ୍ତ ଉଦ୍ୟାନ କୃଷି ଅଧିକାରୀ ଓ ବିଭାଗୀୟ କର୍ମକର୍ତ୍ତାମାନେ ଉପସ୍ଥିତ ରହି ଯୋଜନାର ସଫଳ ରୂପାୟନ ଉପରେ ଆଲୋଚନା କରିଥିଲେ।