110
ନୂଆପଡ଼ା -୨୭/୭-ବିକାଶର ଡିଣ୍ଡିମ ପିଟାଯାଉଥିବା ସମୟରେ ନୂଆପଡ଼ା ଜିଲ୍ଲାର ଏକ ଅପହଞ୍ଚ ଗାଁ ଆଜି ବି ମୌଳିକ ସୁବିଧା ପାଇଁ ସଂଘର୍ଷ କରୁଛି। ବୋଡ଼େନ ବ୍ଲକ ଅନ୍ତର୍ଗତ ଖଇରା ଗ୍ରାମପଞ୍ଚାୟତର ‘କମାର ଖୋଲ’ ଗାଁ ଏବେ ବି ବିକାଶର ଅପେକ୍ଷାରେ ଚାହିଁ ରହିଛି। ପ୍ରାୟ ୨୦ଟି ପରିବାରର ୧୦୦ରୁ ଅଧିକ ଲୋକ ବସବାସ କରୁଥିବା ଏହି ଗାଁରେ ନା ଭଲ ରାସ୍ତା ଅଛି, ନା ସ୍କୁଲ, ନା ଅଙ୍ଗନୱାଡ଼ି, ନା ନିରନ୍ତର ବିଦ୍ୟୁତ୍ ଓ ପାନୀୟ ଜଳ ସୁବିଧା।ଗାଁକୁ ପହଞ୍ଚିବା ପାଇଁ ଦୁଇଟି ମାତ୍ର ରାସ୍ତା ରହିଛି। ଗୋଟିଏ ୧୫ କିଲୋମିଟରର ଖାଲଖମା ରାସ୍ତା, ଯେଉଁଥିରେ କଷ୍ଟେମଷ୍ଟେ ଦୁଇଚକିଆ ଯାନ ଯାଇପାରେ। ଅନ୍ୟଟି ୫ କିଲୋମିଟରର ପାହାଡ଼ିଆ ପଥ, ଯେଉଁଠାରେ ସାଇକେଲ ଚଳାଇବା ମଧ୍ୟ ଅସମ୍ଭବ। ରାସନ୍ ସାମଗ୍ରୀ, ଭତ୍ତା ଟଙ୍କା ଓ ଅନ୍ୟାନ୍ୟ ସରକାରୀ ସେବା ପାଇଁ ଗ୍ରାମବାସୀଙ୍କୁ ପ୍ରତିଥର ବିପଦପୂର୍ଣ୍ଣ ପାହାଡ଼ିଆ ରାସ୍ତା ଅତିକ୍ରମ କରିବାକୁ ପଡ଼ୁଛି।
ଶିକ୍ଷା ଓ ପୁଷ୍ଟିକର ସେବା କ୍ଷେତ୍ରରେ ମଧ୍ୟ ଗାଁର ଅବସ୍ଥା ଅତ୍ୟନ୍ତ ଦୟନୀୟ। ଗାଁରେ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ର ନଥିବାରୁ ଶିଶୁମାନେ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ଏହା ସହ ଗର୍ଭବତୀ ମହିଳା ଓ ଶିଶୁମାନେ ନିୟମିତ ଟିକାକରଣ ଏବଂ ସରକାରୀ ପୋଷଣ ସେବାର ସୁବିଧା ମଧ୍ୟ ପାଉନାହାନ୍ତି।
ପାନୀୟ ଜଳ ଓ ବିଦ୍ୟୁତ୍ ସମସ୍ୟା ମଧ୍ୟ ଗାଁବାସୀଙ୍କ ଦୈନନ୍ଦିନ ଜୀବନକୁ କଷ୍ଟଦାୟକ କରିଛି। ୨୦୧୭ ମସିହାରେ ବିଦ୍ୟୁତ୍ ସଂଯୋଗ ମିଳିଥିଲେ ମଧ୍ୟ ନିୟମିତ ବିଦ୍ୟୁତ୍ ସେବା ମିଳୁନାହିଁ। ସମଗ୍ର ଗାଁ କେବଳ ଗୋଟିଏ କୂଅ ଉପରେ ନିର୍ଭରଶୀଳ ଥିବାରୁ ଖରା ଦିନରେ ଜଳ ସଙ୍କଟ ଉଗ୍ର ରୂପ ନେଇଥାଏ।
ଏହି ଗାଁରେ ୨୦୨୧ ଅଗଷ୍ଟ ୧୫ରେ ପ୍ରଥମ ଥର ପାଇଁ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ‘ଜିଲ୍ଲା ସାହାଯ୍ୟ ସେନା’ର ସଭାପତି ବେଣୁଧର ଜଗତ ଗ୍ରାମବାସୀଙ୍କ ମଧ୍ୟରେ ପହଞ୍ଚି ଏହି ଐତିହାସିକ କାର୍ଯ୍ୟକ୍ରମ କରିଥିଲେ। ସେହି ଦିନଠାରୁ ଗ୍ରାମବାସୀ ନିଜ ମୌଳିକ ଅଧିକାର ଓ ବିକାଶ ପାଇଁ ସ୍ୱର ଉଠାଇ ଆସୁଛନ୍ତି।
ଏହି ପ୍ରସଙ୍ଗରେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ କହିଛନ୍ତି ଯେ, ଗାଁର ସ୍ଥିତିର ସରେଜମିନ ଅନୁଧ୍ୟାନ ପାଇଁ ଖୁବଶୀଘ୍ର ପ୍ରଶାସନିକ ଅଧିକାରୀମାନେ ଗସ୍ତ କରିବେ। ସ୍ଥିତି ସମୀକ୍ଷା ପରେ ଆବଶ୍ୟକତା ଅନୁଯାୟୀ ଗାଁକୁ ସମସ୍ତ ସରକାରୀ ସୁବିଧା ଯୋଗାଇବା ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ସେ ଆଶ୍ୱାସନ ଦେଇଛନ୍ତି।
ଏବେ ପ୍ରଶ୍ନ ଉଠୁଛି— ସରକାରଙ୍କ ବିକାଶ ଯୋଜନା କେବଳ କାଗଜପତ୍ରରେ ସୀମିତ ରହିବ, ନା କମାର ଖୋଲ ଭଳି ଅପହଞ୍ଚ ଗାଁରେ ପ୍ରକୃତ ଅର୍ଥରେ ବିକାଶର ଆଲୋକ ପହଞ୍ଚିବ? ସମୟ ହିଁ ଏହାର ଉତ୍ତର ଦେବ।