64
ନୂଆପଡ଼ା -୧୫/୮- ବିକଶିତ ଭାରତ–ଗ୍ରାମୀଣ ରୋଜଗାର ଏବଂ ଜୀବିକା ମିଶନ ଗ୍ୟାରେଣ୍ଟି ଅଧିନିୟମ, ୨୦୨୫ (ଭି.ବି.-ଜି. ରାମ୍.ଜି.) ସମ୍ପର୍କରେ ତୃଣମୂଳସ୍ତରରେ ସଚେତନତା ସୃଷ୍ଟି ଓ ପ୍ରଭାବୀ କାର୍ଯ୍ୟାନ୍ୱୟନ ଲକ୍ଷ୍ୟରେ ନୂଆପଡ଼ାରେ ଜିଲ୍ଲାସ୍ତରୀୟ ପଞ୍ଚ ସମ୍ମିଳନୀ ଗତ କାଲି ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ସିନାପାଲି ଓ ଖରିଆର ବ୍ଲକର ସମସ୍ତ ସରପଞ୍ଚ ଏବଂ ପଞ୍ଚାୟତ ସମିତି ସଦସ୍ୟ ଯୋଗଦେଇଥିଲେ। ଏଥିରେ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ (ପ୍ରଶାସନ), ଜିଲ୍ଲା ପରିଷଦ କ୍ଷମାନିଧି ଭୋଇ, ଏମ୍ଜିଏନ୍ଆର୍ଇଜିଏସ୍ ସଂଯୋଜକ, ଜିଲ୍ଲା ପରିଷଦ, I-NRM ବିଶେଷଜ୍ଞଙ୍କ ସମେତ ବିଭିନ୍ନ ବିଭାଗର ସମ୍ପୃକ୍ତ ଅଧିକାରୀ ଉପସ୍ଥିତ ଥିଲେ।ସମ୍ମିଳନୀରେ ଜିଲ୍ଲାପାଳ ଭି.ବି.-ଜି. ରାମ୍.ଜି. ଅଧିନିୟମ, ୨୦୨୫ର ଉଦ୍ଦେଶ୍ୟ, ପ୍ରମୁଖ ବୈଶିଷ୍ଟ୍ୟ ଓ ମୁଖ୍ୟ ବ୍ୟବସ୍ଥାବଳୀ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଅଧିନିୟମର ସଫଳତା ତୃଣମୂଳସ୍ତରରେ ଏହାର ସ୍ୱଚ୍ଛ, ପ୍ରଭାବୀ ଓ ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟାନ୍ୱୟନ ଉପରେ ନିର୍ଭର କରୁଥିବା ସେ କହିଥିଲେ।
ଏଥିସହ ଅଂଶଗ୍ରହଣମୂଳକ ଯୋଜନା ପ୍ରସ୍ତୁତି, ଆବଶ୍ୟକତାଭିତ୍ତିକ କାର୍ଯ୍ୟ ଚୟନ ଏବଂ ସମୟୋଚିତ ଭାବେ କାର୍ଯ୍ୟ ସମ୍ପାଦନ ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ।ନୂଆପଡ଼ା ଭଳି ଜିଲ୍ଲାରେ ଗ୍ରାମୀଣ ପରିବାରଗୁଡ଼ିକର ଜୀବିକା ସୁରକ୍ଷା ସୁଦୃଢ଼ କରିବା ସହ ଦାଦନ ଓ ବାଧ୍ୟତାମୂଳକ ପ୍ରବାସନ ହ୍ରାସ କରିବାରେ ଏହି ଅଧିନିୟମର ବ୍ୟାପକ ସୁଯୋଗ ରହିଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ଗ୍ରାମୀଣ ପରିବାରଗୁଡ଼ିକୁ ପର୍ଯ୍ୟାପ୍ତ ରୋଜଗାର ସୁଯୋଗ ଯୋଗାଇବା ସହ ସ୍ଥାୟୀ ଗ୍ରାମୀଣ ସମ୍ପତ୍ତି ସୃଷ୍ଟି ଦିଗରେ ଏହାକୁ ପ୍ରଭାବଶାଳୀ ଭାବେ ରୂପାୟଣ କରିବାକୁ ସେ ଆହ୍ୱାନ ଦେଇଥିଲେ।
ସରପଞ୍ଚ ଓ ପଞ୍ଚାୟତ ସମିତି ସଦସ୍ୟମାନେ ଅଧିନିୟମର ସଫଳ ରୂପାୟଣରେ ଗୁରୁତ୍ୱପୂର୍ଣ୍ଣ କୃତ୍ୟ ନିଭାଇବେ। ଯୋଗ୍ୟ ଗ୍ରାମୀଣ ପରିବାରଗୁଡ଼ିକ ଯେପରି ରୋଜଗାର ଓ ଜୀବିକା ସୁରକ୍ଷାର ସୁଯୋଗରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ତୃଣମୂଳସ୍ତରରେ ସମନ୍ୱିତ, ସ୍ୱଚ୍ଛ ଓ ଦାୟିତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ସମ୍ମିଳନୀରେ ଗୁରୁତ୍ୱ ଦିଆଯାଇଥିଲା।ସମ୍ମିଳନୀ ମାଧ୍ୟମରେ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ ଭି.ବି.-ଜି. ରାମ୍.ଜି. ଅଧିନିୟମର ବିଭିନ୍ନ ଦିଗ ସମ୍ପର୍କରେ ଅବଗତ କରାଯାଇଥିଲା। ଏହାର ସୁଚାରୁ ଓ ପ୍ରଭାବୀ କାର୍ଯ୍ୟାନ୍ୱୟନ ପାଇଁ ଜନପ୍ରତିନିଧିମାନଙ୍କୁ ତୃଣମୂଳସ୍ତରରେ ସକ୍ରିୟ ଭୂମିକା ନେବାକୁ ଆହ୍ୱାନ କରାଯାଇଥିଲା।