Home ରାଜ୍ୟନୂଆପଡ଼ାରେ ଜିଲ୍ଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ:ପ୍ଲାଷ୍ଟିକ୍‌ମୁକ୍ତ ନୂଆପଡ଼ା ସମେତ ଶିକ୍ଷା, କୃଷି ଓ ମହିଳା ସଶକ୍ତିକରଣର ସଫଳତା ଉପସ୍ଥାପନ କଲେ ଜିଲ୍ଲାପାଳ।

ନୂଆପଡ଼ାରେ ଜିଲ୍ଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ:ପ୍ଲାଷ୍ଟିକ୍‌ମୁକ୍ତ ନୂଆପଡ଼ା ସମେତ ଶିକ୍ଷା, କୃଷି ଓ ମହିଳା ସଶକ୍ତିକରଣର ସଫଳତା ଉପସ୍ଥାପନ କଲେ ଜିଲ୍ଲାପାଳ।

"ସ୍ୱାଧୀନତା ସଂଗ୍ରାମୀ ଦେମତୀ ଦେଇ ସବର ଓ ଜଗଦୀଶ ପ୍ରସାଦ ଯୋଶୀଙ୍କୁ ମରଣୋତ୍ତର ସମ୍ବର୍ଦ୍ଧନା"

by Maraguda Express
0 comments
ନୂଆପଡ଼ା, ୧୫/୦୮: ନୂଆପଡ଼ା ମିନି ଷ୍ଟାଡିୟମଠାରେ ଜିଲ୍ଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ଗରିମା ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ। ଆରକ୍ଷୀ ଅଧିକ୍ଷକ ଅମ୍ରିତପାଳ ସିଂ ମଧ୍ୟ ଉପସ୍ଥିତ ଥିଲେ।ପୋଲିସ, ସୁରକ୍ଷା ବାହିନୀ, ଏନ୍‌ସିସି, ସ୍କାଉଟ୍‌ସ ଓ ବିଭିନ୍ନ ଶିକ୍ଷାନୁଷ୍ଠାନ ସମେତ ୩୩ଟି ଦଳ ପ୍ୟାରେଡ୍‌ରେ ଅଂଶଗ୍ରହଣ କରିଥିଲେ। ଶୃଙ୍ଖଳିତ ଓ ଚିତ୍ତାକର୍ଷକ ପ୍ୟାରେଡ୍‌ ଉପସ୍ଥିତ ଦର୍ଶକଙ୍କ ମନ ଜିଣିଥିଲା।ଜିଲ୍ଲାପାଳ ନିଜ ଅଭିଭାଷଣରେ ନୂଆପଡ଼ାର ବୀର ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନକୁ ସ୍ମରଣ କରି ସ୍ୱାଧୀନତା କେବଳ ଅଧିକାର ନୁହେଁ, ଏକ ଦାୟିତ୍ୱ ବୋଲି କହିଥିଲେ। ଦେଶପ୍ରେମ, ସମ୍ବିଧାନର ମର୍ଯ୍ୟାଦା, ଏକତା, ଭାଇଚାରା ଓ ପରିବେଶ ସୁରକ୍ଷାକୁ ଜୀବନର ଅଂଶ କରିବା ପାଇଁ ସେ ଜିଲ୍ଲାବାସୀଙ୍କୁ ଆହ୍ୱାନ ଜଣାଇଥିଲେ।ନୂଆପଡ଼ାର ପ୍ଲାଷ୍ଟିକ୍‌ମୁକ୍ତ ଅଭିଯାନରେ ୧୫ ହଜାରରୁ ଅଧିକ ସ୍ୱଚ୍ଛତା ଅଭିଯାନ, ୩.୫ ଲକ୍ଷରୁ ଅଧିକ ଲୋକଙ୍କ ଅଂଶଗ୍ରହଣ ଓ ପ୍ରାୟ ୧,୦୦୦ ଟନ୍ ପ୍ଲାଷ୍ଟିକ୍‌ ଅଳିଆ ସଂଗ୍ରହକୁ ସେ ସାମୂହିକ ସଫଳତାର ଉଦାହରଣ ଭାବେ ଉଲ୍ଲେଖ କରିଥିଲେ। ଶିକ୍ଷା କ୍ଷେତ୍ରରେ ୭ଟି ବିଦ୍ୟାଳୟ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଏବଂ ୧୨ଟି ବିଦ୍ୟାଳୟ ପି.ଏମ୍. ଶ୍ରୀ ଯୋଜନାରେ ସାମିଲ ହୋଇଥିବାବେଳେ ମାଟ୍ରିକ୍‌ ଫଳାଫଳରେ ନୂଆପଡ଼ା ରାଜ୍ୟରେ ଷଷ୍ଠ ସ୍ଥାନ ହାସଲ କରିଛି ବୋଲି ସେ କହିଥିଲେ।କୃଷି ଓ ମହିଳା ସଶକ୍ତିକରଣ କ୍ଷେତ୍ରରେ ବିଭିନ୍ନ ଯୋଜନାର ସଫଳତା ଉଲ୍ଲେଖ କରି ସେ କହିଥିଲେ ଯେ, ଉଦ୍ୟାନ କୃଷିରେ ନୂଆପଡ଼ା ‘ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା’ ଭାବେ ପୁରସ୍କୃତ ହୋଇଥିବାବେଳେ ମିଶନ ଶକ୍ତିର ବ୍ୟାଙ୍କ ଲିଙ୍କେଜ୍‌ରେ ଜିଲ୍ଲା ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିଛି। ଏସବୁ ସଫଳତା ଚାଷୀ, ମହିଳା ଓ ଜନସାଧାରଣଙ୍କ ସାମୂହିକ ପ୍ରୟାସର ପରିଣାମ ବୋଲି ସେ କହିଥିଲେ।ଏହି ଅବସରରେ ସ୍ୱାଧୀନତା ସଂଗ୍ରାମୀ ଦେମତୀ ଦେଇ ସବର ଓ ଜଗଦୀଶ ପ୍ରସାଦ ଯୋଶୀଙ୍କୁ ମରଣୋତ୍ତର ଭାବେ ସମ୍ବର୍ଦ୍ଧିତ କରାଯାଇ ସେମାନଙ୍କ ପରିବାର ସଦସ୍ୟଙ୍କୁ ସମ୍ମାନ ପ୍ରଦାନ କରାଯାଇଥିଲା।ସ୍ୱାଧୀନତା ଦିବସ ଉପଲକ୍ଷେ ଆୟୋଜିତ ଦେଶାତ୍ମବୋଧକ ସଙ୍ଗୀତ, ଓଡ଼ିଆ ଓ ଇଂରାଜୀ ବକ୍ତୃତା ଏବଂ କୁଇଜ୍‌ ପ୍ରତିଯୋଗିତାରେ କୃତୀତ୍ୱ ହାସଲ କରିଥିବା ୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ସମାରୋହରେ ପୁରସ୍କୃତ କରାଯାଇଥିଲା।ଏଥିସହ ଶୋଭାବର୍ଦ୍ଧନକାରୀ ଉଦ୍ଭିଦ ପ୍ରଦର୍ଶନୀରେ ପି.ଡି., ୱାଟରସେଡ୍‌ ପ୍ରଥମ, ଜିଲ୍ଲାପାଳଙ୍କ ଆବାସ ଦ୍ୱିତୀୟ ଏବଂ ଆର୍‌ଏମ୍‌ସି, ଖରିଆର ରୋଡ୍‌ ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ।ମୁଖ୍ୟ ସମାରୋହ ପରେ ଜିଲ୍ଲାପାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଜିଲ୍ଲା କାରାଗାର ଓ ବିଜୁ ପଟ୍ଟନାୟକ ମାନସିକ ଭିନ୍ନକ୍ଷମ ବିଦ୍ୟାଳୟ ପରିଦର୍ଶନ କରି ରୋଗୀ, ଅନ୍ତେବାସୀ ଓ ଛାତ୍ରଛାତ୍ରୀଙ୍କୁ ଫଳ ଓ ମିଠା ବଣ୍ଟନ କରିଥିଲେ। ଜିଲ୍ଲା କାରାଗାରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଅନ୍ତେବାସୀଙ୍କ ସହ ବ୍ୟାଡମିଣ୍ଟନ୍‌ ଖେଳିଥିଲେ।ପରେ ମିନି ଷ୍ଟାଡିୟମଠାରେ ଜିଲ୍ଲାପାଳ ଏକାଦଶ, ଆରକ୍ଷୀ ଅଧିକ୍ଷକ ଏକାଦଶ, ସାମ୍ବାଦିକ ଏକାଦଶ ଓ ଆଇନଜୀବୀ ଏକାଦଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା।ସନ୍ଧ୍ୟାରେ ସ୍ଥାନୀୟ ପୋଲିସ ପଡ଼ିଆସ୍ଥିତ କଲ୍ୟାଣମଣ୍ଡପଠାରେ ସ୍ୱାଧୀନତା ଦିବସ ଉପଲକ୍ଷେ ଦେଶାତ୍ମବୋଧକ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha