22
ନୂଆପଡ଼ା-୧୯/୦୯- ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ପ୍ରଭାବଶାଳୀ ନେତୃତ୍ୱ ଓ ଦୃଢ଼ ଦିଗଦର୍ଶନରେ ନୂଆପଡ଼ା ଜିଲ୍ଲାରେ ‘ସ୍ୱଚ୍ଛତା ହିଁ ସେବା–୨୦୨୬’ ଅଭିଯାନ ଦିନକୁ ଦିନ ଏକ ବ୍ୟାପକ ଜନଆନ୍ଦୋଳନର ରୂପ ନେଉଛି। ସ୍ୱଚ୍ଛତାକୁ କେବଳ ଏକ ଦିବସୀୟ କାର୍ଯ୍ୟକ୍ରମରେ ସୀମିତ ନରଖି ଏହାକୁ ଜନଜୀବନର ନିତ୍ୟ ଅଭ୍ୟାସ ଓ ସାମୂହିକ ଦାୟିତ୍ୱରେ ପରିଣତ କରିବା ଲକ୍ଷ୍ୟରେ ଜିଲ୍ଲାର ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବିଭିନ୍ନ ସ୍ତରରେ ଅଭିଯାନକୁ ସୁଦୃଢ଼ କରାଯାଉଛି।
୧୮ ସେପ୍ଟେମ୍ବରରେ ଜିଲ୍ଲାର ବିଭିନ୍ନ ବ୍ଲକ୍ରେ ସ୍ୱଚ୍ଛତା ସଂଳାପ, ଜନସଚେତନତାମୂଳକ ଘୋଷଣା, ସାମୂହିକ ସ୍ୱଚ୍ଛତା ଶପଥ, ସଫାଇ ମିତ୍ର ସୁରକ୍ଷା ଓ ସମ୍ମାନ ଶିବିର, ସ୍ୱଚ୍ଛ ବିଦ୍ୟାଳୟ କାର୍ଯ୍ୟକ୍ରମ, ସଫେଇ ଅଭିଯାନ ସହିତ ବିଭିନ୍ନ ସଚେତନତାମୂଳକ ପଦକ୍ଷେପ ହାତକୁ ନିଆଯାଇଥିଲା। ଗ୍ରାମବାସୀଙ୍କ ସକ୍ରିୟ ଅଂଶଗ୍ରହଣ ଓ ସ୍ୱେଚ୍ଛାସ୍ଫୂର୍ତ୍ତ ସହଯୋଗ ଫଳରେ ଅଭିଯାନରେ ଜନସହଭାଗିତାର ଏକ ନୂଆ ପରିଚୟ ସୃଷ୍ଟି ହୋଇଛି।
ଏହି ଅଭିଯାନର ଏକ ପ୍ରମୁଖ ଅଂଶ ଭାବେ ‘ମିଶନ ଜିରୋ ୱେଷ୍ଟ ଡମ୍ପିଂ’ କୁ ଜିଲ୍ଲାବ୍ୟାପୀ ଭାବେ ଆଗେଇ ନିଆଯାଉଛି। ଖୋଲା ସ୍ଥାନରେ ଆବର୍ଜନା ପକାଇବା ପ୍ରଥାକୁ ନିରୁତ୍ସାହିତ କରିବା, ଆବର୍ଜନାର ଉତ୍ସସ୍ଥଳରେ ପୃଥକୀକରଣ, ନିୟମିତ ସଂଗ୍ରହ ଓ ବୈଜ୍ଞାନିକ ପରିଚାଳନା ନେଇ ଗ୍ରାମସ୍ତରରେ ସଚେତନତା ସୃଷ୍ଟି କରାଯାଉଛି।
ଜିଲ୍ଲାପାଳଙ୍କ ନେତୃତ୍ୱରେ ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମି ସୋରେନଙ୍କ ସମେତ ଜିଲ୍ଲାସ୍ତରୀୟ ସମସ୍ତ ଅଧିକାରୀ* ଏହି ଅଭିଯାନକୁ ଏକତ୍ରିତ ଭାବେ ଆଗେଇ ନେଉଛନ୍ତି। ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ନିଜ ନିଜ କାର୍ଯ୍ୟକ୍ଷେତ୍ରରେ ସ୍ୱଚ୍ଛତା ବାର୍ତ୍ତା ପହଞ୍ଚାଇବା ସହିତ ମିଶନ ‘ଜିରୋ ୱେଷ୍ଟ ଡମ୍ପିଂ’କୁ ସଫଳ କରିବା ପାଇଁ ସମନ୍ୱିତ ପ୍ରୟାସ ଜାରି ରଖିଛନ୍ତି। ପ୍ରଶାସନର ଏହି *‘ଏକ ଦଳ–ଏକ ଲକ୍ଷ୍ୟ’* ଭାବନା ଅଭିଯାନକୁ ଅଧିକ ଗତିଶୀଳ କରିଛି। ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସଫାଇ ମିତ୍ରମାନଙ୍କ ସୁରକ୍ଷା, ସମ୍ମାନ ଓ କଲ୍ୟାଣ କୁ ମଧ୍ୟ ପ୍ରାଥମିକତା ଦିଆଯାଉଛି। ସେମାନଙ୍କ ଅବଦାନକୁ ସମ୍ମାନ ଦେବା ସହିତ ସୁରକ୍ଷିତ ଓ ମର୍ଯ୍ୟାଦାପୂର୍ଣ୍ଣ କାର୍ଯ୍ୟପରିବେଶ ସୃଷ୍ଟି ନେଇ ମଧ୍ୟ ସଚେତନତା ଜାରି ରହିଛି।ବିଦ୍ୟାଳୟଗୁଡ଼ିକରେ ସ୍ୱଚ୍ଛତା, ବ୍ୟକ୍ତିଗତ ପରିଚ୍ଛନ୍ନତା, ପ୍ଲାଷ୍ଟିକ ବର୍ଜନ, ଆବର୍ଜନା ପୃଥକୀକରଣ ଓ ପରିବେଶ ସୁରକ୍ଷା ଉପରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଉଛି। ଏହା ମାଧ୍ୟମରେ ଶିଶୁମାନଙ୍କୁ ସ୍ୱଚ୍ଛତାର ଦୂତ ଭାବେ ପ୍ରସ୍ତୁତ କରି ପରିବାର ଓ ସମାଜ ମଧ୍ୟରେ ସ୍ୱଚ୍ଛତାର ବାର୍ତ୍ତା ପହଞ୍ଚାଇବାର ପ୍ରୟାସ ହେଉଛି।ଜିଲ୍ଲା ପ୍ରଶାସନର ମୂଳ ବାର୍ତ୍ତା ହେଉଛି—ସ୍ୱଚ୍ଛତା କେବଳ ପ୍ରଶାସନର କର୍ତ୍ତବ୍ୟ ନୁହେଁ, ଏହା ପ୍ରତ୍ୟେକ ଗ୍ରାମ, ପ୍ରତ୍ୟେକ ପରିବାର ଓ ପ୍ରତ୍ୟେକ ନାଗରିକଙ୍କ ସାମୂହିକ ଦାୟିତ୍ୱ। ଏହି ଚେତନାକୁ ନେଇ ନୂଆପଡ଼ାରେ “ପ୍ରତ୍ୟେକ ଗାଁ ପ୍ରତ୍ୟେକ ପରିବାର ସାମୂହିକ ଦାୟିତ୍ୱ”ର ସଂକଳ୍ପ ସହିତ ‘ସ୍ୱଚ୍ଛତା ହିଁ ସେବା–୨୦୨୬’ ଅଭିଯାନ ଆଗେଇ ଚାଲିଛି।ସଚେତନତାକୁ କାର୍ଯ୍ୟରେ, କାର୍ଯ୍ୟକୁ ଅଭ୍ୟାସରେ ଏବଂ ଅଭ୍ୟାସକୁ ସ୍ଥାୟୀ ସ୍ୱଚ୍ଛତା ସଂସ୍କୃତିରେ ପରିଣତ କରିବା ଲକ୍ଷ୍ୟରେ ନୂଆପଡ଼ାରେ ପ୍ରଶାସନ ଓ ଜନସାଧାରଣଙ୍କ ଏହି ଏକତ୍ରିତ ପ୍ରୟାସ ଜିଲ୍ଲାର ସ୍ୱଚ୍ଛତା ଅଭିଯାନକୁ ଏକ ନୂଆ ଦିଗ ଦେଉଛି।