Home ରାଜ୍ୟକୋମନା ବ୍ଲକ କାଣ୍ଡେତରା ପଞ୍ଚାୟତରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର।

କୋମନା ବ୍ଲକ କାଣ୍ଡେତରା ପଞ୍ଚାୟତରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର।

ପ୍ରବାସୀ ଶ୍ରମିକ ସଂଖ୍ୟା ଶୂନ୍ୟକୁ ଆଣିବାକୁ ଆହ୍ୱାନ, ସରକାରୀ ଯୋଜନାରେ ସାମିଲ ହୋଇ ‘ମହାଲକ୍ଷପତି’ ହେବାକୁ ମହିଳାଙ୍କୁ ଜିଲ୍ଲାପାଳଙ୍କ ପରାମର୍ଶ।

by Maraguda Express
0 comments
ନୂଆପଡ଼ା-୧୯/୦୯-କୋମନା ବ୍ଲକ ଅନ୍ତର୍ଗତ କାଣ୍ଡେତରା ଗ୍ରାମ ପଞ୍ଚାୟତରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଓ ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ସୁର୍ମି ସୋରେନ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଦ୍ୱାରିକାନାଥ ଶତପଥୀ, କୋମନା ତହସିଲଦାର ସୌରଭ କୁମାର ବିଶି, ଏବିଡିଓ ଭକ୍ତବନ୍ଧୁ ବୁଡେକ, ସ୍ଥାନୀୟ ସରପଞ୍ଚ କଲ୍ୟାଣୀ ଦାସ, ପିଇଓ ଗିରିଧାରୀ ତାଣ୍ଡିଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀ ଯୋଗଦେଇଥିଲେ।ଏହି ଅବସରରେ ଶ୍ରମିକ, କୃଷକ, ମହିଳା ଓ ସାଧାରଣ ଲୋକଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା, ଉପଲବ୍ଧ ସୁବିଧା ଏବଂ ଏହାର ଲାଭ ପାଇବାର ପ୍ରକ୍ରିୟା ସମ୍ପର୍କରେ ସଚେତନ କରାଯାଇଥିଲା। ବିଶେଷକରି ପ୍ରବାସୀ ଶ୍ରମିକମାନେ ବାହାର ରାଜ୍ୟକୁ ଯାଇ କାମ କରିବା ସମୟରେ ସମ୍ମୁଖୀନ ହେଉଥିବା ସମସ୍ୟା, ଶ୍ରମିକଙ୍କ ଅଧିକାର ଏବଂ ଜିଲ୍ଲାରେ ଉପଲବ୍ଧ ସ୍ଥାନୀୟ ଜୀବିକା ସୁଯୋଗ ସମ୍ପର୍କରେ ଆଲୋଚନା କରାଯାଇଥିଲା।କାର୍ଯ୍ୟକ୍ରମର ଆରମ୍ଭରେ ‘ଝିଅ ପାଇଁ ଗଛଟିଏ’ ଓ ‘ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜିଲ୍ଲାପାଳ ନବଜାତ କନ୍ୟାଶିଶୁ ଆରାଧ୍ୟା ଶବରଙ୍କୁ କୋଳରେ ଧରି ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଶିଶୁର ପିତାମାତାଙ୍କୁ ଉପହାର ଓ ବୃକ୍ଷଚାରା ପ୍ରଦାନ କରିଥିଲେ। ସେହିପରି ୪ ଜଣ ଗର୍ଭବତୀ ମହିଳାଙ୍କୁ ଫଳ, ପନିପରିବା, ପୁଷ୍ଟିକର ଖାଦ୍ୟ ସାମଗ୍ରୀ ଓ ଉପହାର ବଣ୍ଟନ କରାଯାଇଥିଲା। ଉଦ୍‌ବୋଧନ ଦେଇ ଜିଲ୍ଲାପାଳ ଶ୍ରୀ ଦାଶ କହିଥିଲେ ଯେ, ଦାଦନ ସର୍ଦ୍ଦାରଙ୍କ ପ୍ରଲୋଭନରୁ ସତର୍କ ରହି ପ୍ରବାସୀ ଶ୍ରମିକମାନେ ନିଜ ଅଞ୍ଚଳରେ ଉପଲବ୍ଧ ଜୀବିକା ସୁଯୋଗର ସଦୁପଯୋଗ କରିବା ଆବଶ୍ୟକ। ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ ହୋଇ ମହିଳାମାନେ ନିଜ ଆୟ ବୃଦ୍ଧି କରିବା ସହ ଆର୍ଥିକ ଭାବେ ସ୍ୱାବଲମ୍ବୀ ହୋଇ ‘ମହାଲକ୍ଷପତି’ ହେବା ଦିଗରେ ଆଗେଇ ଆସିବାକୁ ସେ ପରାମର୍ଶ ଦେଇଥିଲେ। ‘ଭିବି-ଜି ରାମ୍-ଜି’ କାର୍ଯ୍ୟକ୍ରମ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସୁଯୋଗ ନେଇ ଗ୍ରାମାଞ୍ଚଳର ପରିବାରଗୁଡ଼ିକ ନିଜ ଅଞ୍ଚଳରେ କାମ କରି ଆୟ ବୃଦ୍ଧି କରିବା ସହ ସ୍ୱାବଲମ୍ବୀ ହୋଇପାରିବେ ବୋଲି ଜିଲ୍ଲାପାଳ କହିଥିଲେ। ଜିଲ୍ଲାରୁ ପ୍ରବାସୀ ଶ୍ରମିକଙ୍କ ସଂଖ୍ୟାକୁ ଶୂନ୍ୟକୁ ଆଣିବା ଦିଗରେ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ସେ ଆହ୍ୱାନ ଦେଇଥିଲେ। ସିଙ୍ଗଲ୍‌-ୟୁଜ୍‌ ପ୍ଲାଷ୍ଟିକ୍‌ର ବ୍ୟବହାର ଦ୍ୱାରା ପରିବେଶ ଓ ସମାଜ ଉପରେ ପଡ଼ୁଥିବା କୁପ୍ରଭାବ ସମ୍ପର୍କରେ ମଧ୍ୟ ଜିଲ୍ଲାପାଳ ସଚେତନ କରିଥିଲେ। ଦାଦନ ସର୍ଦ୍ଦାରଙ୍କ ପ୍ରଲୋଭନରୁ ଯେପରି ସତର୍କ ରହିବା ଆବଶ୍ୟକ, ସେହିପରି ସିଙ୍ଗଲ୍‌-ୟୁଜ୍‌ ପ୍ଲାଷ୍ଟିକ୍‌କୁ ମଧ୍ୟ ସମାଜରୁ ଦୂରେଇବା ଆବଶ୍ୟକ ବୋଲି ସେ କହିଥିଲେ। ଏହି ଅବସରରେ ଜିଲ୍ଲାପାଳଙ୍କ ନେତୃତ୍ୱରେ ଉପସ୍ଥିତ ଅଧିକାରୀ, ଜନପ୍ରତିନିଧି ଓ ଜନସାଧାରଣ ସିଙ୍ଗଲ୍‌-ୟୁଜ୍‌ ପ୍ଲାଷ୍ଟିକ୍‌ ବର୍ଜନ ନେଇ ସାମୂହିକ ଶପଥ ଗ୍ରହଣ କରିଥିଲେ। ଏହି ଅବସରରେ ଶ୍ରମ ବିଭାଗ ପକ୍ଷରୁ ନିର୍ମାଣ ଶ୍ରମିକମାନଙ୍କୁ ଶ୍ରମିକ କାର୍ଡ ପ୍ରଦାନ କରାଯାଇଥିଲା। ଅନ୍ୟାନ୍ୟ ବିଭାଗ ପକ୍ଷରୁ ମଧ୍ୟ ବିଭିନ୍ନ ସରକାରୀ ଯୋଜନାର ସୁବିଧା ଓ ସାମଗ୍ରୀ ବଣ୍ଟନ କରାଯାଇଥିଲା। ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମନମୋହନ ମାଝୀ ଓ ନୂର୍‌ ଝାହାନ ବେଗମଙ୍କୁ ‘ସ୍ୱଚ୍ଛତା ଦୂତ ସମ୍ମାନ’ ପ୍ରଦାନ କରାଯାଇଥିଲା। ଜିଲ୍ଲାପାଳ ଶ୍ରୀ ଦାଶ ପୂର୍ବରୁ ପ୍ରବାସୀ ଶ୍ରମିକ ଭାବେ କାମ କରୁଥିବା ହରେରାମ ସତନାମୀଙ୍କ ଘରକୁ ଯାଇ ତାଙ୍କ ସହ ଆଲୋଚନା କରିଥିଲେ। ନିଜ ଅଞ୍ଚଳରେ ରହି ସରକାରଙ୍କ ବିଭିନ୍ନ ଯୋଜନାର ସୁଯୋଗ ନେଇ ଜୀବିକା ଉପାର୍ଜନ କରିବାକୁ ସେ ପରାମର୍ଶ ଦେଇଥିଲେ। ସେହିପରି ଦଶମ ଶ୍ରେଣୀର ଛାତ୍ର ଡାଏମଣ୍ଡ ସତନାମୀଙ୍କୁ ଭେଟି ତାଙ୍କ ପାଠପଢ଼ା ଓ ପରୀକ୍ଷା ପ୍ରସ୍ତୁତି ସମ୍ପର୍କରେ ପଚାରି ବୁଝିବା ସହ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବାକୁ ଜିଲ୍ଲାପାଳ ଉତ୍ସାହିତ କରିଥିଲେ।କାର୍ଯ୍ୟକ୍ରମ ଶେଷରେ ‘ପକ୍ଷୀ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ଆୟୋଜିତ ହୋଇ ପକ୍ଷୀମାନଙ୍କ ସୁରକ୍ଷା, ପରିବେଶ ସଂରକ୍ଷଣ ଓ ଜୈବ ବିବିଧତା ରକ୍ଷା ପାଇଁ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ଜିଲ୍ଲା ସମ୍ବଳ ସଂଯୋଜକ (ଡିଆର୍‌ସି) ଅନୀଲ କୁମାର ଲେଙ୍କା କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha