39
ନୂଆପଡ଼ା – ୧୧/୦୨ (ମାରାଗୁଡ଼ା ଏକ୍ସପ୍ରେସ) ନୂଆପଡ଼ା ଜିଲ୍ଲାପାଳ ମଧୁସୁଦନ ଦାଶଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସମ୍ମିଳନୀ ସଭାଗୃହରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଓ ଜଳଉତ୍ସ ଗଣନାର ପର୍ଯ୍ୟବେକ୍ଷଣ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକର ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ନାୟକ, ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କର୍ଯ୍ୟାଳୟ DPMU ର ଉପ ନିର୍ଦ୍ଦେଶକ ଦିଲେଶ୍ୱର ଧରୁଆଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗଦାନ କରିଥିଲେ। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଉପସ୍ଥାପନ କରିଥିବା ଶସ୍ୟକାଟର ଫଳାଫଳ ଗୁଡିକ ସର୍ବସମ୍ମତି କ୍ରମେ ଅନୁମୋଦିତ ହୋଇଥିଲା। ବୈଠକରୁ ଜଣାଗଲା ଯେ ଗତ ଖରିଫ ଋତୁରେ ୫୮୫୬୩ ଜଣ ଚାଷୀଙ୍କର ୫୧୫୯୬ ହେକ୍ଟର ଜମି ଫସଲ ବୀମା ହୋଇଥିଲା।
ଜିଲ୍ଲାରେ ଧାନ ପାଇଁ ମୋଟ ୫୩୬ ଟି ଶସ୍ୟ କାଟ ହୋଇଥିଲା ଏବଂ ହେକ୍ଟର ପିଛା ହାରାହାରି ୪୬.୮୪ କ୍ଵିଣ୍ଟାଲ ଧାନ ଅମଳ ହେଇଥିଲା। ସେହିପରି ମକାର ୮୦ ଟି ଶସ୍ୟ କାଟ ହୋଇଥିଲା ଏବଂ ହେକ୍ଟର ପିଛା ୨୦.୯୨ ହାରାହାରି ଅମଳ ହେଇଥିଲା। ଜିଲ୍ଲାପାଳ କୃଷିର ସର୍ବାଙ୍ଗୀନ ବିକାଶ ନିମନ୍ତେ ଜିଲ୍ଲା ସ୍ତରୀୟ ସମସ୍ତ ସଂପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି, ଜିଲ୍ଲାର ଜଳଉତ୍ସ ମାନଙ୍କର ଗଣନା ରିପୋର୍ଟ ମଧ୍ୟ ଉପସ୍ଥାପନ କରାଯାଇଥିଲା। ଏଥର ପ୍ରଥମ ଥର ପାଇଁ ଏହି ଗଣନାରେ ବୃହତ୍, ମଧ୍ୟମ ଏବଂ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ସହିତ ସମସ୍ତ ଝରଣା ଏବଂ ଜଳାଶୟ ଗୁଡିକର ସଠିକ୍ ଡିଜିଟାଲ ଗଣନା କରାଯିବ। ବର୍ତମାନ ଜିଲ୍ଲାର ସମସ୍ତ ୬୬୩ ଟି ଗ୍ରାମରେ ୧୮ ଜଣ ଗଣନାକାରୀ ଏବଂ ୫ ଜଣ ସୁପରଭାଇଜର ଦ୍ଵାରା ଏହି କାମ ଆଗେଇ ଚାଲିଛି। ଏଥର ଏହି ଗଣନାରେ ଜିଲ୍ଲାରେ କ୍ଷୁଦ୍ର ଜଳସେଚନ ବିଭାଗରେ ୭୫୮୦ ଟି ଭୂତଳଜଳ ଉତ୍ସ ଥିବାବେଳେ ୪୯୨ ଟି ଭୂପୃଷ୍ଠ ଜଳ ଉତ୍ସ ସ୍ଥାନ ପାଇଛି। ସେହିଭଳି ୧୭୦୦ ଟି ଜଳାଶୟ ଗଣନାରେ ସ୍ଥାନ ପାଇଛି। ଜିଲ୍ଲାରେ ଜଳାଶୟ ଗୁଡିକର ସଂଖ୍ୟା ପୂର୍ବ ଗଣନା ତୁଳନାରେ ହ୍ରାସ ପାଇଥିବାରୁ ଜିଲ୍ଲାପାଳ ଉଦ୍ ବେଗ ପ୍ରକାଶ କରିଥିଲେ। ଜିଲ୍ଲାରେ ସମସ୍ତ ସଂପୃକ୍ତ ବିଭାଗ ଜଳଉତ୍ସର ସଠିକ୍ ବିବରଣୀ ଉପ ନିର୍ଦ୍ଦେଶକ ଡି ପି ଏମ୍ ୟୁ ଙ୍କୁ ପ୍ରଦାନ କରିବେ । ଡିଜିଟାଲ ଗଣନା ସହିତ ଏସବୁର ଡାଟାବେସ ତିଆରି ହୋଇ କୃଷକ ତଥା ଜନସାଧାରଣଙ୍କ ସେବାରେ ବିନିଯୋଗ ହେବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।