31
ନୂଆପଡ଼ା -୨୪/୦୬- ଜିଲ୍ଲାର ସାମଗ୍ରିକ ଉନ୍ନୟନକୁ ତ୍ୱରାନ୍ୱିତ କରିବା ସହ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ସ୍ଥାନୀୟ ସଦ୍ଭାବନା ସଭାଗୃହରେ ୨୧ତମ ଜିଲ୍ଲା ଉନ୍ନୟନ ସମିତି (ଡିଡିସି) ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଭିନ୍ନ ବିଭାଗର କାର୍ଯ୍ୟଦକ୍ଷତା, ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ଓ ପ୍ରଶାସନିକ ସୁଧାର ସମ୍ପର୍କରେ ବ୍ୟାପକ ସମୀକ୍ଷା କରାଯାଇଥିଲା।
ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଡିଏଫଓ (ବନ୍ୟଜନ୍ତୁ) ସମୀର ସାହୁ, ଡିଏଫଓ (ପ୍ରାନ୍ତୀୟ) ଅଜିଜ୍ ଖାନ, ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ଦ୍ୱାରିକାନାଥ ଶତପଥୀଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ, ବିଡିଓ, ତହସିଲଦାର ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ।
ଉପ-ନିର୍ଦ୍ଦେଶକ (ପରିସଂଖ୍ୟାନ) ଦିଲେଶ୍ୱର ଧରୁଆ ପୂର୍ବ ବୈଠକର କାର୍ଯ୍ୟବିବରଣୀ ଉପସ୍ଥାପନ କରିଥିବାବେଳେ ଜିଲ୍ଲାପାଳ ଗତ ମାସର ବିଭାଗୀୟ କାର୍ଯ୍ୟଦକ୍ଷତା, ବିକାଶମୂଳକ କାର୍ଯ୍ୟର ଅଗ୍ରଗତି, ବିଭିନ୍ନ ସମସ୍ୟା ଏବଂ ସେଗୁଡ଼ିକର ସମାଧାନ ସମ୍ପର୍କରେ ଗଭୀର ସମୀକ୍ଷା କରିଥିଲେ।ସରକାରଙ୍କ ବଦଳି ନୀତିକୁ କଡ଼ାକଡ଼ି ଭାବେ ପାଳନ କରିବା ସହ ଆର୍ଥିକ ଅନିୟମିତତା ଓ ଠକେଇ ରୋକିବା ପାଇଁ ଆହରଣ ଏବଂ ବିତରଣ କର୍ତ୍ତୃପକ୍ଷଙ୍କୁ ସତର୍କ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ସେହିପରି ସମସ୍ତ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟରେ ଆସେଟ୍ ରେଜିଷ୍ଟର ନିୟମିତ ଭାବେ ସଂରକ୍ଷଣ କରିବାକୁ ମଧ୍ୟ ସେ ଗୁରୁତ୍ୱ ଦେଇଥିଲେ।ନଳକୂପ ମରାମତି କାର୍ଯ୍ୟରେ ବ୍ୟବହୃତ ଯନ୍ତ୍ରାଂଶର ମହଜୁଦ ସାମଗ୍ରୀ ଯାଞ୍ଚ କରି ମିଥ୍ୟା ଉପଯୋଗକୁ ରୋକିବା ପାଇଁ ବିଡିଓମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ଡିଜିଟାଲ୍ ପ୍ରଶାସନକୁ ଗୁରୁତ୍ୱ ଦେଇ ଓଏସ୍ୱାସ୍ ମାଧ୍ୟମରେ ଫାଇଲ୍ ଆଦାନ-ପ୍ରଦାନରେ ଉନ୍ନତି ହୋଇଥିବାରୁ ସେ ସନ୍ତୋଷ ପ୍ରକାଶ କରିଥିଲେ। ଆସନ୍ତା ଜୁଲାଇ ମାସ ସୁଦ୍ଧା ସମସ୍ତ ଫାଇଲ୍କୁ ଓଏସ୍ୱାସ୍ ମାଧ୍ୟମରେ ପରିଚାଳିତ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ।ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗ୍ରାମ ପଞ୍ଚାୟତ ଭବନଗୁଡ଼ିକର ଜମି ବନ୍ଦୋବସ୍ତ ପାଇଁ ୩୬ଟି ପ୍ରସ୍ତାବ ଦାଖଲ ହୋଇଥିବାବେଳେ ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକଙ୍କ ନୂତନ କାର୍ଯ୍ୟାଳୟ ପାଇଁ ଜମି ବନ୍ଦୋବସ୍ତ ପ୍ରକ୍ରିୟା ଶୀଘ୍ର ସମାପ୍ତ କରିବାକୁ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।ସେହିପରି ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ୭୦ ବର୍ଷ ଓ ତଦୁର୍ଦ୍ଧ୍ୱ ପେନସନଭୋଗୀଙ୍କ ସର୍ଭେ କାର୍ଯ୍ୟ ପ୍ରାୟ ୭୦ ପ୍ରତିଶତ ସମ୍ପୂର୍ଣ୍ଣ ହୋଇଛି। ଅବଶିଷ୍ଟ କାର୍ଯ୍ୟକୁ ଆଗାମୀ ୧୫ ଦିନ ମଧ୍ୟରେ ସମାପ୍ତ କରିବା ସହ ଉପଜିଲ୍ଲାପାଳମାନଙ୍କୁ ଏହାର ତଦାରଖ ଦାୟିତ୍ୱ ଦିଆଯାଇଥିଲା।ବୈଠକର ଶେଷରେ ଜିଲ୍ଲାପାଳ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନିଷ୍ଠା, ଉତ୍ସର୍ଗ ଓ ଦାୟିତ୍ୱବୋଧ ସହ କାର୍ଯ୍ୟ କରି ନୂଆପଡ଼ା ଜିଲ୍ଲାକୁ ଉନ୍ନୟନର ଏକ ନୂତନ ଦିଗକୁ ନେବା ପାଇଁ ଆହ୍ୱାନ ଜଣାଇଥିଲେ।