Home ରାଜ୍ୟବାଲ୍ୟବିବାହକୁ ନା, ବାଳିକା ଶିକ୍ଷାକୁ ହଁ !

ବାଲ୍ୟବିବାହକୁ ନା, ବାଳିକା ଶିକ୍ଷାକୁ ହଁ !

ନୂଆପଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ।

by Maraguda Express
0 comments
ନୂଆପଡ଼ା- ୯/୧୦-(ସୁରେନ୍ଦ୍ର ତିୱାରୀ) ବାଲ୍ୟବିବାହ ନିରାକରଣ, ବାଳିକାଙ୍କ ଶିକ୍ଷା ଜାରି ରଖିବା ଏବଂ ସେମାନଙ୍କ ଅଧିକାର ସୁରକ୍ଷା ଉପରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ନୂଆପଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆନ୍ତର୍ଜାତୀୟ ବାଳିକା ଦିବସ ଉପଲକ୍ଷେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଅକ୍ଟୋବର ୧୧ ତାରିଖରେ ପାଳନ ହେବାକୁ ଥିବା ଏହି ଦିବସ ପୂର୍ବରୁ ଆୟୋଜିତ କାର୍ଯ୍ୟକ୍ରମରେ ବାଳିକାଙ୍କ ଶିକ୍ଷା, ସୁରକ୍ଷା, ଆତ୍ମବିଶ୍ୱାସ ଓ ସମାନ ଅଧିକାର ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ବିଶିଷ୍ଟ ଶିକ୍ଷାବିଦ ଶିବ ପ୍ରାସାଦ ବେହେରା ଜିଲ୍ଲା ଶିକ୍ଷା ଅଧିକାରୀ ଡ. ପ୍ରଶାନ୍ତ କୁମାର ମହାନ୍ତି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ରେଶମଲାଲ ନାଏକ, ଜିଲ୍ଲା ବିଜ୍ଞାନ ଶିକ୍ଷା ନିରୀକ୍ଷକ ଗିରିଧାରୀ ସା, ଖରୀଆର ରୋଡ୍‌ସ୍ଥିତ ପିଏମ୍‌ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରବୋଧ କୁମାର ହୋତା, ବ୍ରେକ୍‌ଥ୍ରୁର ରାଜ୍ୟ ମୁଖ୍ୟ ଡ. ରୁକ୍ମଣୀ ପଣ୍ଡା, ଜୋନାଲ ଲିଡ୍ ସ୍ୱାହା ଦାସ, ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଡ. ପ୍ରଜ୍ଞା ବିଶ୍ୱାଳ, ଜିଲ୍ଲା ଜିଇସି ସଦସ୍ୟ ପ୍ରତାପ ଚନ୍ଦ୍ର ପାତ୍ର ଓ ବ୍ରେକ୍‌ଥ୍ରୁର ବରିଷ୍ଠ ପ୍ରବନ୍ଧକ ଉମାକାନ୍ତ ପାତ୍ର ଉପସ୍ଥିତ ଥିଲେ।ଆଲୋଚନାରେ ବାଳିକାଙ୍କ ଶିକ୍ଷାକୁ ଅବ୍ୟାହତ ରଖିବା, ସେମାନଙ୍କ ସ୍ୱପ୍ନ ଓ ଆକାଂକ୍ଷାକୁ ସମ୍ମାନ ଦେବା, ଲିଙ୍ଗଗତ ଭେଦଭାବ ଦୂର କରିବା ଏବଂ ବାଲ୍ୟବିବାହ ଭଳି ସାମାଜିକ ପ୍ରଥାକୁ ରୋକିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବାଳିକାଙ୍କ ପାଇଁ ସୁରକ୍ଷିତ ଓ ସମାନ ସୁଯୋଗଭିତ୍ତିକ ପରିବେଶ ଗଠନରେ ପରିବାର, ବିଦ୍ୟାଳୟ ଓ ସମାଜର ସମନ୍ୱିତ ଭୂମିକା ରହିଥିବା ନେଇ ମତ ପ୍ରକାଶ ପାଇଥିଲା।ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବନ୍ଧ, ବକ୍ତୃତା/ବିତର୍କ ଏବଂ ପୋଷ୍ଟର ଓ ସ୍ଲୋଗାନ ପ୍ରସ୍ତୁତି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ପ୍ରବନ୍ଧ ପ୍ରତିଯୋଗିତାର ବିଷୟ ଥିଲା ‘ବାଳିକା ଶିକ୍ଷାରେ ପରିବାର, ବିଦ୍ୟାଳୟ ଓ ଗୋଷ୍ଠୀର ଭୂମିକା’। ବକ୍ତୃତା/ବିତର୍କ ପ୍ରତିଯୋଗିତାରେ ବାଲ୍ୟବିବାହ କିପରି କିଶୋର-କିଶୋରୀଙ୍କ ଶିକ୍ଷା ସହ ସେମାନଙ୍କ ସ୍ୱପ୍ନକୁ ପ୍ରଭାବିତ କରେ, ତାହାକୁ ବିଷୟବସ୍ତୁ ଭାବେ ରଖାଯାଇଥିଲା। ସେହିପରି ପୋଷ୍ଟର ଓ ସ୍ଲୋଗାନ ପ୍ରସ୍ତୁତିର ବିଷୟ ଥିଲା ‘ମୋ ଭବିଷ୍ୟତ ଶ୍ରେଣୀଗୃହରେ ଉଜ୍ଜ୍ୱଳ, ବିବାହରେ ନୁହେଁ’।ପ୍ରତିଯୋଗିତାଗୁଡ଼ିକରେ ଛାତ୍ରଛାତ୍ରୀ ନିଜର ସୃଜନଶୀଳତା ଓ ସାମାଜିକ ସଚେତନତା ପ୍ରଦର୍ଶନ କରିଥିଲେ। କୃତୀ ପ୍ରତିଯୋଗୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ବ୍ରେକ୍‌ଥ୍ରୁ ଓ ଜିଲ୍ଲା ଶିକ୍ଷା ବିଭାଗର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମର ପରିଚାଳନାରେ ଅଫସାନା ବେଗମ୍ ସହଯୋଗ କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଶଙ୍କର ପୁରୋହିତ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ବାଳିକାଙ୍କୁ ଶିକ୍ଷିତ, ସ୍ୱାବଲମ୍ବୀ ଓ ଆତ୍ମନିର୍ଭର କରିବା ସହ ସେମାନଙ୍କୁ ନିଜ ଭବିଷ୍ୟତ ଗଢ଼ିବାର ସୁଯୋଗ ଦେବା ଏକ ସମାନତାଭିତ୍ତିକ ସମାଜ ଗଠନର ମୁଖ୍ୟ ଆଧାର ବୋଲି କାର୍ଯ୍ୟକ୍ରମରେ ବାର୍ତ୍ତା ଦିଆଯାଇଥିଲା।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha