Home ରାଜ୍ୟମାଗୁରପାଣିରୁ ଆରମ୍ଭ ହେଲା ପରିବେଶ ବିପ୍ଳବ! ‘ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ମୁକ୍ତ ଗ୍ରାମ’ ଗଠନରେ ନୂଆପଡ଼ାର ଅଭିନବ ପଦକ୍ଷେପ।

ମାଗୁରପାଣିରୁ ଆରମ୍ଭ ହେଲା ପରିବେଶ ବିପ୍ଳବ! ‘ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ମୁକ୍ତ ଗ୍ରାମ’ ଗଠନରେ ନୂଆପଡ଼ାର ଅଭିନବ ପଦକ୍ଷେପ।

by Maraguda Express
0 comments
ନୂଆପଡ଼ା-୧୨/୭- ପରିବେଶ ସୁରକ୍ଷା, ସ୍ୱଚ୍ଛତା ଓ ସବୁଜ ଭବିଷ୍ୟତ ଗଠନର ଦୃଢ଼ ସଂକଳ୍ପ ସହ ‘ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ମୁକ୍ତ ନୂଆପଡ଼ା’ ଅଭିଯାନ ଅନ୍ତର୍ଗତ ‘ଗାଁ ପରିମଳ ଗାଁ ମୁଣ୍ଡରୁ’ କାର୍ଯ୍ୟକ୍ରମରେ ନୂଆପଡ଼ା ବ୍ଲକର ମାଗୁରପାଣି ଗ୍ରାମ ପାଲଟିଛି ସଚେତନତାର ଏକ ଆଦର୍ଶ କେନ୍ଦ୍ର। ଗ୍ରାମକୁ ‘ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ମୁକ୍ତ ଗ୍ରାମ’ ଭାବେ ଗଢ଼ି ତୋଳିବା ଲକ୍ଷ୍ୟରେ ଆୟୋଜିତ ଏହି ଅଭିଯାନରେ ଜନସାଧାରଣଙ୍କ ଉତ୍ସାହପୂର୍ଣ୍ଣ ସହଭାଗିତା ଦେଖିବାକୁ ମିଳିଥିଲା।ଏହି ଅବସରରେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବର୍ଜନ କେବଳ ସରକାରଙ୍କ କାର୍ଯ୍ୟ ନୁହେଁ, ବରଂ ପ୍ରତ୍ୟେକ ନାଗରିକଙ୍କ ସାମୂହିକ ଦାୟିତ୍ୱ। ସ୍ୱଚ୍ଛତାକୁ ଜନଆନ୍ଦୋଳନରେ ପରିଣତ କରି ପ୍ରତ୍ୟେକ ଗ୍ରାମକୁ ପରିବେଶ ଅନୁକୂଳ କରିବା ପାଇଁ ସେ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ।ଗ୍ରାମ ପ୍ରବେଶ ପଥରେ ଅତିଥିମାନଙ୍କୁ ଭବ୍ୟ ସ୍ୱାଗତ କରାଯିବା ପରେ ଗ୍ରାମବାସୀ, ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟା ଓ ଯୁବବର୍ଗଙ୍କ ସହଯୋଗରେ ବ୍ୟାପକ ପ୍ଲାଷ୍ଟିକ୍ ଆବର୍ଜନା ସଂଗ୍ରହ ଓ ସ୍ୱଚ୍ଛତା ଅଭିଯାନ ପରିଚାଳିତ ହୋଇଥିଲା। ଜିଲ୍ଲାପାଳ ଗ୍ରାମର ବୟସ୍କ ବ୍ୟକ୍ତିମାନଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ବୁଝିବା ସହ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ସେବା ବ୍ୟବସ୍ଥାର ସମୀକ୍ଷା କରିଥିଲେ।ପରେ ସରକାରୀ ଉଚ୍ଚ ବିଦ୍ୟାଳୟ, ମାଗୁରପାଣିରେ ଆୟୋଜିତ ସଭାରେ ଛାତ୍ରୀମାନେ ସଂସ୍କୃତ ଶ୍ଳୋକ, ପୁଷ୍ପତିଳକ ଓ ଗାଇଡ୍ ଦଳର ବାଦ୍ୟବାଦନ ମାଧ୍ୟମରେ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ପ୍ରଦୀପ୍ତ କୁମାର ରଥ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଗ୍ରାମର ବରିଷ୍ଠ ବ୍ୟକ୍ତିମାନଙ୍କ ପକ୍ଷରୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।ଅବସରପ୍ରାପ୍ତ ଶିକ୍ଷକ ମିତ୍ରଭାନୁ ରାଉତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପସ୍ଥାପନ କରିଥିବାବେଳେ ଟ୍ୱିଙ୍କଲ ସାହୁ ଗ୍ରୁପ୍ ପକ୍ଷରୁ ପ୍ଲାଷ୍ଟିକ୍ ମୁକ୍ତ ସମାଜ ଗଠନ ଉପରେ ସଚେତନତାମୂଳକ ସଙ୍ଗୀତ ପରିବେଷଣ କରାଯାଇଥିଲା। ପ୍ରଧାନ ଶିକ୍ଷୟିତ୍ରୀ ଚିତ୍ତେଶ୍ୱରୀ ସାହୁ ବିଦ୍ୟାଳୟର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିବା ବେଳେ କ୍ରୀଡ଼ା ଶିକ୍ଷକ ମହତାବ ଆଡଜୁଆଡ଼ ବିଦ୍ୟାଳୟର କ୍ରୀଡ଼ା ସଫଳତା ଉପରେ ଆଲୋକପାତ କରିଥିଲେ।ଜିଲ୍ଲା ସ୍ୱଚ୍ଛତା ସଂଯୋଜକ ଅନିଲ କୁମାର ଲେଙ୍କା ଏକକ ବ୍ୟବହୃତ ପ୍ଲାଷ୍ଟିକ୍‌ର କୁପ୍ରଭାବ ବିଷୟରେ ସଚେତନ କରାଇ ବିକଳ୍ପ ପରିବେଶବନ୍ଧବ ସାମଗ୍ରୀ ବ୍ୟବହାର ଉପରେ ଗୁରୁତ୍ୱ ଦେଇଥିଲେ। ଜାନ୍ ର ସଭାପତି ସାମ୍ୱାଦିକ ଘନଶ୍ୟାମ ଭୋଇ ପରିବେଶ ସୁରକ୍ଷା ପାଇଁ ସାମୂହିକ ସଚେତନତା ଓ ଦାୟିତ୍ୱବୋଧର ଆବଶ୍ୟକତା ଉଲ୍ଲେଖ କରିଥିଲେ।ଏହି ଅବସରରେ ମାଟ୍ରିକ୍ ପରୀକ୍ଷାରେ କୃତୀ ଛାତ୍ରୀ ଡୋମେଶ୍ୱରୀ ସାହୁ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରତିଯୋଗିତାରେ ଜିଲ୍ଲା ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତର ପାଇଁ ମନୋନୀତ ପ୍ରିୟଙ୍କା ରଥଙ୍କୁ ଜିଲ୍ଲାପାଳ ଟ୍ରଫି ପ୍ରଦାନ କରି ସମ୍ମାନିତ କରିଥିଲେ। ସେହିପରି ‘ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ମୁକ୍ତ ନୂଆପଡ଼ା’ ଅଭିଯାନର ସଫଳ ନେତୃତ୍ୱ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମୃତିଫଳକ ପ୍ରଦାନ କରାଯାଇଥିଲା।ଶେଷରେ ଶିକ୍ଷକ ହେମସାଗର ସାହୁ ସମୂହ ସ୍ୱଚ୍ଛତା ଶପଥ ପାଠ କରାଇଥିବା ବେଳେ ସରପଞ୍ଚ ପ୍ରତିନିଧି ରୋହିତ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବୋଇରଭାଡ଼ି ଗ୍ରାମ ପଞ୍ଚାୟତର ସରପଞ୍ଚ ଲକ୍ଷ୍ମୀ ରାଉତ, ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟା ଓ ବହୁ ସଂଖ୍ୟକ ଗ୍ରାମବାସୀ ଉପସ୍ଥିତ ଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha