ନୂଆପଡ଼ା -୮/୯ (ସୁରେନ୍ଦ୍ର ତିୱାରୀ ) ନୂଆପଡ଼ା ଇତିହାସ ର ଲୋକ ପ୍ରିୟ ବିଧାୟକ ରାଜୁ ଭାଇ ଆଜି ଆଉ ନାହାନ୍ତି। ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଓ ବିରୋଧୀଦଳ ନେତା । ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ହୋଇଛି। ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା । ହୃଦଘାତର ଶିକାର ହେବାପରେ ଘରୋଇ ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଥିଲା। ନୂଆପଡ଼ା ବିଧାନସଭା ଆସନରୁ ୪ ଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ରାଜେନ୍ଦ୍ର ଢୋଲକିଆ। ରାଜେନ୍ଦ୍ର ନୂଆପଡ଼ା ବିଧାନସଭା ଆସନରୁ ୨୦୦୪ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ି ନିର୍ବାଚିତ ହୋଇଥିଲେ। ୨୦୦୯ ମସିହାରେ ବିଜେଡି ପ୍ରାର୍ଥୀ ହୋଇ ପୁଣି ନିର୍ବାଚିତ ହୋଇଥିଲେ। ୨୦୧୪ରେ ପରାଜୟ ପରେ ପୁଣି ୨୦୧୯ରେ ବିଜେଡି ଟିକେଟରେ ନିର୍ବାଚିତ ହୋଇ ରାଜ୍ୟ ସରକାରଙ୍କ ଯୋଜନା ଓ ସଂଯୋଜନା ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ହୋଇଥିଲେ। ୨୦୨୪ରେ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କ ବିୟୋଗରେ ନୂଆପଡ଼ାରେ ଶୋକର ଛାୟା ଖେଳିଯାଇଛି।
ସେପଟେ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ସେ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ ଏକ୍ସରେ ପୋଷ୍ଟ ସେୟାର କରି କହିଛନ୍ତି, “ନୂଆପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢ଼ୋଲକିଆଙ୍କ ଦେହାନ୍ତ ବିଷୟରେ ଜାଣି ଅତ୍ୟନ୍ତ ଦୁଃଖିତ । ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି । ଓଁ ଶାନ୍ତି”।
ସେହିପରି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମଧ୍ୟ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତକୁ ଶୋକ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, “ବିଜୁ ଜନତା ଦଳର ବରିଷ୍ଠ ରାଜନେତା, ନୂଆପଡ଼ାର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଗଭୀର ଦୁଃଖିତ। ଦଳର ସଙ୍ଗଠନକୁ ମଜଭୁତ କରିବା ସହ ଲୋକଙ୍କ ହକ୍ ପାଇଁ ସ୍ୱର ଉଠାଇବାରେ ସେ ସବୁବେଳେ ଆଗରେ ଥିଲେ। ତାଙ୍କ ବିୟୋଗ ଦଳ ପାଇଁ ଏକ ଅପୂରଣୀୟ କ୍ଷତି। ଜନସେବାରେ ତାଙ୍କର କାର୍ୟ୍ୟ ସବୁବେଳେ ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି ।”
ଅନ୍ୟପଟେ ପିସିସି ସଭାପତି ଭକ୍ତ ଚରଣ ଦାସ ମଧ୍ୟ ଦିବଙ୍ଗତ ଆତ୍ମାର ସଦଗତି କାମନା କରିଛନ୍ତି । ସେ ମଧ୍ୟ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ପୋଷ୍ଟ ସେୟାର କରି କହିଛନ୍ତି, “ଦୀର୍ଘ ଧରି ଅସୁସ୍ଥ ରହିବା ପରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ । ପରିବାର ଓ ପରିଜନ ପ୍ରତି ସମବେଦନା ଜଣାଉଛି ।” ଲୋକ ପ୍ରିୟ ବିଧାୟକଙ୍କ ସାମାଜ ପ୍ରତି ଅବଦାନ ,ଆବେଗ ଓ ସେବା କୁ ଝୁରି ହେଉଛନ୍ତି ନୂଆପଡ଼ା ଜନତା। ନୂଆପଡ଼ା ଜିଲ୍ଲା ବିଜେଡ଼ି ମହଲ ରେ ଶୋକ ଖେଳି ଯାଇଛି। ବିଜେଡ଼ି ଜିଲ୍ଲା ସଭାପତି ଅବନୀ ରଞ୍ଜନ ଯୋଷି, ଖଡିଆଳ ବିଧାୟକ ଅଧିରାଜ୍ ମୋହନ୍ ପାଣିଗ୍ରାହୀ, ପୁର୍ବତନ ଜିଲ୍ଲା ସଭାପତି ତଥା କୋମନା ବ୍ଲକ ଅଧ୍ୟକ୍ଷ ମନୋଜ ମିଶ୍ର,ଖିତିଶ ଅଶୋକ ବୋଧଙ୍କର (ସିତୁ ଭାଇ) ପ୍ରମୁଖ ସମବେଦନା ଓ ଶୋକ ଜଣାଇ ଆମର ଆତ୍ମା ର ସଦଗତି କାମନା କରିଛନ୍ତି। ଜିଲ୍ଲା ର ସମସ୍ତ ବିଜେଡ଼ି କର୍ମି ମହଲ ରେ ଶୋକ ଖେଳି ଯାଇଛି।
ରାଜୁ ଭାଇ ତମେ ଆଉ କେବେ ଫେରିବ
125