61
ନୂଆପଡ଼ା -୨୭/୪- ନୂଆପଡ଼ା ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ‘ମାରାଗୁଡ଼ା ସାହିତ୍ୟ ସଂସଦ’ ପକ୍ଷରୁ ସ୍ଥାନୀୟ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଏକ ଭବ୍ୟ ସାହିତ୍ୟିକ ସମାରୋହ ଗତ କାଲି ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସଂସଦର ମୁଖପତ୍ର ‘ପ୍ରଜ୍ଞା’ ଏବଂ ବିଶିଷ୍ଟ ସଦସ୍ୟ ରାଧେଶ୍ୟାମ ଦାସଙ୍କ ଲଳିତ ନିବନ୍ଧ ପୁସ୍ତକ ‘ଅଜବ ଦୁନିଆ’ ଲୋକାର୍ପିତ ହୋଇଛି। ଶତାଧିକ ସାହିତ୍ୟ ପ୍ରେମୀ ଙ୍କ ଗହଣରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଗବେଷକ ତଥା ପ୍ରଶାସକ ଡ. ବାସୁଦେବ ସୁନାନୀ ଯୋଗ ଦେଇଥିଲେ। ସେ ନିଜ ଅଭିଭାଷଣରେ କହିଥିଲେ ଯେ, “ସାହିତ୍ୟ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଏହା ସମାଜ ସଂସ୍କାର ଓ ଗଠନ ପାଇଁ ଏକ ଶକ୍ତିଶାଳୀ ଆୟୁଧ। ସାହିତ୍ୟ ଓ ସୃଜନଶୀଳତାକୁ ଦୀର୍ଘସ୍ଥାୟୀ କରିବାକୁ ହେଲେ ନିୟମିତ ଅଧ୍ୟବସାୟ ଓ ଅନୁଭୂତିକୁ ରୂପାୟନ କରିବାର ଦୁର୍ବାର ଇଚ୍ଛାଶକ୍ତି ଆବଶ୍ୟକ।”