56
ନୂଆପଡ଼ା- ୨୧/୬- ନୂଆପଡ଼ା ଜିଲ୍ଲାର ସିନାପାଲି ଓ ଗଣ୍ଡାବାହାଲି ଅଞ୍ଚଳରେ ଶନିବାର ଆନ୍ତର୍ଜାତୀୟ ଯୋଗ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଉଭୟ ସ୍ଥାନରେ ଅନୁଷ୍ଠିତ ଯୋଗ ଶିବିରରେ ବହୁ ସଂଖ୍ୟକ ଜନସାଧାରଣ, ଛାତ୍ରଛାତ୍ରୀ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇ ସୁସ୍ଥ ଜୀବନଶୈଳୀ ପାଇଁ ଯୋଗର ଗୁରୁତ୍ୱକୁ ଅନୁଭବ କରିଥିଲେ।
ସିନାପାଲି ବ୍ଲକ ପ୍ରଶାସନ, ପତଞ୍ଜଳି ଯୋଗ ସମିତି ଓ ଗାୟତ୍ରୀ ଶକ୍ତିପୀଠର ମିଳିତ ଆନୁକୂଲ୍ୟରେ ସିନାପାଲି ଗାୟତ୍ରୀ ଶକ୍ତିପୀଠ ପରିସରରେ ବ୍ଲକସ୍ତରୀୟ ଯୋଗ ସମାବେଶ ଆୟୋଜିତ ହୋଇଥିଲା। ଯୋଗ ସମିତିର ସମ୍ପାଦକ ନବୀନଚନ୍ଦ୍ର ମେହେର ଅତିଥି ଓ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରିଥିଲେ। ତହସିଲ ପ୍ରଭାରୀ ହୃଷିକେଶ ମେହେର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଏହି ଅବସରରେ ଏବିଡିଓ ସୁବ୍ରତ କୁମାର ପରିଡା, ବିଏସଏସଓ ହରେକୃଷ୍ଣ ନାଏକ, ସହକାରୀ ବିଏସଏସଓ ଓମପ୍ରକାଶ ମାଝୀ, ଡବ୍ଲୁଇଓ ସୁନୀଲ ସାମଲ, ଜୁନିଅର ଇଞ୍ଜିନିୟର ଲିଲେଶ୍ୱର ମାଝୀ, ପୂର୍ଣ୍ଣଚନ୍ଦ୍ର ମେହେର, ତୁଳସୀରାମ ମେହେର, ମନିଷ ପଟେଲ, ତ୍ରିନାଥ ମେହେର, ପ୍ରିୟରଞ୍ଜନ ମେହେର, ନନ୍ଦକୁମାର ପାତ୍ର, ଖୁସିରାମ ମେହେର, ବଂଶୀଧର ଜଗତ, ରାଜେଶ ଅଗ୍ରୱାଲ ଓ ତରୁଣ କୁମାର ମେହେର ପ୍ରମୁଖ ଉପସ୍ଥିତ ଥିଲେ। ଯୋଗାଗୁରୁ ଭାବେ ତ୍ରିନାଥ ମେହେର ବିଭିନ୍ନ ଯୋଗାସନ ଓ ପ୍ରାଣାୟାମର ପ୍ରଦର୍ଶନ କରାଇଥିଲେ।
ସେହିପରି ଗଣ୍ଡାବାହାଲି ହାଇସ୍କୁଲ ପଡ଼ିଆରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ତତ୍ତ୍ୱାବଧାନରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଥିଲା। ସ୍ଥାନୀୟ ହାଇସ୍କୁଲ, ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ରଛାତ୍ରୀ ଏବଂ ବହୁ ସଂଖ୍ୟକ ସାଧାରଣ ଲୋକ ଯୋଗ ଶିବିରରେ ଅଂଶଗ୍ରହଣ କରିଥିଲେ।
ଗଣ୍ଡାବାହାଲି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ଡା. ବିଦ୍ୟାଭୂଷଣ ବାରିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୋଗକୁ ସୁସ୍ଥ ଜୀବନର ମୂଳମନ୍ତ୍ର ବୋଲି କହିଥିଲେ। ପ୍ରଧାନ ଶିକ୍ଷକ ଜଗନ୍ନାଥ ସେଠୀ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ହେମସାଗର ସାହୁ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିଥିଲେ। ଯୋଗାଗୁରୁ ଭାବେ ଦ୍ରୋଣେଶ୍ୱର ଜଗତ ଏବଂ ଗୀତାଞ୍ଜଳୀ ମେହେର ଯୋଗାସନ ଅଭ୍ୟାସ କରାଇଥିଲେ।
କାର୍ଯ୍ୟକ୍ରମ ଆରମ୍ଭରେ ଗୁପ୍ତେଶ୍ୱର ମେହେର ସମସ୍ତଙ୍କୁ ସ୍ୱାଗତ ଜଣାଇଥିବା ବେଳେ ବିଜ୍ଞାନ ଶିକ୍ଷକ କୈଳାସ ଚନ୍ଦ୍ର ଦାସ ଯୋଗ ଦିବସ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉଭୟ କାର୍ଯ୍ୟକ୍ରମରେ ବକ୍ତାମାନେ ବର୍ତ୍ତମାନର ବ୍ୟସ୍ତ ଓ ଚାପପୂର୍ଣ୍ଣ ଜୀବନଶୈଳୀରେ ଶାରୀରିକ ସୁସ୍ଥତା ସହିତ ମାନସିକ ସନ୍ତୁଳନ ବଜାୟ ରଖିବା ପାଇଁ ଯୋଗର ଅପରିହାର୍ଯ୍ୟତା ଉପରେ ଗୁରୁତ୍ୱାରୋପ କରିଥିଲେ। ନିୟମିତ ଯୋଗାଭ୍ୟାସ ଦ୍ୱାରା ସୁସ୍ଥ, ସଚେତନ ଓ ସକାରାତ୍ମକ ଜୀବନ ଗଠନ ସମ୍ଭବ ବୋଲି ମତ ପ୍ରକାଶ ପାଇଥିଲା।