36
ନୂଆପଡ଼ା, ୩/୦୭: ପରିବେଶ ସୁରକ୍ଷା, ଜଳବାୟୁ ପରିବର୍ତ୍ତନର ମୁକାବିଲା ଏବଂ ଆଗାମୀ ପିଢ଼ି ପାଇଁ ସବୁଜ ଭବିଷ୍ୟତ ଗଢ଼ି ତୋଳିବାର ସଂକଳ୍ପ ସହ ନୂଆପଡ଼ା ଜିଲ୍ଲାର ବୋଡ଼େନ ରେ ୭୭ତମ ବନ ମହୋତ୍ସବ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ବନ ବିଭାଗର ଆୟୋଜନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଶାସନ, ନ୍ୟାୟ ବିଭାଗ, ପୁଲିସ, ଶିକ୍ଷକ, ଛାତ୍ରଛାତ୍ରୀ ଏବଂ ସାଧାରଣ ଜନସାଧାରଣଙ୍କ ବ୍ୟାପକ ଅଂଶଗ୍ରହଣ ସମଗ୍ର ପରିବେଶକୁ ସବୁଜ ସଚେତନତାର ବାର୍ତ୍ତାରେ ମୁଖରିତ କରିଥିଲା। ଫରେଷ୍ଟର ଖଗେଶ୍ୱର ମାଝୀଙ୍କ ନେତୃତ୍ୱରେ ଆୟୋଜିତ ଏହି ବନ ମହୋତ୍ସବରେ ତାଲୁକ ସ୍ତରୀୟ ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ପ୍ରଥମ ଶ୍ରେଣୀ ବିଚାରପତି ରାଜେଶ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ବୋଡ଼େନ ବିଡିଓ ଚିନ୍ମୟ କୁମାର ସାଗର, ଆଇଆଇସି ଧର୍ମେନ୍ଦ୍ର କୁମାର ଭୁଏ, ଅଧ୍ୟାପକ ଗୟାଧର ମହାନ୍ତି, ପ୍ରଧାନ ଶିକ୍ଷକ ଦୈତାରି ବିଶ୍ୱାଳ ଓ ଫରେଷ୍ଟର ସଞ୍ଜୟ କୁମାର ମାଝୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀ, ବନ ବିଭାଗ, ପୁଲିସ ଓ କୋର୍ଟ କର୍ମଚାରୀ ବିଭିନ୍ନ ପ୍ରଜାତିର ଚାରା ରୋପଣ କରି ପରିବେଶ ସୁରକ୍ଷା ପ୍ରତି ନିଜର ଦାୟିତ୍ୱ ବୋଧର ପରିଚୟ ଦେଇଥିଲେ। ସଭାକୁ ସମ୍ବୋଧିତ କରି ବିଚାରପତି ରାଜେଶ କୁମାର ଦାଶ କହିଥିଲେ, “କେବଳ ଗଛ ଲଗାଇବା ଯଥେଷ୍ଟ ନୁହେଁ, ତାହାର ଯତ୍ନ ନେଇ ଗଛକୁ ବଞ୍ଚାଇବା ହିଁ ଆମର ପ୍ରକୃତ କର୍ତ୍ତବ୍ୟ। ଆଜିର ଗୋଟିଏ ଚାରା ଆସନ୍ତା ପିଢ଼ି ପାଇଁ ଅମୂଲ୍ୟ ସମ୍ପଦରେ ପରିଣତ ହେବ।”ଫରେଷ୍ଟର ଖଗେଶ୍ୱର ମାଝୀ ସୂଚନା ଦେଇ କହିଥିଲେ ଯେ ଚଳିତ ବର୍ଷ ବୋଡ଼େନ ଏନଏନଆର ଅଞ୍ଚଳରେ ୩୦ ହେକ୍ଟର ଜମିରେ ବ୍ୟାପକ ବୃକ୍ଷରୋପଣ କରାଯିବ। ସେ କହିଥିଲେ, ବନ ସୁରକ୍ଷା କେବଳ ବନ ବିଭାଗର ଦାୟିତ୍ୱ ନୁହେଁ, ବରଂ ସମଗ୍ର ସମାଜର ସକ୍ରିୟ ସହଯୋଗରେ ହିଁ ସବୁଜ ପରିବେଶ ଗଢ଼ି ଉଠିପାରିବ।ପରେ ବୋଡ଼େନ ଯୁକ୍ତ ଦୁଇ ମହାବିଦ୍ୟାଳୟ ପରିସରରେ ମଧ୍ୟ ବନ ମହୋତ୍ସବ ପାଳିତ ହୋଇଥିଲା। ବନ ବିଭାଗ ପକ୍ଷରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ବୃକ୍ଷରୋପଣ ପାଇଁ ଚାରା ଯୋଗାଇ ଦେବାକୁ ଘୋଷଣା କରାଯିବା ସହ ପ୍ରତ୍ୟେକ ଛାତ୍ରଛାତ୍ରୀ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବାକୁ ସଂକଳ୍ପ ଗ୍ରହଣ କରିଥିଲେ।“ଗଛ ଲଗାନ୍ତୁ, ଗଛ ବଞ୍ଚାନ୍ତୁ” ସ୍ଲୋଗାନରେ ମୁଖରିତ ଏହି ବନ ମହୋତ୍ସବ କେବଳ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସୀମିତ ରହିନଥିଲା; ବରଂ ସବୁଜ ପରିବେଶ ସୃଷ୍ଟି, ଜୈବ ବିବିଧତାର ସୁରକ୍ଷା ଏବଂ ସୁସ୍ଥ ଆଗାମୀ ପାଇଁ ସମାଜର ସମସ୍ତ ସ୍ତରକୁ ଏକାଠି କରିବାର ଏକ ପ୍ରେରଣାଦାୟକ ଅଭିଯାନରେ ପରିଣତ ହୋଇଥିଲା।