Home ରାଜ୍ୟଡାକ୍ତରୀ ଆନ୍ଦୋଳନ ମଧ୍ୟରେ ଅଭାବନୀୟ ଘଟଣା : ଚିକିତ୍ସା ଅଭାବରୁ ପ୍ରସୂତୀଙ୍କ ମୃତ୍ୟୁ ଅଭିଯୋଗ, ଅଞ୍ଚଳରେ ତୀବ୍ର ଅସନ୍ତୋଷ।

ଡାକ୍ତରୀ ଆନ୍ଦୋଳନ ମଧ୍ୟରେ ଅଭାବନୀୟ ଘଟଣା : ଚିକିତ୍ସା ଅଭାବରୁ ପ୍ରସୂତୀଙ୍କ ମୃତ୍ୟୁ ଅଭିଯୋଗ, ଅଞ୍ଚଳରେ ତୀବ୍ର ଅସନ୍ତୋଷ।

by Maraguda Express
0 comments
ନୂଆପଡ଼ା -୪/୭- ନୂଆପଡ଼ା ଜିଲ୍ଲାରେ ଜାରି ରହିଥିବା ଡାକ୍ତରୀ ଆନ୍ଦୋଳନ ମଧ୍ୟରେ ଏକ ଅତ୍ୟନ୍ତ ଦୁଃଖଦ ତଥା ଅଭାବନୀୟ ଘଟଣା ସାମନାକୁ ଆସିଛି। ଠିକ୍ ସମୟରେ ଚିକିତ୍ସା ସେବା ନମିଳିବା ଯୋଗୁଁ ଜଣେ ପ୍ରସୂତୀଙ୍କ ମୃତ୍ୟୁ ଘଟିଥିବା ନେଇ ସଙ୍ଗୀନ ଅଭିଯୋଗ ହୋଇଛି। ଏହି ହୃଦୟବିଦାରକ ଘଟଣାଟି ଖଡ଼ିଆଳ ବ୍ଲକର ବିରିଘାଟ ଗ୍ରାମରେ ଘଟିଥିବା ବେଳେ, ଏହାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯିବା ସହ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଆମ୍ବୁଲାନ୍ସରେ ଜନ୍ମ ନେଲା ଶିଶୁ, ହସ୍ପିଟାଲରେ ମିଳିଲାନି ଚିକିତ୍ସା।
ମୃତ ପ୍ରସୂତୀ ଜଣକ ହେଲେ ବିରିଘାଟ ଗ୍ରାମର ଗୀତାଞ୍ଜଳି ଖର୍ସେଲ (ସ୍ୱାମୀ- ଭଲ ଖର୍ସେଲ)। ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଗୀତାଞ୍ଜଳିଙ୍କର ପ୍ରସବ ବେଦନା ଆରମ୍ଭ ହୋଇଥିଲା। ତାଙ୍କୁ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଉଥିବା ବେଳେ ରାସ୍ତାରେ ହିଁ ସେ ଏକ ସୁସ୍ଥ ଶିଶୁକୁ ଜନ୍ମ ଦେଇଥିଲେ।
ତେବେ ପ୍ରସବ ପରେ ଜରାୟୁର ଫୁଲ (ପ୍ଲାସେଣ୍ଟା) ବାହାରି ନଥିବାରୁ ଗୀତାଞ୍ଜଳିଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଗୁରୁତର ହୋଇପଡ଼ିଥିଲା। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ସେହି ସମୟରେ ଡାକ୍ତରମାନଙ୍କ ଆନ୍ଦୋଳନ ଚାଲିଥିବାରୁ ଖଡ଼ିଆଳ ହସ୍ପିଟାଲରେ କୌଣସି ଡାକ୍ତର ଉପସ୍ଥିତ ନଥିଲେ, ଯାହାଫଳରେ ଆବଶ୍ୟକ ସମୟୋପଯୋଗୀ ଜରୁରୀକାଳୀନ ଚିକିତ୍ସା ମିଳିପାରିନଥିଲା। କାର୍ଯ୍ୟରତ ନର୍ସମାନେ ନିଜ ସ୍ତରରେ ପ୍ରୟାସ କରିଥିଲେ ହେଁ ରୋଗୀଙ୍କ ଅବସ୍ଥାରେ କୌଣସି ସୁଧାର ଆସିନଥିଲା।
ହସ୍ପିଟାଲରୁ ହସ୍ପିଟାଲ ଦଉଡ଼ିଲେ, ବାଟରେ ଗଲା ଜୀବନ।
ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ରାତି ପ୍ରାୟ ୧୧ ଟାରେ ଗୀତାଞ୍ଜଳିଙ୍କୁ ଖଡ଼ିଆଳ ମିଶନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା କିନ୍ତୁ ସେଠାରେ ମଧ୍ୟ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରୁ ରାତି ପ୍ରାୟ ୨ ଟାରେ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଛତିଶଗଡ଼ର ରାଜଧାନୀ ରାୟପୁର କୁ ରେଫର କରାଯାଇଥିଲା। ମାତ୍ର ଦୁର୍ଭାଗ୍ୟବଶତଃ, ରାୟପୁର ନେବା ବାଟରେ ହିଁ ଗୀତାଞ୍ଜଳି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।
ପରିବାରର ସଙ୍ଗୀନ ଅଭିଯୋଗ : “ଡାକ୍ତରମାନଙ୍କ ଆନ୍ଦୋଳନ ଯୋଗୁଁ ଆମକୁ ଠିକ୍ ସମୟରେ ଡାକ୍ତରୀ ସେବା ମିଳିଲା ନାହିଁ। ଯଦି ସରକାରୀ ହସ୍ପିଟାଲରେ ଡାକ୍ତର ଥାଆନ୍ତେ, ତେବେ ବୋଧହୁଏ ଆଜି ଗୀତାଞ୍ଜଳି ଜୀବିତ ଥାଆନ୍ତେ।”
ସ୍ୱାସ୍ଥ୍ୟ ବିଭାଗ ନିରବ, ଜରୁରୀକାଳୀନ ସେବା ଉପରେ ପ୍ରଶ୍ନବାଚୀ ?
ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲେ ସୁଦ୍ଧା, ଏପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଭାଗ କିମ୍ବା ଆନ୍ଦୋଳନରତ ଡାକ୍ତରୀ ସଂଘ ପକ୍ଷରୁ କୌଣସି ଆଧିକାରିକ ପ୍ରତିକ୍ରିୟା ମିଳିପାରି ନାହିଁ।
ଏହି ଦୁଃଖଦ ସୂଚନା ସାମନାକୁ ଆସିବା ପରେ ଜିଲ୍ଲାର ଜରୁରୀକାଳୀନ ସ୍ୱାସ୍ଥ୍ୟ ବ୍ୟବସ୍ଥା ଏବଂ ଆନ୍ଦୋଳନ ସମୟରେ ବିକଳ୍ପ ଚିକିତ୍ସା ସେବାର ବ୍ୟବସ୍ଥାକୁ ନେଇ ପୁଣି ଥରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆନ୍ଦୋଳନ ଆଳରେ ସାଧାରଣ ଗରିବ ଲୋକଙ୍କ ଜୀବନ ସହ ଖେଳାଯାଉଥିବା ନେଇ ସାଧାରଣରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha