22

ନୂଆପଡା -୨/୦୧ (ମାରାଗୁଡ଼ା ଏକ୍ସପ୍ରେସ) ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଲା ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ ବିଦ୍ୟାଳୟ ଗୁଡ଼ିକର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମଙ୍ଗଳ ଅଧିକାରୀ ଦୀପ୍ତିମନ୍ତ ଭୋଇଙ୍କ ଆବାହକତ୍ୱରେ ଆୟୋଜିତ ଏହି ବୈଠକରେ ସମସ୍ତ ଗୋଷ୍ଠୀ ଶିକ୍ଷାଧିକାରୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ, ବିଭାଗୀୟ ଅଧିକାରୀ ଏବଂ ହାଇସ୍କୁଲ ଏବଂ ହାୟର ସେକେଣ୍ଡାରୀ ସ୍କୁଲ୍ ର ଅଧ୍ୟକ୍ଷ, ଅଧ୍ୟକ୍ଷା ମାନେ ଯୋଗ ଦେଇଥିଲେ l ବୈଠକକୁ ସମ୍ବୋଧିତ କରି ଜିଲ୍ଲାପାଳ ସମସ୍ତ ପ୍ରଧାନ ଶିକ୍ଷକ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦ୍ଵାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତା ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ ଯେ ପିଲାମାନଙ୍କୁ କବିତା, ନାଟକ ଲେଖିବା ପାଇଁ ଉତ୍ସାହିତ କରନ୍ତୁ । ସବୁଠାରୁ ଉତ୍କୃଷ୍ଟ ନାଟକକୁ ବିଦ୍ୟାଳୟ ବାର୍ଷିକ ଉତ୍ସବରେ ପ୍ରଦର୍ଶନ କରନ୍ତୁ । ସେହିପରି ସବୁ ସ୍କୁଲରେ ହଲ ଅଫ ଫେମ ପ୍ରତିଷ୍ଠା କରିବାକୁ ସେ ଆହ୍ଵାନ ଦେଇଛନ୍ତି । ଏହି ସଭାରେ ପାଠ ପଢା ସହିତ ସ୍କୁଲ ମାନଙ୍କର ସୁରକ୍ଷା ବ୍ୟବସ୍ଥା , ଆସ ପିଲାଙ୍କ ଯତ୍ନ ନେବା ଆଦି କାର୍ଯ୍ୟକ୍ରମର ସମୀକ୍ଷା ହୋଇଥିଲା । ଏହି ଅବସରରେ, ଶ୍ରେଷ୍ଠ ପ୍ରଧାନ ଶିକ୍ଷକ, ଶ୍ରେଷ୍ଠ ରୋଷେଇ ବଗିଚା କିଚେନ୍ ଗାର୍ଡେନ ଏବଂ ଶ୍ରେଷ୍ଠ ଉପସ୍ଥାପନା ଥିବା ସ୍କୁଲ ଗୁଡ଼ିକୁ ସମ୍ମାନିତ କରାଯାଇଥିଲା ।
