57
ନୂଆପଡ଼ା -୯/୭ – ଜଳବାୟୁ ପରିବର୍ତ୍ତନ ଯୋଗୁଁ ବଢ଼ୁଥିବା ଅନିଶ୍ଚିତତା ମଧ୍ୟରେ କୃଷକଙ୍କ ଜୀବିକାକୁ ସୁରକ୍ଷିତ ରଖିବା ଏବଂ କୃଷିକୁ ଅଧିକ ସ୍ଥାୟୀ, ଲାଭଦାୟକ ଓ ଜଳବାୟୁ ସହନଶୀଳ କରିବା ଲକ୍ଷ୍ୟରେ ADAPT4R (Adaptation for Resilience) ପ୍ରକଳ୍ପ ଅଧୀନରେ ଜିଲ୍ଲାସ୍ତରୀୟ କ୍ଲାଇମେଟ୍ ଆଉଟଲୁକ୍ ଫୋରମ୍ ଓ ଖରିଫ ଋତୁକାଳୀନ ପରିକଳ୍ପନା କର୍ମଶାଳା ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ସଫଳତାର ସହ ଅନୁଷ୍ଠିତ ହୋଇଛି।
କର୍ମଶାଳାରେ ଜିଲ୍ଲାପାଳ କହିଥିଲେ, “ନୂଆପଡ଼ାକୁ ଜଳବାୟୁ ସହନଶୀଳ କୃଷିର ଏକ ପ୍ରୟୋଗଶାଳା ଭାବେ ଗଢ଼ି ତୋଳାଯିବ।” ସେ ଜୈବ ସାରର ବ୍ୟବହାର, ଡ୍ରିପ୍ ଇରିଗେସନ୍ ଭଳି ଜଳ ସଞ୍ଚୟକାରୀ ପ୍ରଯୁକ୍ତିର ପ୍ରସାର, ଆଧୁନିକ କୃଷି ପଦ୍ଧତି ଏବଂ ସମସ୍ତ ବିଭାଗର ସମନ୍ୱିତ ପ୍ରୟାସ ଉପରେ ଗୁରୁତ୍ୱ ଦେଇ କହିଥିଲେ ଯେ, ଆଗାମୀ ଦିନରେ ନୂଆପଡ଼ାକୁ ଜଳବାୟୁ ସ୍ମାର୍ଟ କୃଷିର ଏକ ଆଦର୍ଶ ଜିଲ୍ଲାରେ ପରିଣତ କରାଯିବ।
ADAPT4R ଜିଲ୍ଲା ନୋଡାଲ ଅଧିକାରୀ ଆଜିଜ ଖାନ କହିଥିଲେ ଯେ, ଆଗାମୀ ଖରିଫ ଋତୁରେ କୃଷକମାନଙ୍କୁ ଜଳବାୟୁ ଜନିତ ବିପଦରୁ ସୁରକ୍ଷିତ ରଖିବା, କୃଷିକୁ ସହନଶୀଳ କରିବା ଏବଂ ନୂଆପଡ଼ାକୁ ଜଳବାୟୁ ଅନୁକୂଳ କୃଷିର ଏକ ଆଦର୍ଶ ମଡେଲ୍ ଭାବେ ବିକଶିତ କରିବା ଏହି ପ୍ରକଳ୍ପର ପ୍ରମୁଖ ଉଦ୍ଦେଶ୍ୟ।
ଆଞ୍ଚଳିକ ପାଣିପାଗ କେନ୍ଦ୍ରର କନିଷ୍ଠ କୃଷି-ପାଣିପାଗ ବିଜ୍ଞାନୀ ତାପସ ପାଣିଗ୍ରାହୀ ବର୍ଷା ଓ ମୌସୁମୀ ବାୟୁର ପୂର୍ବାନୁମାନ ଉପରେ ବିସ୍ତୃତ ଉପସ୍ଥାପନା କରି କୃଷି ବିଭାଗ ଓ ସମ୍ପୃକ୍ତ ସଂସ୍ଥାମାନଙ୍କୁ ପୂର୍ବ ପ୍ରସ୍ତୁତି ପାଇଁ ଦିଗନିର୍ଦ୍ଦେଶ ଦେଇଥିଲେ। ସେହିପରି କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜଳବାୟୁ ସହନଶୀଳ କୃଷି ପ୍ରଯୁକ୍ତି, କୃଷକ ପ୍ରଶିକ୍ଷଣ, ଆଧୁନିକ କୃଷି ପରାମର୍ଶ ଓ ସଚେତନତା କାର୍ଯ୍ୟକ୍ରମ ଉପରେ ସୂଚନା ଦିଆଯାଇଥିଲା।କର୍ମଶାଳାରେ ବର୍ଷା ପୂର୍ବାନୁମାନ ଆଧାରିତ କୃଷି ଯୋଜନା, ବନ, ଜଳ ସମ୍ପଦ, କୃଷି ଓ ଆନୁଷଙ୍ଗିକ ବିଭାଗର ସମନ୍ୱିତ କାର୍ଯ୍ୟପନ୍ଥା, କୃଷକଙ୍କ ନିକଟରେ ସଠିକ୍ ସମୟରେ ପାଣିପାଗ ସୂଚନା ପହଞ୍ଚାଇବା ଏବଂ ଜଳବାୟୁ ଜନିତ କ୍ଷତି ହ୍ରାସ ପାଇଁ ଏକ ସୁଦୃଢ଼ କାର୍ଯ୍ୟଯୋଜନା ପ୍ରସ୍ତୁତ କରାଯାଇଥିଲା।