53
ନୂଆପଡ଼ା -୧୨/୦୭- ନୂଆପଡ଼ା ଜିଲ୍ଲା କୋମନା ବନ ବିଭାଗକୁ ବନ୍ୟଜନ୍ତୁ ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ସଫଳତା ମିଳିଛି। ବିଦ୍ୟୁତ୍ ତାର ଲଗାଇ ବେଆଇନ ଭାବେ ବାରହା ଶିକାର କରିଥିବା ଅଭିଯୋଗରେ ଭାଲୁକୋନା ଗ୍ରାମର ୪ ଜଣ ଶିକାରୀଙ୍କୁ ବନ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି।ବିଶେଷ ସୂତ୍ରରୁ ସୂଚନା ପାଇ କୋମନା ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଭାଲୁକୋନା ଗ୍ରାମରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଏକ ଧାନ ଖଳାରେ ବାରହା ମାଂସ କାଟୁଥିବା ସମୟରେ ସୋମନାଥ ସାହୁ (୫୧), ମାଧବ ମାଝୀ (୨୬), ଭୁବନ ମାଝୀ (୪୦) ଓ ଦିଲୀପ ମାଝୀ (୨୮)ଙ୍କୁ ଘଟଣାସ୍ଥଳରୁ କାବୁ କରାଯାଇଥିଲା।
ଅଭିଯୁକ୍ତମାନଙ୍କ ନିକଟରୁ ପ୍ରାୟ ୨ କିଲୋଗ୍ରାମ ୨୦୦ ଗ୍ରାମ ବାରହା ମାଂସ ଜବତ କରାଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ସେମାନେ ଜଙ୍ଗଲରେ ବିଦ୍ୟୁତ୍ ତାର ବିଛାଇ ବନ୍ୟ ବାରହା ଶିକାର କରୁଥିଲେ, ଯାହା ବନ୍ୟଜନ୍ତୁ ସୁରକ୍ଷା ଆଇନର ଗୁରୁତର ଉଲ୍ଲଂଘନ।ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଚାରିଜଣ ଅଭିଯୁକ୍ତ ପ୍ରାୟ ଛଅ ମାସ ପୂର୍ବରୁ ମଧ୍ୟ ବାରହା ଶିକାର ଅଭିଯୋଗରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲେ। ପୁନର୍ବାର ସମାନ ଅପରାଧରେ ସେମାନଙ୍କ ସମ୍ପୃକ୍ତି ବନ ବିଭାଗର ଚିନ୍ତା ବଢ଼ାଇଛି।ବନ ବିଭାଗ ପକ୍ଷରୁ କୁହାଯାଇଛି ଯେ, ବନ୍ୟଜନ୍ତୁ ଶିକାର ଓ ବନ୍ୟପ୍ରାଣୀ ସୁରକ୍ଷା ବିରୋଧୀ କାର୍ଯ୍ୟକଳାପ ଉପରେ ଆଗାମୀ ଦିନରେ ଅଧିକ କଡ଼ା ନଜର ରଖାଯିବ ଏବଂ ଏପରି ବେଆଇନ କାର୍ଯ୍ୟରେ ଲିପ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର ପଦକ୍ଷେପ ଗ୍ରହଣ କରାଯିବ।