10
ନୂଆପଡ଼ା -୨୫/୦୯- ନୂଆପଡ଼ା ଜିଲ୍ଲାରେ ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ଅଧିକ ସୁଦୃଢ଼ ଓ ଗତିଶୀଳ କରିବା ଲକ୍ଷ୍ୟରେ ‘Raising and Accelerating MSME Performance’ (RAMP) ଯୋଜନା ଅଧୀନରେ ଏକ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସଦ୍ଭାବନା ସଭାଗୃହରେ ଆୟୋଜିତ ଏହି କର୍ମଶାଳାରେ ସରକାରୀ ଅଧିକାରୀ, ଶିଳ୍ପ ସଂଘ ଓ ଏମ୍ଏସ୍ଏମ୍ଇ ଉଦ୍ୟୋଗୀମାନେ ଯୋଗଦେଇଥିଲେ।ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଣ୍ଟରପ୍ରେନ୍ୟୁରସିପ୍ ଡେଭେଲପମେଣ୍ଟ (IED), ଭୁବନେଶ୍ୱର ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ଜିଲ୍ଲାପାଳ ମଧୁସୂଦନ ଦାଶ ଅଧ୍ୟକ୍ଷତା କରିଥିଲେ।
କର୍ମଶାଳାରେ ଏମ୍ଏସ୍ଏମ୍ଇ କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ସରକାରୀ ନୀତି, ଯୋଜନା, ସୁବିଧା ଓ ସହାୟତା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏଥିସହ ଏମ୍ଏସ୍ଏମ୍ଇ ପ୍ରକଳ୍ପ ପାଇଁ ବିସ୍ତୃତ ପ୍ରକଳ୍ପ ବିବରଣୀ (ଡି ପି ଆର) ଏବଂ ଆବଶ୍ୟକ ପ୍ରକଳ୍ପ ଦସ୍ତାବିଜ କିପରି ପ୍ରସ୍ତୁତ କରାଯିବ, ସେନେଇ ଉଦ୍ୟୋଗୀମାନଙ୍କୁ ତାଲିମ ଓ ମାର୍ଗଦର୍ଶନ ଦିଆଯାଇଥିଲା। ଏହି ଅବସରରେ ଓଡ଼ିଶା ଶିଳ୍ପ ନିର୍ଦ୍ଦେଶାଳୟର ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶକ ପି. ପ୍ରଭାକର ରାଓ ଏମ୍ଏସ୍ଏମ୍ଇ ସମ୍ପର୍କିତ ବିଭିନ୍ନ ନୀତି ଏବଂ ଡିପିଆର ପ୍ରସ୍ତୁତିର ଗୁରୁତ୍ୱପୂର୍ଣ୍ଣ ଦିଗଗୁଡ଼ିକ ଉପରେ ଉପସ୍ଥିତ ଉଦ୍ୟୋଗୀମାନଙ୍କୁ ଅବଗତ କରାଇଥିଲେ।
କାର୍ଯ୍ୟକ୍ରମରେ ଜିଏମ୍, ଜିଲ୍ଲା ଶିଳ୍ପ କେନ୍ଦ୍ର ସମୀର ମୁଦୁଲି, ଆଇ ଇ ଡି ଭୁବନେଶ୍ୱରର ପ୍ରୋଗ୍ରାମ୍ କୋଅର୍ଡିନେଟର ଶିବବ୍ରତ ରଥଙ୍କ ସମେତ CDAO, CDVO, CDFO, LDM, SBIର CM, DPM, OLM ଏବଂ ORMASର ଡେପୁଟି ସିଇଓଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ଓ ଏମ୍ଏସ୍ଏମ୍ଇ ଉଦ୍ୟୋଗୀମାନେ ଉପସ୍ଥିତ ଥିଲେ। କର୍ମଶାଳା ମାଧ୍ୟମରେ ଜିଲ୍ଲାର ଉଦ୍ୟୋଗୀମାନଙ୍କୁ ସରକାରୀ ଯୋଜନାର ସୁଯୋଗ ନେଇ ନିଜ ଉଦ୍ୟମକୁ ଆଗକୁ ବଢ଼ାଇବା ସହ ପ୍ରକଳ୍ପ ପ୍ରସ୍ତୁତି ଓ ଆର୍ଥିକ ସହାୟତା ପାଇବା ଦିଗରେ ଆବଶ୍ୟକ ମାର୍ଗଦର୍ଶନ ମିଳିଛି।