280
ନୂଆପଡ଼ା -୨୨/୭- ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟର ମୁଖ୍ୟ ପରାମର୍ଶଦାତା ସମୀର ଡାନିଏଲ ନୂଆପଡ଼ା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଡାଏଟ୍) ପରିଦର୍ଶନ କରି ଅନୁଷ୍ଠାନର ଶିକ୍ଷାଗତ ଓ ଭିତ୍ତିଭୂମି ବିକାଶ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ତାଙ୍କ ଗସ୍ତ ଅବସରରେ ଡାଏଟ୍କୁ ଏକ ଆଧୁନିକ ‘ସେଣ୍ଟର ଫର୍ ଏକ୍ସିଲେନ୍ସ’ ଭାବେ ଗଢ଼ି ତୋଳିବା ଦିଗରେ ଚାଲିଥିବା ପଦକ୍ଷେପକୁ ସେ ଉଚ୍ଚ ପ୍ରଶଂସା କରିଥିଲେ।
ପରିଦର୍ଶନ ସମୟରେ ସେ ନିର୍ମାଣାଧୀନ ଶୈକ୍ଷିକ ବିଭାଗ, ପ୍ରଶାସନିକ ବିଭାଗ, ଛାତ୍ରୀ ନିବାସ ଏବଂ ଷ୍ଟାଫ୍ କ୍ୱାର୍ଟର ପରିଦର୍ଶନ କରି କାର୍ଯ୍ୟର ଗୁଣବତ୍ତା ଓ ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଏହା ସହ ଶ୍ରେଣୀଗୃହ ପରିଦର୍ଶନ କରି ପ୍ରଶିକ୍ଷୁ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ସେମାନଙ୍କୁ ଗୁଣାତ୍ମକ ଶିକ୍ଷା, ନେତୃତ୍ୱ ଦକ୍ଷତା ଓ ନବସୃଜନ ପ୍ରତି ଆଗ୍ରହୀ ହେବାକୁ ପ୍ରେରିତ କରିଥିଲେ।
ଡାଏଟ୍ର ଅତ୍ୟାଧୁନିକ ଉତ୍କୃଷ୍ଟତା କେନ୍ଦ୍ର ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା ପରେ ଶ୍ରୀ ଡାନିଏଲ ଅନୁଷ୍ଠାନର ସମସ୍ତ ଶିକ୍ଷକ-ପ୍ରଶିକ୍ଷକଙ୍କ ସହ ଆଲୋଚନା କରି ସେମାନଙ୍କ ନିଷ୍ଠା, ପରିଶ୍ରମ ଓ ଶିକ୍ଷାର ଗୁଣବତ୍ତା ବୃଦ୍ଧି ଦିଗରେ ନିଆଯାଉଥିବା ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିଲେ।ଅନୁଷ୍ଠାନର ଅଧ୍ୟକ୍ଷ ନରୋତ୍ତମ ଭୋଇ ଅତିଥିଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଅବସରରେ ବରିଷ୍ଠ ପ୍ରଶିକ୍ଷକ ବିକ୍ରମାଦିତ୍ୟ ସିଂହ ବରିହା, ଟିକେଶ୍ୱର ପାର୍ଣ୍ଣା, ରୀନା ବାଗ, ଶଙ୍କର ସାହୁ, ବବିତା ଶବର, ଅନିତା ଶବର ଏବଂ ସ୍ୱପ୍ନା ସେଠ ପ୍ରମୁଖ ଉପସ୍ଥିତ ରହି ଶିକ୍ଷାର ଉନ୍ନତି ଓ ଭବିଷ୍ୟତ କାର୍ଯ୍ୟ ଯୋଜନା ଉପରେ ମତବିନିମୟ କରିଥିଲେ।