234
ନୂଆପଡ଼ା -୬/୮- ନୂଆପଡ଼ା ଜିଲ୍ଲାର ଯୁବ ସାମ୍ବାଦିକ ରାଜ କିରଣ ସିଂ ଦେଓଙ୍କର ମାତ୍ର ୪୩ ବର୍ଷ ବୟସରେ ଗତକାଲି ବିଳମ୍ବିତ ରାତିରେ ପରଲୋକ ଘଟିଛି। ତାଙ୍କ ଅକାଳ ବିୟୋଗରେ ସମଗ୍ର ନୂଆପଡ଼ା ଜିଲ୍ଲା, ବିଶେଷକରି ସାମ୍ବାଦିକ ମହଳରେ ଶୋକର ଛାୟା ଖେଳିଯାଇଛି। ବିଭିନ୍ନ ସାମାଜିକ, ରାଜନୈତିକ, ପ୍ରଶାସନିକ ଓ ସାମ୍ବାଦିକ ସଂଗଠନ ପକ୍ଷରୁ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଯାଇଛି।ପରିବାର ସୂତ୍ରରୁ ମିଳିଥିବା ସୂଚନାନୁସାରେ, ରାଜ କିରଣ ସିଂ ଦେଓ ଦୀର୍ଘଦିନ ଧରି ପାନକ୍ରିୟାଜନିତ ରୋଗରେ ପୀଡ଼ିତ ଥିଲେ। ରାୟପୁରସ୍ଥିତ ଶ୍ରୀ ନାରାୟଣ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିବାବେଳେ ଗତ ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।
ତାଙ୍କ ପାର୍ଥିବ ଶରୀରକୁ ଆଜି କୋମନା ବ୍ଲକ ଅନ୍ତର୍ଗତ ତାଙ୍କ ପୈତୃକ ଗ୍ରାମ ବୁଦ୍ଧିକୋମନ କୁ ଅଣାଯାଇ ସେଠାରେ ଶେଷକୃତ୍ୟ ସମ୍ପନ୍ନ ହେବ। ସେ ନିଜ ପଛରେ ଜଣେ ପୁଅ, ଜଣେ ଝିଅ ଓ ଶୋକସନ୍ତପ୍ତ ପରିବାରକୁ ଛାଡ଼ି ଯାଇଛନ୍ତି।ରାଜ କିରଣ ସିଂ ଦେଓ ଜଣେ ମେଳାପୀ, ଭଦ୍ର, ମିଷ୍ଟଭାଷୀ ଓ ସଦା ହସମୁଖ ବ୍ୟକ୍ତିତ୍ୱ ଭାବେ ସମସ୍ତଙ୍କ ମନରେ ସ୍ଥାନ ସୃଷ୍ଟି କରିଥିଲେ। ସାମ୍ବାଦିକତା ପ୍ରତି ତାଙ୍କର ନିଷ୍ଠା, ସରଳତା ଓ ସମାଜସେବା ପ୍ରତି ଆନ୍ତରିକତା ସମସ୍ତଙ୍କ ପାଇଁ ପ୍ରେରଣାଦାୟକ ଥିଲା।ତାଙ୍କ ଅକାଳ ବିୟୋଗ ନୂଆପଡ଼ା ଜିଲ୍ଲାର ସାମ୍ବାଦିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ଈଶ୍ୱରଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଏହି ଦୁଃଖ ସହିବା ପାଇଁ ଅସୀମ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ ବୋଲି ସର୍ବସ୍ତରରୁ ପ୍ରାର୍ଥନା କରାଯାଇଛି।