103
ନୂଆପଡ଼ା -୧୯/୮- ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୂଆପଡ଼ା ଏବଂ ତାଲୁକ୍ ଆଇନ ସେବା ସମିତି—ଖରିଆର, ସିନାପାଲି ଓ ବୋଡ଼େନ ଅନ୍ତର୍ଗତ ସମସ୍ତ ପ୍ୟାନେଲ ଓକିଲଙ୍କ ଦକ୍ଷତା ବୃଦ୍ଧି ଉଦ୍ଦେଶ୍ୟରେ ଏକ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।ବିକଳ୍ପ ବିବାଦ ସମାଧାନ କେନ୍ଦ୍ର ସଭାଗୃହରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରକୁ ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ସମର ବିଳାସ ବେହେରା ଉଦ୍ଘାଟନ କରିଥିଲେ।
ଏହି ଅବସରରେ ନୂଆପଡ଼ାର ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ସୁଶାନ୍ତ କୁମାର ମିଶ୍ର, ବରିଷ୍ଠ ଦେୱାନୀ ବିଚାରପତି ଦୁର୍ବାସା ଦୁର୍ଗା, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ଏସ୍ଡିଜେଏମ୍ ସ୍ନାତକି ଦାଶ ଏବଂ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଦ୍ୱିତୀୟ ଶ୍ରେଣୀ କାହ୍ନୁ କିସ୍କୁ ପ୍ରମୁଖ ଯୋଗଦେଇଥିଲେ।ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ସୁଶାନ୍ତ କୁମାର ମିଶ୍ର ମହିଳାଙ୍କ ଭରଣପୋଷଣ ସମ୍ବନ୍ଧୀୟ ଆଇନ, ଘରୋଇ ହିଂସା ନିରୋଧ ଆଇନ ଏବଂ ସମ୍ପତ୍ତିରେ ମହିଳାଙ୍କ ଅଧିକାର ଉପରେ ବିସ୍ତୃତ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।
ସେହିପରି, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ ଆଇନ ସେବା ପ୍ରାଧିକରଣ ଅଧିନିୟମ, ୧୯୮୭, ଜିଲ୍ଲା ଆଇନ ସେବା ପ୍ରାଧିକରଣର କାର୍ଯ୍ୟଶୈଳୀ ଏବଂ ଜାତୀୟ ଆଇନ ସେବା ପ୍ରାଧିକରଣର ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ।ପ୍ରଶିକ୍ଷକ ତଥା ମହାମାୟା ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଅନିଲ କୁମାର ତାଣ୍ଡି କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଯୌନ ନିର୍ଯାତନା ସମ୍ବନ୍ଧୀୟ ଆଇନ ଓ ଆଇନଗତ ବ୍ୟବସ୍ଥା ଉପରେ ପ୍ରଶିକ୍ଷଣ ଦେଇଥିଲେ।
ଅନ୍ୟତମ ପ୍ରଶିକ୍ଷକ ତଥା ବରିଷ୍ଠ ଆଇନଜୀବୀ କୁମୁଦ କୁମାର ହୋତା କିଶୋର ନ୍ୟାୟ (ବାଳକଙ୍କ ଯତ୍ନ ଓ ସୁରକ୍ଷା) ଅଧିନିୟମ, ୨୦୧୫ ସମ୍ପର୍କରେ ପ୍ୟାନେଲ ଓକିଲମାନଙ୍କୁ ଆବଶ୍ୟକୀୟ ଆଇନଗତ ତଥ୍ୟ ଓ ପ୍ରାୟୋଗିକ ଦିଗ ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।ଏହି ପ୍ରଶିକ୍ଷଣ ଶିବିର ମାଧ୍ୟମରେ ପ୍ୟାନେଲ ଓକିଲମାନଙ୍କୁ ବିଭିନ୍ନ ଆଇନଗତ ବିଷୟରେ ଅଧିକ ଦକ୍ଷ ଓ ସଚେତନ କରିବା ସହ ଆବଶ୍ୟକତାରେ ଥିବା ଲୋକଙ୍କୁ ଗୁଣାତ୍ମକ ଓ ନିଷ୍ପକ୍ଷ ଆଇନ ସେବା ପ୍ରଦାନକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।