26

ନୂଆପଡ଼ା -୦୪/୦୪- “ଓଡ଼ିଆ ପକ୍ଷ–୨୦୨୬” ପାଳନ ଅବସରରେ ଆଜି ନୂଆପଡ଼ାରେ “ଓଡ଼ିଆ ନାମଫଳକ ଅଭିଯାନ” ସଚେତନତା ପଦଯାତ୍ରା ଆୟୋଜିତ ହୋଇଯାଇଛି। ଜିଲ୍ଲା ଶ୍ରମ ଅଧିକାରୀ ଜସ୍ମିନ ସାହୁ ଜିଲ୍ଲାପାଳ କାର୍ଯ୍ୟାଳୟରୁ ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ।ଏହି ପଦଯାତ୍ରା ଏକତା ଛକ ପର୍ଯ୍ୟନ୍ତ ଯାଇ ପୁନର୍ବାର ମୁଖ୍ୟାଳୟ ଠାରେ ଶେଷ ହୋଇଥିଲା।
ପଦଯାତ୍ରା ସମୟରେ ପ୍ଲାକାର୍ଡ, ବ୍ୟାନର ଓ ସ୍ଲୋଗାନ ମାଧ୍ୟମରେ ସମସ୍ତ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ନାମଫଳକ ପ୍ରଦର୍ଶନ କରିବା ସହ ଦୈନନ୍ଦିନ ଜୀବନରେ ଓଡ଼ିଆ ଭାଷାର ବ୍ୟବହାର ବୃଦ୍ଧି ପାଇଁ ସଚେତନତା ସୃଷ୍ଟି କରାଯାଇଥିଲା।ଏହି ଅବସରରେ ନିଜ ମାଟିର ଭାଷା ପ୍ରତି ଗର୍ବ ବୋଧ ସୃଷ୍ଟି କରିବା ସହ ଓଡ଼ିଆ ଭାଷାର ସୁରକ୍ଷା ଓ ପ୍ରଚାର ପାଇଁ ସମସ୍ତଙ୍କୁ ଆହ୍ୱାନ ଦିଆଯାଇଛି।
ପଦଯାତ୍ରାରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢାଇ, ନୂଆପଡ଼ା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦୀପ କୁମାର ଚନ୍ଦ୍ରକାର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରେଶମଲାଲ ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମାକାନ୍ତ ବିଶ୍ୱାସ ସହ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ।ଏହା ସହିତ ଖରିଆର ରୋଡ଼ ଏନଏସି ଅଞ୍ଚଳରେ ମଧ୍ୟ ଏହିପରି ସଚେତନତା ରାଲି ଆୟୋଜିତ ହୋଇଥିଲା।
ଏହି ରାଲିରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ କମଳାସନ ରଥ, ପ୍ରଭାଗୀୟ ଶ୍ରମ ଆୟୁକ୍ତ ରବୀନ୍ଦ୍ର ବାର୍ଲା ସହ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।