ନୂଆପଡ଼ା -୫/୮(ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବାଦୀ ପଞ୍ଚାୟତର ଜୁନାନୀ ଗ୍ରାମରେ ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲରେ ଥିବା ଶିକ୍ଷକଙ୍କ ବଦଳି ବାତିଲ ନେଇ ସ୍କୁଲରେ ତାଲା ମାରିଲେ ଅଭିଭାବକ। ଏହି ବିଦ୍ୟାଳୟରେ ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବାବେଳେ ୧୪୪ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଛଅ ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି। ବିଦ୍ୟାଳୟରେ ଥିବା ଛଅ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରୁ ଦୁଇଜଣ ଶିକ୍ଷୟତ୍ରୀ ସଞ୍ଜୁକ୍ତା ପଣ୍ଡା ଓ ସୌଭାଗ୍ୟ ମଞ୍ଜରୀ ପୁରୋହିତଙ୍କ ଅନ୍ୟତ୍ର ବଦଳି ହୋଇ ଯାଇଛି। ଅଭିଭାବକ ମାନଙ୍କ ଅଭିଯୋଗ ଅନୁଯାୟୀ ସ୍କୁଲରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଠିକ ଭାବରେ ସ୍କୁଲକୁ ଆସି ଠିକ ଭାବରେ ଶିକ୍ଷାଦାନ କରୁଛନ୍ତି। ତେଣୁ ଏହି ବିଦ୍ୟାଳୟରୁ ଅନ୍ୟତ୍ର ବଦଳି ହୋଇଥିବା ଶିକ୍ଷୟତ୍ରୀ ମାନଙ୍କୁ ଜୁନାନୀ ସ୍କୁଲରେ ପୁନଃ ରଖାଯାଉ ବୋଲି ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଓ ସଦସ୍ୟା ଓ ଗ୍ରାମବାସୀ ଛାତ୍ରଛାତ୍ରୀ ମାନଙ୍କ ସହିତ ବିଦ୍ୟାଳୟ ଗେଟରେ ତାଲା ମାରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସ୍କୁଲ ପରିଚାଳନା କମିଟିର ସଭାପତି ଲିଙ୍ଗରାଜ ପଟେଲ, ଅଭିଭାବକ ମୁକୁନ୍ଦ ନାଗ, ଶଙ୍କର ପଟେଲ, ମହାବୀର କୈବର୍ତ୍ତ, ହରିଶ୍ଚନ୍ଦ୍ର ସିଂ ଦେଓ, ମୁକୁନ୍ଦ ପ୍ରଧାନୀ, ରଞ୍ଜୁ ବାରିକ, ଉମା ବାଗ, ମାୟା ସିଂ, ଭାନୁମତି ବାରିକ ସମେତ ବହୁ ଗ୍ରାମବାସୀ ସାମିଲ ହୋଇଥିଲେ। ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମମତା ପଟ୍ଟନାୟକଙ୍କୁ ପଚାରିବରୁ ବିଦ୍ୟାଳୟ ବନ୍ଦ ବାବଦରେ ଆମେ ଜାଣିନଥିଲୁ। ସୋମବାର ସକାଳ ୯.୩୦ ରେ ବିଦ୍ୟାଳୟରେ ପହଞ୍ଚିବା ପରେ ଦେଖିଲୁ ଗେଟରେ ତାଲା ପକାଇ ଛାତ୍ରଛାତ୍ରୀ ଓ ଅଭିଭାବକ ବସିଛନ୍ତି। ଏନେଇ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିଛୁ ବୋଲି ପ୍ରକାଶ କରିଥିଲେ। ଅନ୍ୟ ପକ୍ଷରେ ବଦଳି ବାତିଲ ନହେଲେ ଆନ୍ଦୋଳନ ଜାରି ରହିବ ବୋଲି ଅଭିଭାବକ ଓ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
ଖଡ଼ିଆଳ ବ୍ଲକ: ଜୁନାନୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ତାଲା, ବଦଳୀ ବାତିଲ କର
113