68
ନୂଆପଡ଼ା -୧୬/୦୭- ନୂଆପଡ଼ା ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଅବକାରୀ ବିଭାଗର ଏକ ସମୀକ୍ଷା ବୈଠକ ଗତ କାଲି ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଭାଗର ଆଇନ ପ୍ରବର୍ତ୍ତନ, ଅବୈଧ ମଦ ବିରୋଧୀ ଚଢ଼ାଉ, ରାଜସ୍ୱ ଆଦାୟ ଓ ବିଭାଗୀୟ କାର୍ଯ୍ୟଦକ୍ଷତା ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା।ଜିଲ୍ଲା ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନ ସୂଚନା ଦେଇଥିଲେ ଯେ, ଚଳିତ ଆର୍ଥିକ ବର୍ଷର ଜୁନ୍ ଶେଷ ସୁଦ୍ଧା ଜିଲ୍ଲାରେ ୫ କୋଟି ୨୪ ଲକ୍ଷ ୨୮ ହଜାର ୨୯୪ ଟଙ୍କା ଅବକାରୀ ରାଜସ୍ୱ ସଂଗ୍ରହ ହୋଇଛି, ଯାହା ଗତବର୍ଷର ସମାନ ଅବଧି ତୁଳନାରେ ୮.୯୮ ପ୍ରତିଶତ ବୃଦ୍ଧି ପାଇଛି।
ଏହାସହ ଜୁନ୍ ମାସ ସୁଦ୍ଧା ୪୧୭ଟି ମାମଲା ରୁଜୁ କରାଯାଇ ୨୬୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୧୯୫ଟି ମାମଲା ଅଦାଲତକୁ ପ୍ରେରଣ କରାଯାଇଛି। ଚଢ଼ାଉ ବେଳେ ୪,୩୬୯ ଲିଟର ଚୋରା ମଦ, ୯୭,୭୨୦ ଲିଟର ଫରମେଣ୍ଟେଡ୍ ୱାଶ, ୨,୩୭୨.୮ ବଲ୍କ ଲିଟର ଦେଶୀ ମଦ, ୨୨୭.୫୫ କ୍ୱିଣ୍ଟାଲ ମହୁଲ ଫୁଲ, ୨୬.୮ କିଲୋଗ୍ରାମ ଗଞ୍ଜେଇ ସମେତ ବିଭିନ୍ନ ମାଦକଦ୍ରବ୍ୟ ଜବତ କରାଯାଇଥିବା ସହ ୧୦ଟି ଚାରିଚକିଆ ଓ ଗୋଟିଏ ଦୁଇଚକିଆ ଯାନ ଜବତ କରାଯାଇଥିବା ସୂଚନା ଦିଆଯାଇଥିଲା।
ସମୀକ୍ଷା ବୈଠକରେ ଜିଲ୍ଲାପାଳ ମଧୁସୁଦନ ଦାଶ ଚୋରା ମଦ କାରବାର ବିରୋଧରେ ନିୟମିତ ଓ କଡ଼ା ଚଢ଼ାଉ ଜାରି ରଖିବା ସହ ଆଇନର କଡ଼ା କାର୍ଯ୍ୟକାରିତା ଉପରେ ଗୁରୁତ୍ୱାରୋପ କରିଥିଲେ।ବୈଠକରେ ଅବକାରୀ ନିରୀକ୍ଷକ ହୀରାବତୀ ଥାଟି, ସେକ୍ସନ ଅଫିସର ସୌମ୍ୟକାନ୍ତ ଓଟ୍ଟା, ଅବକାରୀ ଉପ-ନିରୀକ୍ଷକ ବୃନ୍ଦାବତୀ ଭୁଆ, ଅବକାରୀ ସହକାରୀ ଉପ-ନିରୀକ୍ଷକ ବଳଭଦ୍ର ରାଉତଙ୍କ ସମେତ ବିଭାଗର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।