144
ଜିଲ୍ଲାପାଳ ବିଭିନ୍ନ ଯୋଜନାର ସୁଫଳ ଯେପରି ଅଧିକରୁ ଅଧିକ ପରିବାର ପାଇପାରିବେ, ସେଥିପାଇଁ ଅଧିକାରୀମାନଙ୍କୁ ଦାୟିତ୍ୱର ସହ କାର୍ଯ୍ୟ କରିବାକୁ କହିଥିଲେ। ବିଶେଷକରି ଜିଲ୍ଲାରେ ସ୍ଥାନୀୟ ଭାବେ ପର୍ଯ୍ୟାପ୍ତ ଜୀବିକା ସୁଯୋଗ ସୃଷ୍ଟି କରି ନୂଆପଡ଼ାକୁ ପ୍ରବାସୀ ଶ୍ରମିକ ମୁକ୍ତ ଜିଲ୍ଲା ଭାବେ ଗଢ଼ି ତୋଳିବା ଦିଗରେ ଅଧିକ ନିଷ୍ଠା ଓ ପରିଶ୍ରମର ସହ କାର୍ଯ୍ୟ କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ।
Table of Contents
ନୂଆପଡ଼ା -୧୦/୦୯- ନୂଆପଡ଼ା ଜିଲ୍ଲାରେ ମିଶନ ଶକ୍ତି ଓ ଓଡ଼ିଶା ଜୀବିକା ମିଶନ (ଓଏଲ୍ଏମ୍) ଅଧୀନରେ କାର୍ଯ୍ୟକାରୀ ବିଭିନ୍ନ ଯୋଜନା ଓ ଜୀବିକା ସମ୍ବନ୍ଧୀୟ କାର୍ଯ୍ୟକ୍ରମର ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଗତକାଲି ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ମିଶନ ଶକ୍ତି ଓ ଓଏଲ୍ଏମ୍ର ବିଭିନ୍ନ କାର୍ଯ୍ୟକ୍ରମର ବ୍ଲକ୍ଭିତ୍ତିକ ଅଗ୍ରଗତି, ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକର ଜୀବିକା ସୁଦୃଢ଼ୀକରଣ, ଆର୍ଥିକ ସଶକ୍ତୀକରଣ ଓ ପ୍ରବାସୀ ଶ୍ରମିକଙ୍କ ପାଇଁ ଜୀବିକା ସୁଯୋଗ ସୃଷ୍ଟି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା।ବୈଠକରେ ପ୍ରବାସୀ ଶ୍ରମିକଙ୍କ ସ୍ଥିତି ଓ ଜୀବିକା ହସ୍ତକ୍ଷେପର ପ୍ରଭାବ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଅଗଷ୍ଟ ୨୦୨୫ରେ ୫,୯୨୫ଟି ପ୍ରବାସୀ ଶ୍ରମିକ ପରିବାରର ୧୫,୧୮୬ ଜଣ ସଦସ୍ୟ ଜିଲ୍ଲାକୁ ଫେରିଥିବାବେଳେ, ଅଗଷ୍ଟ ୨୦୨୬ରେ ୬,୫୫୭ଟି ପରିବାରର ୧୭,୧୫୯ ଜଣ ସଦସ୍ୟ ଫେରିଥିବା ତଥ୍ୟ ଉପସ୍ଥାପିତ ହୋଇଥିଲା।
ଏହି ଅବସରରେ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି) ମାଧ୍ୟମରେ ଆତ୍ମନିର୍ଭର ହୋଇଥିବା ବେଲମତୀ ମାଝୀ ଓ ଡାଲିମ୍ବ ରଣାଙ୍କୁ ସମ୍ମାନିତ କରାଯାଇଥିଲା। ଉଭୟେ ନିଜ ଅନୁଭୂତି ବ୍ୟକ୍ତ କରି ପ୍ରବାସୀ ଶ୍ରମିକରୁ ଏସ୍ଏଚ୍ଜି ମାଧ୍ୟମରେ ଜୀବିକା ସୁଯୋଗ ପାଇ ଆତ୍ମନିର୍ଭର ହେବା ପର୍ଯ୍ୟନ୍ତ ନିଜର ସଫଳତାର ଯାତ୍ରା ସମ୍ପର୍କରେ ଅନୁଭୂତି ବାଣ୍ଟିଥିଲେ।
ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୁନୀଲ କୁମାର ମଲ୍ଲିକ, ଲିଡ୍ ବ୍ୟାଙ୍କ ମ୍ୟାନେଜର ହରିଶଙ୍କର ନିଆଲ, ସମସ୍ତ ବ୍ଲକ୍ ପ୍ରକଳ୍ପ ସଂଯୋଜକ ଓ କର୍ମଚାରୀ ଉପସ୍ଥିତ ଥିଲେ।