129
ଜିଲ୍ଲାସ୍ତରରେ ଅନୁଷ୍ଠିତ ବିଭିନ୍ନ ସମୀକ୍ଷା ବୈଠକର ବିବରଣୀ ବର୍ତ୍ତମାନ ଓଡ଼ିଆ ଭାଷାରେ ପ୍ରସ୍ତୁତ କରାଯାଉଛି ବୋଲି ମଧ୍ୟ ଜିଲ୍ଲାପାଳ ଉଲ୍ଲେଖ କରିଥିଲେ। ଏହା ଦ୍ୱାରା ବୈଠକର ନିଷ୍ପତ୍ତିଗୁଡ଼ିକ ସହଜରେ ବୁଝିବା ସହ ନିଷ୍ପତ୍ତିର ଅନୁପାଳନ ଓ ପରବର୍ତ୍ତୀ ସମୀକ୍ଷା ଅଧିକ ସୁବିଧାଜନକ ହୋଇପାରୁଛି ବୋଲି ସେ କହିଥିଲେ।ନୂଆପଡ଼ା ଜିଲ୍ଲାର ଐତିହ୍ୟ ଓ ସମୃଦ୍ଧ ପ୍ରାଚୀନ ସଭ୍ୟତା ସମ୍ପର୍କରେ ଉଲ୍ଲେଖ କରି ଜିଲ୍ଲାପାଳ ମାରାଗୁଡ଼ାର ପ୍ରାଚୀନ ସଭ୍ୟତାର ଗୌରବମୟ ଇତିହାସ ଉପରେ ଆଲୋକପାତ କରିଥିଲେ। ନୂଆପଡ଼ା ଜିଲ୍ଲାର ପ୍ରକୃତି, ଐତିହ୍ୟ ଓ ସଂସ୍କୃତିକୁ ପ୍ରଶିକ୍ଷକମାନେ ଉପଭୋଗ କରିବେ ବୋଲି ସେ ଆଶା ପ୍ରକାଶ କରିବା ସହ ଜିଲ୍ଲାରେ ସେମାନଙ୍କ ରହଣି ସମୟ ସୁଖଦ ହେବ ବୋଲି କହିଥିଲେ। ଏଠାକାର ସ୍ୱଚ୍ଛ ପରିବେଶ ଓ ତାଜା ପବନ ସେମାନଙ୍କୁ ନିଶ୍ଚିତ ଭାବେ ଆନନ୍ଦ ଦେବ ବୋଲି ସେ ଉଲ୍ଲେଖ କରିଥିଲେ।
ନୂଆପଡ଼ା -୦୯/୦୯- ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାରକୁ ଅଧିକ ସରଳ, ସ୍ୱଚ୍ଛ, ସୁଗମ ଓ ଜନମୁଖୀ କରିବା ଉଦ୍ଦେଶ୍ୟରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ନୂଆପଡ଼ା ଜିଲ୍ଲାରେ ଦୁଇଦିନିଆ ପ୍ରୟୋଗାତ୍ମକ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇଯାଇଛି।ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ନୂଆପଡ଼ାର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରର ଜିଲ୍ଲାପାଳ ମଧୁସୂଦନ ଦାଶ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ। ଓଡ଼ିଆ ଭାଷା ପ୍ରତିଷ୍ଠାନରୁ ଆସିଥିବା ପ୍ରଶିକ୍ଷକମାନଙ୍କୁ ନୂଆପଡ଼ା ଜିଲ୍ଲାକୁ ସ୍ୱାଗତ ଜଣାଇବା ସହ ଦୁଇଦିନିଆ ପ୍ରଶିକ୍ଷଣରେ ଅଧିକାରୀ ଓ କର୍ମଚାରୀମାନେ ସକ୍ରିୟ ଭାବେ ଯୋଗଦେଇ ଏହାର ସୁଫଳ ନେବାକୁ ଜିଲ୍ଲାପାଳ ଆହ୍ୱାନ ଦେଇଥିଲେ।
ନିଜ ଅଭିଭାଷଣରେ ଜିଲ୍ଲାପାଳ କହିଥିଲେ ଯେ, ମାତୃଭାଷାରେ ମଣିଷ ନିଜର ଭାବନା, ଚିନ୍ତା ଓ ମତାମତକୁ ଅଧିକ ସହଜ, ସ୍ପଷ୍ଟ ଓ ସ୍ୱାଭାବିକ ଭାବେ ପ୍ରକାଶ କରିପାରେ। ତେଣୁ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର କେବଳ ଭାଷାର ପ୍ରୟୋଗ ନୁହେଁ, ବରଂ ପ୍ରଶାସନକୁ ସାଧାରଣ ଲୋକଙ୍କ ନିକଟତର କରିବାର ଏକ ପ୍ରଭାବଶାଳୀ ମାଧ୍ୟମ। ସରକାରୀ ନିଷ୍ପତ୍ତି, ଯୋଜନା ଓ ସେବା ସମ୍ପର୍କିତ ସୂଚନା ଲୋକଙ୍କ ନିକଟରେ ସେମାନଙ୍କ ବୁଝିବା ଭାଷାରେ ପହଞ୍ଚିଲେ ପ୍ରଶାସନ ଅଧିକ ଜନମୁଖୀ ଓ ପ୍ରଭାବଶାଳୀ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ।
ପ୍ରଶିକ୍ଷଣ ଶିବିରର ପ୍ରଥମ ଦିନରେ ଓଡ଼ିଆ ଭାଷାରେ କାର୍ଯ୍ୟାଳୟ ପତ୍ର ବିନିମୟ ଓ ଯୋଗାଯୋଗ କ୍ଷେତ୍ରରେ ପାରଦର୍ଶିତା ବୃଦ୍ଧି, ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ବ୍ୟବହାରର ସମସ୍ୟା ଓ ସମାଧାନ, ଇଂରାଜୀରୁ ଓଡ଼ିଆ ଟିପ୍ପଣୀ, ଚିଠା ଓ ଆଦେଶନାମା ପ୍ରସ୍ତୁତି, ଅନୁବାଦ ଏବଂ ଓଡ଼ିଆ ଭାଷାରେ ସରକାରୀ କାଗଜପତ୍ର ଓ ଦସ୍ତାବିଜ୍ ପ୍ରସ୍ତୁତି ଭଳି ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା। ସେହିପରି ପ୍ରଶାସନିକ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାରକୁ ପ୍ରୋତ୍ସାହନ, ବୈଠକର ବିବରଣୀ ପ୍ରସ୍ତୁତି, ଓଡ଼ିଆ ଭାଷାରେ କାର୍ଯ୍ୟାଳୟ ଚିଠା ଓ ଟିପ୍ପଣୀ ଲେଖନ, ଓଡ଼ିଆ ବାକ୍ୟ ଗଠନ ଓ ଚିହ୍ନ ପ୍ରୟୋଗ, ଶବ୍ଦଭଣ୍ଡାରର ବ୍ୟାବହାରିକ ପ୍ରୟୋଗ, ଓଡ଼ିଆ ଲିଖନର ସାଧାରଣ ଭ୍ରାନ୍ତି ନିରାକରଣ, ପ୍ରଶାସନିକ ଶବ୍ଦ ନିରୂପଣ, ବନାନ ଅଶୁଦ୍ଧି ନିରାକରଣ, ଓଡ଼ିଆରେ ନଥି ପ୍ରସ୍ତୁତି ଏବଂ ସଂକ୍ଷେପାକ୍ଷରର ବ୍ୟବହାର ଆଦି ବିଷୟ ଉପରେ ମଧ୍ୟ ବ୍ୟବହାରିକ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା।
ଏହି ଅବସରରେ ପ୍ରଶିକ୍ଷକ ଡ. ପରମେଶ୍ୱର ମୁଣ୍ଡ କହିଥିଲେ ଯେ, ସାଧାରଣ ଲୋକଙ୍କ ଭାଷାରେ ସରକାରୀ କାର୍ଯ୍ୟ ଓ ଯୋଗାଯୋଗ କରିବା ଦ୍ୱାରା ପ୍ରଶାସନ ଅଧିକ ଲୋକାଭିମୁଖୀ ହୋଇପାରିବ। ଓଡ଼ିଆ ଭାଷା ପ୍ରତିଷ୍ଠାନର ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀଙ୍କ ସମେତ ଡ. ସନ୍ତୋଷ କୁମାର ରଥ, ଡ. ବିପ୍ଳବ ରଞ୍ଜନ ପ୍ରଧାନ, ଡ. ସଞ୍ଜୟ କୁମାର ପଣ୍ଡା ଓ ଡ. ପରମେଶ୍ୱର ମୁଣ୍ଡ ପ୍ରଶିକ୍ଷକ ଭାବେ ଯୋଗଦେଇ ବିଭିନ୍ନ ଅଧିବେଶନରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।
ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲାସ୍ତରୀୟ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଯୋଗଦେଇଥିଲେ।କାର୍ଯ୍ୟକ୍ରମକୁ ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ବଢ଼େଇ ସଂଚାଳନ କରିଥିବାବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ମହରା ସମନ୍ୱୟ କରିଥିଲେ।