6
ନୂଆପଡ଼ା -୧୪/୪ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ପରିଷଦ ଆନୁକୂଲ୍ୟରେ ‘ସମ୍ପୂର୍ଣ୍ଣତା ଅଭିଯାନ ୨.୦’ର ଉଦଯାପନୀ ସମାରୋହ ଏବଂ ଭାରତ ରତ୍ନ ଡକ୍ଟର ବି.ଆର୍. ଆମ୍ବେଦକରଙ୍କ ଜୟନ୍ତୀ ଆଜି ସ୍ଥାନୀୟ ମହୁଆଭାଟା ସ୍ଥିତ ବହୁମୁଖୀ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରଶାସନିକ ଅଧିକାରୀ ଓ ଜନପ୍ରତିନିଧିମାନେ ଏକତ୍ରିତ ହୋଇ ବିକାଶର ନୂଆ ରୂପରେଖ ସମ୍ପର୍କରେ ଆଲୋଚନା କରିଥିଲେ।
ଏହି ସମ୍ମିଳନୀରେ ବିଧାୟକ ଜୟ ଢୋଲକିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାବାସାହେବ ଆମ୍ବେଦକରଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜର ଅନ୍ତିମ ଶ୍ରେଣୀର ବ୍ୟକ୍ତିଙ୍କ ପାଖରେ ସରକାରୀ ସୁବିଧା ପହଞ୍ଚାଇବାକୁ ଆହ୍ୱାନ ଦେଇଥିଲେ। ଜିଲ୍ଲାପାଳ ମଧୁସୂଦନ ଦାଶ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ
ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ,
ସିଡିଏମଓ ଡ଼ା. ଧନେଶ୍ୱର ସେଠୀ,
ପଞ୍ଚାୟତ ସମିତି ଅଧ୍ୟକ୍ଷା ତାରେଶ୍ୱରୀ ସାହୁ,
ଖରିଆର ରୋଡ଼ ଏନଏସି ଅଧ୍ୟକ୍ଷା ଡଃ ସୋନିଆ ଜୈନ
ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଦୀପିକା ଦୀପ,
ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି, ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ବିକାଶମୂଳକ ସୂଚକାଙ୍କର ସମୀକ୍ଷା
ସମ୍ପୂର୍ଣ୍ଣତା ଅଭିଯାନର ମୂଳ ଲକ୍ଷ୍ୟ ଅନୁଯାୟୀ, ଜିଲ୍ଲାର ବିଭିନ୍ନ ବିଭାଗ ପକ୍ଷରୁ ସେମାନଙ୍କ କାର୍ଯ୍ୟଗତି ଓ ଭବିଷ୍ୟତ ଯୋଜନା ଉପସ୍ଥାପନ କରାଯାଇଥିଲା। ବିଶେଷ କରି
ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ, ଏହାର ୫ଟି ଗୁରୁତ୍ୱପୂର୍ଣ୍ଣ ସୂଚକାଙ୍କ ଉପରେ ବିସ୍ତୃତ ସମୀକ୍ଷା କରାଯାଇଥିଲା।
ଆକାଂକ୍ଷୀ ବ୍ଲକ୍ କାର୍ଯ୍ୟକ୍ରମ ର ଅଧୀନରେ ଥିବା ୬ଟି ବିକାଶମୂଳକ ମାନଦଣ୍ଡରେ ନୂଆପଡ଼ାର ସ୍ଥିତି ଓ ସଫଳତା ସମ୍ପର୍କରେ ଆଲୋଚନା ହୋଇଥିଲା।
ଗତ ୨୮ ଜାନୁଆରୀ ୨୦୨୬ ରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଆଜି ସମ୍ବିଧାନ ପ୍ରଣେତାଙ୍କ ଜୟନ୍ତୀରେ ସମାପ୍ତ ହୋଇଛି। ଏହି ସମୟ ମଧ୍ୟରେ ଜିଲ୍ଲାରେ ସମାବେଶୀ ଉନ୍ନତି, ସ୍ୱାସ୍ଥ୍ୟ, ଶିକ୍ଷା ଓ କୃଷି କ୍ଷେତ୍ରରେ ସରକାରୀ ସେବାର ପହଞ୍ଚ ବୃଦ୍ଧି କରିବା ପାଇଁ ବ୍ୟାପକ ଜନସହଭାଗିତରେ ପ୍ରୟାସ କରାଯାଇଥିଲା।
“ଏହି ଅଭିଯାନର ମୂଳ ଲକ୍ଷ୍ୟ ଥିଲା ପ୍ରତିଟି ସରକାରୀ ଯୋଜନାରେ ‘ସମ୍ପୂର୍ଣ୍ଣତା’ ଆଣିବା, ଯାହାଫଳରେ ନୂଆପଡ଼ା ଜିଲ୍ଲା ବିକାଶର ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିପାରିବ।” – ଜିଲ୍ଲା ପ୍ରଶାସନ
ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସହ ଜିଲ୍ଲା ପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ କ୍ଷମାନିଧି ଭୋଇ ଶେଷ ରେ ଧନ୍ୟବାଦ ଅର୍ପଣ କରିଥିଲେ। ଅଭିଯାନ ଶେଷ ହୋଇଥିଲେ ହେଁ ବିକାଶର ଏହି ପ୍ରକ୍ରିୟା ନିରନ୍ତର ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି।