210
ନୂଆପଡ଼ା ଏନ୍ଏସିରେ ସ୍ୱଚ୍ଛତା ପ୍ରବର୍ତ୍ତନ ଅଭିଯାନ ଜୋରଦାର:ନିୟମ ଉଲ୍ଲଂଘନ ଓ ଅସହଯୋଗ ଅଭିଯୋଗରେ ପୂଜା ସାମଗ୍ରୀ ଦୋକାନ ସିଲ୍।
previous post
ନୂଆପଡ଼ା-୨୭/୦୯- ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଗଠନ ଲକ୍ଷ୍ୟରେ ନୂଆପଡ଼ା ଏନ୍ଏସି ଅଞ୍ଚଳରେ ସ୍ୱଚ୍ଛତା ଏବଂ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମର ଅନୁପାଳନ ସୁନିଶ୍ଚିତ କରିବାକୁ ପ୍ରବର୍ତ୍ତନ ଅଭିଯାନକୁ ଜୋରଦାର କରାଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ନିର୍ଦ୍ଦେଶକ୍ରମେ ଚାଲିଥିବା ଏହି ଅଭିଯାନ ସମୟରେ ନୂଆପଡ଼ା ଏନ୍ଏସି ଅଞ୍ଚଳର ଏକ ପୂଜା ସାମଗ୍ରୀ ଦୋକାନରେ ବର୍ଜ୍ୟବସ୍ତୁ ପରିଚାଳନା ଓ ସ୍ୱଚ୍ଛତା ସମ୍ବନ୍ଧୀୟ ନିୟମ ପାଳନ ହେଉନଥିବା ଅଭିଯୋଗ ଚିହ୍ନଟ ହୋଇଥିଲା।
ଏହାସହ ନିରୀକ୍ଷଣ ଓ ପ୍ରବର୍ତ୍ତନ କାର୍ଯ୍ୟ ସମୟରେ ଦୋକାନ ମାଲିକ ଏନ୍ଏସିର ଅଧିକାରୀ ଓ କର୍ମଚାରୀଙ୍କ ସହ ଅସଦାଚରଣ କରିବା ଏବଂ ନିୟମାନୁପାଳନ ପ୍ରକ୍ରିୟାରେ ସହଯୋଗ ନକରିବା ନେଇ ଅଭିଯୋଗ ହୋଇଥିଲା।ନିୟମ ପାଳନ ପାଇଁ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ସହଯୋଗ ନକରିବା ଏବଂ ପ୍ରବର୍ତ୍ତନ କାର୍ଯ୍ୟରେ ବାଧା ସୃଷ୍ଟି ଅଭିଯୋଗକୁ ଗୁରୁତ୍ୱର ସହ ନେଇ ସକ୍ଷମ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଓ ପ୍ରଯୋଜ୍ୟ ନିୟମ ଅନୁଯାୟୀ ଆବଶ୍ୟକ ପ୍ରଶାସନିକ ପଦକ୍ଷେପ ନିଆଯାଇ ଦୋକାନଟିକୁ ସିଲ୍ କରାଯାଇଛି।
ସ୍ୱଚ୍ଛତା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଉତ୍ସସ୍ଥଳରେ ବର୍ଜ୍ୟ ପୃଥକୀକରଣ, ନିର୍ଦ୍ଦିଷ୍ଟ ସ୍ଥାନରେ ବର୍ଜ୍ୟ ହସ୍ତାନ୍ତର ଏବଂ ସାର୍ବଜନୀନ ସ୍ଥାନକୁ ପରିଷ୍କାର ରଖିବା ଉପରେ ପ୍ରଶାସନ ପକ୍ଷରୁ ସଚେତନତା, ନିୟମିତ ଯାଞ୍ଚ ଓ ପ୍ରବର୍ତ୍ତନ କାର୍ଯ୍ୟ ଜାରି ରହିଛି। ପ୍ରଶାସନ ପକ୍ଷରୁ ସମସ୍ତ ଦୋକାନୀ, ବ୍ୟବସାୟୀ ଓ ସାଧାରଣ ନାଗରିକଙ୍କୁ ସ୍ୱଚ୍ଛତା ନିୟମ ପାଳନ କରିବା ସହ ସ୍ୱଚ୍ଛତା ଟିମ୍କୁ ସହଯୋଗ କରିବାକୁ ଆହ୍ୱାନ କରାଯାଇଛି। ଏହି ପ୍ରବର୍ତ୍ତନ କାର୍ଯ୍ୟ ସମୟରେ ତହସିଲଦାର ଲଳାତେନ୍ଦୁ ଦଣ୍ଡସେନା, ଆର୍ଏମ୍ସି ଖରିଆର ରୋଡ୍ର ସମ୍ପାଦକ ଆର୍ଯ୍ୟ କୁମାର ମୁଦୁଲି, ଓରମାସ୍ର ଡେପୁଟି ସିଇଓ ବିଦେଶ ଘୋଷ, ଡିଆର୍ସି ଅନିଲ କୁମାର ଲେଙ୍କା, ନୂଆପଡ଼ା ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦୀପ କୁମାର ଚନ୍ଦ୍ରକାରଙ୍କ ସମେତ ସ୍ୱଚ୍ଛତା ଟିମ୍ର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।
ପରିଷ୍କାର, ସୁସ୍ଥ ଓ ପରିବେଶ ଅନୁକୂଳ ନୂଆପଡ଼ା ଗଠନ ଲକ୍ଷ୍ୟରେ ଆଗାମୀ ଦିନରେ ମଧ୍ୟ ସଚେତନତା, ସହଯୋଗ ଓ ନିୟମାନୁପାଳନକୁ ଗୁରୁତ୍ୱ ଦେଇ ପ୍ରବର୍ତ୍ତନ କାର୍ଯ୍ୟ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।