121
ନୂଆପଡ଼ା -୦୧/୧୧-(ସୁରେନ୍ଦ୍ର ତିୱାରୀ) ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିକାଶ ବିଭାଗ ଅଧୀନସ୍ଥ ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କ ଅଭାବ ଦୂର କରିବା ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବଡ଼ ନିଯୁକ୍ତି ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟରେ ମୋଟ ୨,୦୬୭ ଜଣ ନବନିଯୁକ୍ତ ସେବକ/ସେବିକା ଏବଂ ଜନଜାତି ଭାଷା ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରାଯାଇଛି।
ଏହି ଅବସରରେ ଭୁବନେଶ୍ୱରସ୍ଥିତ ଓୟୁଏଟି ଅଡିଟୋରିୟମଠାରେ ଆୟୋଜିତ ରାଜ୍ୟସ୍ତରୀୟ ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବନିଯୁକ୍ତ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ।
ଏହି ନିଯୁକ୍ତି ପ୍ରକ୍ରିୟାରେ ନୂଆପଡ଼ା ଜିଲ୍ଲା ପାଇଁ ମୋଟ ୬୪ ଜଣ ପ୍ରାର୍ଥୀ ନିଯୁକ୍ତି ପାଇଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ପ୍ରାର୍ଥୀ ଭୁବନେଶ୍ୱରଠାରେ ଆୟୋଜିତ ରାଜ୍ୟସ୍ତରୀୟ ନିଯୁକ୍ତି ମେଳାରେ ନିଯୁକ୍ତି ପତ୍ର ଗ୍ରହଣ କରିଥିବାବେଳେ ଅବଶିଷ୍ଟଙ୍କ ମଧ୍ୟରୁ ୪୩ ଜଣଙ୍କୁ ନଭେମ୍ବର ୧ ତାରିଖରେ ନୂଆପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳାରେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା।
ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ନୂଆପଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଜୟ ଢୋଲକିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବନିଯୁକ୍ତ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ।
ଏହି ଅବସରରେ କଳାହାଣ୍ଡି ସାଂସଦଙ୍କ ପ୍ରତିନିଧି ପ୍ରେମ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ ଗଣେଶ୍ୱର କହ୍ନର, ଉପଜିଲ୍ଲାପାଳ ସୁର୍ମି ସୋରେନ, ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ କ୍ଷମାନିଧି ଭୋଇ, ଜିଲ୍ଲା ଶିକ୍ଷା ଅଧିକାରୀ ଡ. ପ୍ରଶାନ୍ତ ମହାନ୍ତି, ଜିଲ୍ଲା ମଙ୍ଗଳ ଅଧିକାରୀ କାଳୀକିଙ୍କର ବିଶ୍ୱାଳ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାମକାନ୍ତ ବିଶ୍ୱାସ ପ୍ରମୁଖ ଉପସ୍ଥିତ ଥିଲେ। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିକାଶ ବିଭାଗ ଅଧୀନସ୍ଥ ବିଦ୍ୟାଳୟଗୁଡ଼ିକ ପାଇଁ ନବନିଯୁକ୍ତ ୪୩ ଜଣ ସେବକ/ସେବିକାଙ୍କୁ ଏହି ଅବସରରେ ନିଯୁକ୍ତି ପତ୍ର ହସ୍ତାନ୍ତର କରାଯାଇଥିଲା। ନୂତନ ନିଯୁକ୍ତି ଦ୍ୱାରା ଜିଲ୍ଲାର ଆଦିବାସୀ ଓ ଅନ୍ୟାନ୍ୟ ବଞ୍ଚିତ ବର୍ଗର ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ବ୍ୟବସ୍ଥା ଅଧିକ ସୁଦୃଢ଼ ହେବା ସହ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧିରେ ସହାୟକ ହେବ ବୋଲି ଆଶା ପ୍ରକାଶ ପାଇଛି।
ଜିଲ୍ଲାପାଳ ଅନ୍ୟା ଦାସ ଓ ଅନ୍ୟ ଅତିଥିମାନେ ନବନିଯୁକ୍ତ ସେବକ/ସେବିକାମାନଙ୍କୁ ଅଭିନନ୍ଦନ ଜଣାଇବା ସହ ନିଜ ନିଜ କାର୍ଯ୍ୟକ୍ଷେତ୍ରରେ ନିଷ୍ଠା, ଆନ୍ତରିକତା ଓ ଦାୟିତ୍ୱବୋଧର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଶିକ୍ଷାଦାନକୁ କେବଳ ଏକ ବୃତ୍ତି ଭାବେ ନୁହେଁ, ବରଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନର ଏକ ଗୁରୁଦାୟିତ୍ୱ ଭାବେ ଗ୍ରହଣ କରିବାକୁ ସେମାନେ ଆହ୍ୱାନ ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାର ଏସ୍ଏସ୍ଡି ବିଦ୍ୟାଳୟ ନିରୀକ୍ଷକ (DI of Schools), ସମ୍ପୃକ୍ତ ବିଭାଗର ଅଧିକାରୀ ଏବଂ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।