Home ରାଜ୍ୟନୂଆପଡ଼ା ରେ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ବିକାଶକୁ ମିଳିଲା ନୂଆ ଦିଗ; ଗୋଧାସ ଜଳପ୍ରପାତରେ ସ୍ପ୍ରିଙ୍ଗସେଡ୍ ବିକାଶ ଉପରେ ଗୁରୁତ୍ୱ।

ନୂଆପଡ଼ା ରେ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ବିକାଶକୁ ମିଳିଲା ନୂଆ ଦିଗ; ଗୋଧାସ ଜଳପ୍ରପାତରେ ସ୍ପ୍ରିଙ୍ଗସେଡ୍ ବିକାଶ ଉପରେ ଗୁରୁତ୍ୱ।

by Maraguda Express
0 comments
ନୂଆପଡ଼ା -୧୬/୦୭- ଗତକାଲି ଓଡ଼ିଶା ସରକାରଙ୍କ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ବିକାଶ (ଏସ୍‌.ସି. ଆଣ୍ଡ ୱାଟରସେଡ୍ ଡେଭେଲପମେଣ୍ଟ) ନିର୍ଦ୍ଦେଶକ ସୁବ୍ରତ କୁମାର ପଣ୍ଡା ଦୁଇଦିନିଆ ନୂଆପଡ଼ା ଗସ୍ତରେ ଆସି ଜିଲ୍ଲାରେ ଚାଲିଥିବା ମୃତ୍ତିକା ସଂରକ୍ଷଣ, ଜଳବିଭାଜିକା ବିକାଶ ଓ ପ୍ରାକୃତିକ ସମ୍ପଦର ସ୍ଥାୟୀ ପରିଚାଳନା କାର୍ଯ୍ୟକ୍ରମର ଅଗ୍ରଗତିକୁ ସମୀକ୍ଷା କରିଛନ୍ତି। କ୍ଷେତ୍ର ପରିଦର୍ଶନ ସହ ବିଭିନ୍ନ ଯୋଜନାର କାର୍ଯ୍ୟାନ୍ୱୟନକୁ ଆହୁରି ଫଳପ୍ରଦ କରିବା ପାଇଁ ସେ ଆବଶ୍ୟକ ପରାମର୍ଶ ଓ ନିର୍ଦ୍ଦେଶ ଦେଇଛନ୍ତି।ଉପନିର୍ଦ୍ଦେଶକ ତଥା ପ୍ରକଳ୍ପ ନିର୍ଦ୍ଦେଶକ (ୱାଟରସେଡ୍) ସନ୍ତୋଷ କୁମାର ରଥଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଉପସ୍ଥିତିରେ ଆୟୋଜିତ ସମୀକ୍ଷା ବୈଠକରେ ଜିଲ୍ଲାରେ କାର୍ଯ୍ୟକାରୀ ସମସ୍ତ ଯୋଜନାର ଅଗ୍ରଗତି, କାର୍ଯ୍ୟର ଗୁଣବତ୍ତା ଓ ସମୟବଦ୍ଧ କାର୍ଯ୍ୟାନ୍ୱୟନ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଜନହିତକୁ ପ୍ରାଧାନ୍ୟ ଦେଇ ଯୋଜନାଗୁଡ଼ିକୁ ଅଧିକ ପ୍ରଭାବଶାଳୀ ଭାବେ ରୂପାୟନ କରିବାକୁ ଜିଲ୍ଲାପାଳ ମଧ୍ୟ ଗୁରୁତ୍ୱାରୋପ କରିଥିଲେ।ଗସ୍ତ ସମୟରେ ନିର୍ଦ୍ଦେଶକ ଶ୍ରୀ ପଣ୍ଡା ଓ ଜିଲ୍ଲାପାଳ ନୂଆପଡ଼ା ବ୍ଲକର ସାରାବଙ୍ଗ ପଞ୍ଚାୟତ ଅନ୍ତର୍ଗତ ଭୈଷିମୁଣ୍ଡି ଗ୍ରାମର କୃଷକ ଆନନ୍ଦରାମ ପଟେଲଙ୍କ ଆମ୍ବ ବଗିଚା ପରିଦର୍ଶନ କରି ଚାରା ରୋପଣ କରିଥିଲେ। ମୃତ୍ତିକା ସଂରକ୍ଷଣ, ଜଳର ସୁପରିଚାଳନା ଓ ଉଦ୍ୟାନ କୃଷିର ବିକାଶ ମାଧ୍ୟମରେ କୃଷକଙ୍କ ଆର୍ଥିକ ସଶକ୍ତିକରଣ ଦିଗରେ ଏଭଳି ପ୍ରକଳ୍ପର ଭୂମିକା ଉପରେ ଆଲୋଚନା ହୋଇଥିଲା।ପରେ ଭରୁଆମୁଣ୍ଡା ପଞ୍ଚାୟତର ଲୋଦ୍ରା ଗ୍ରାମସ୍ଥିତ ମନୋରମ ଗୋଧସ ଜଳପ୍ରପାତ ପରିଦର୍ଶନ କରି ସମ୍ଭାବ୍ୟ ସ୍ପ୍ରିଙ୍ଗସେଡ୍ ବିକାଶ ପ୍ରକଳ୍ପ ପାଇଁ ସ୍ଥଳ ଯାଞ୍ଚ କରାଯାଇଥିଲା। ପ୍ରାକୃତିକ ଜଳଉତ୍ସର ସଂରକ୍ଷଣ, ଭୂତଳ ଜଳର ପୁନଃଭରଣ ଏବଂ ସ୍ଥାୟୀ ଜଳ ପରିଚାଳନା ପାଇଁ ଏଠାରେ ସ୍ପ୍ରିଙ୍ଗସେଡ୍ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ନିର୍ଦ୍ଦେଶକ ପରାମର୍ଶ ଦେଇଥିଲେ।ଜଳବିଭାଜିକା ନିର୍ଦ୍ଦେଶକଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ଗସ୍ତ ନୂଆପଡ଼ା ଜିଲ୍ଲାରେ ମୃତ୍ତିକା ଓ ଜଳ ସଂରକ୍ଷଣ କାର୍ଯ୍ୟକ୍ରମକୁ ଅଧିକ ସୁଦୃଢ଼ କରିବା ସହ ପ୍ରାକୃତିକ ସମ୍ପଦର ବୈଜ୍ଞାନିକ ପରିଚାଳନା ଏବଂ ଜଳବିଭାଜିକା ବିକାଶକୁ ନୂଆ ଗତି ପ୍ରଦାନ କରିବ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha