Home ରାଜ୍ୟନୂଆପଡ଼ାରେ ଶିଶୁ ସୁରକ୍ଷାକୁ ଗୁରୁତ୍ୱ : ୧୪୩ ଶିଶୁଙ୍କୁ ସ୍ପନସରସିପ୍ ସହାୟତା, ୪୧ ଜଣ ଯଶୋଦା ଯୋଜନାରେ ସାମିଲ; ପ୍ରଥମ ‘ଶିଶୁ ମିତ୍ର’ ସମ୍ମାନ ପ୍ରଦାନ।

ନୂଆପଡ଼ାରେ ଶିଶୁ ସୁରକ୍ଷାକୁ ଗୁରୁତ୍ୱ : ୧୪୩ ଶିଶୁଙ୍କୁ ସ୍ପନସରସିପ୍ ସହାୟତା, ୪୧ ଜଣ ଯଶୋଦା ଯୋଜନାରେ ସାମିଲ; ପ୍ରଥମ ‘ଶିଶୁ ମିତ୍ର’ ସମ୍ମାନ ପ୍ରଦାନ।

by Maraguda Express
0 comments
ନୂଆପଡ଼ା -୧୫/୭- ଜିଲ୍ଲା ରେ ଶିଶୁ ସୁରକ୍ଷା, ପୁନର୍ବାସ ଓ ଅନାଥ ଶିଶୁଙ୍କ କଲ୍ୟାଣ କୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା ମୁଖ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ (ଡିସିପିୟୁ) ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଶିଶୁ ସୁରକ୍ଷା, ପ୍ରାୟୋଜକ ସହାୟତା, ପୁନର୍ବାସ, ଏକକ ଅଭିଭାବକ ଓ ଅନାଥ ଶିଶୁଙ୍କ କଲ୍ୟାଣ ସମ୍ବନ୍ଧୀୟ ବିଭିନ୍ନ ଯୋଜନାର ଅଗ୍ରଗତି ନେଇ ସବିଶେଷ ସମୀକ୍ଷା କରାଯାଇଥିଲା।
ବୈଠକର ପ୍ରାରମ୍ଭରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁଚିସ୍ମିତା ମହାଉତି ସମସ୍ତଙ୍କୁ ସ୍ୱାଗତ ଜଣାଇ ଜିଲ୍ଲାରେ ଚାଲିଥିବା ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ଏବଂ ସେଗୁଡ଼ିକର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ।
ସମୀକ୍ଷାରେ ଜଣାପଡ଼ିଛି ଯେ, ୪୧ ଜଣ ଶିଶୁଙ୍କୁ ଯଶୋଦା ଯୋଜନାରେ ସାମିଲ କରାଯାଇଥିବା ବେଳେ ୩ ଜଣ ଶିଶୁଙ୍କୁ ‘ଗ୍ରୀନ୍ ପାସେଜ୍’ ସୁବିଧା ଯୋଗାଇ ଦିଆଯାଇଛି। ସେହିପରି ୨ ଜଣ ଶିଶୁଙ୍କୁ ଦକ୍ଷତା ବିକାଶ ପ୍ରଶିକ୍ଷଣ ସହ ସଂଯୋଗ କରାଯାଇଥିବାବେଳେ ୧୪୩ ଜଣ ଶିଶୁଙ୍କୁ ସ୍ପନସରସିପ୍ କାର୍ଯ୍ୟକ୍ରମ ଅଧୀନରେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।
ଜିଲ୍ଲାପାଳ ଶ୍ରୀ ଦାଶ ସମସ୍ତ ତହସିଲଦାରଙ୍କୁ ଏକକ ଅଭିଭାବକ ଏବଂ ଅନାଥ ଶିଶୁଙ୍କ ଆୟ ପ୍ରମାଣପତ୍ର ଆବେଦନର ତ୍ୱରିତ ଯାଞ୍ଚ କରି ବିଳମ୍ବ ନକରି ପ୍ରମାଣପତ୍ର ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିବା କୌଣସି ଛାତ୍ରଛାତ୍ରୀ ଯେପରି ପରୀକ୍ଷାରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ସ୍ୱତନ୍ତ୍ର ନଜର ରଖି ଆବଶ୍ୟକ ପଦକ୍ଷେପ ନେବାକୁ କହିଥିଲେ।
ସେ ଆହୁରି କହିଥିଲେ ଯେ, ଶିଶୁ ସୁରକ୍ଷା ସହ ଜଡ଼ିତ ସମସ୍ତ ବିଭାଗ ପରସ୍ପର ସମନ୍ୱୟ ରକ୍ଷା କରି ଯୋଗ୍ୟ ଶିଶୁମାନଙ୍କୁ ସରକାରୀ ଯୋଜନାର ସୁବିଧା ସମୟୋପଯୋଗୀ ଭାବେ ପହଞ୍ଚାଇବା ସହ ସେମାନଙ୍କର ସୁରକ୍ଷା, ଶିକ୍ଷା, ପୁନର୍ବାସ ଓ ସାମଗ୍ରିକ ବିକାଶ ଉପରେ ସର୍ବାଧିକ ଗୁରୁତ୍ୱ ଦେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।
ଏହି ଅବସରରେ କୋମନା ବ୍ଲକର ନୀରଜ ସତନାମୀଙ୍କୁ ଏକକ ଅଭିଭାବକ ଏବଂ ଅନାଥ ବର୍ଗର ୧୦ ଜଣ ଶିଶୁଙ୍କୁ ବିଭିନ୍ନ ସରକାରୀ ଯୋଜନା ସହ ସଂଯୋଗ କରାଇବାରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିଲ୍ଲାର ପ୍ରଥମ ‘ଶିଶୁ ମିତ୍ର’ ସମ୍ମାନ ପ୍ରଦାନ କରାଯାଇଥିଲା। ସେହିପରି ଖଡ଼ିଆଳସ୍ଥିତ ଉତ୍କଳ ବାଳାଶ୍ରମରୁ ପୁନର୍ବାସ ପାଇଥିବା ୨ ଜଣ ଶିଶୁଙ୍କୁ ମଧ୍ୟ ଅନାଥ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।
ବୈଠକରେ ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷା ବବିତା ମିଶ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ପ୍ରଶାନ୍ତ କୁମାର ମହାନ୍ତି, ଜିଲ୍ଲା ଶ୍ରମ ଅଧିକାରୀ ଦିବ୍ୟଶଙ୍କର ଧରୁଆ, ଶିଶୁ କଲ୍ୟାଣ ସମିତିର ସଦସ୍ୟବୃନ୍ଦ, କିଶୋର ନ୍ୟାୟ ବୋର୍ଡର ପ୍ରତିନିଧି ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha